ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (UCC) ଲାଗୁ କରିବା ଦିଗରେ ମଧ୍ୟପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ୟୁସିସିର ଡ୍ରାଫ୍ଟ ସଂପୂର୍ଣ୍ଣ ହୋଇଛି। ଏହି ନୂଆ ଆଇନରେ ଲିଭ- ଇନ୍ ରିଲେସନସିପକୁ ନେଇ ଖୁବ୍ କଠୋର ଆଇନଗତ ବ୍ୟବସ୍ଥା କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ମଧ୍ୟପ୍ରଦେଶରେ ଏଣିକି ଲିଭ୍-ଇନ୍‌ରେ ରହିବା ପାଇଁ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ। ସେହିଭଳି ପାର୍ଟନରଙ୍କୁ ଛାଡ଼ିବା ପାଇଁ ମଧ୍ୟ ‘ଛାଡ଼ପତ୍ର’ ଭଳି ଏକ ଦୀର୍ଘ ଆଇନଗତ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ିବ।

କେଉଁ ସବୁ ନିୟମ ରହିଛି ମଧ୍ୟପ୍ରଦେଶ ୟୁସିସି ଡ୍ରାଫ୍ଟରେ ?

ବାଧ୍ୟତାମୂଳକ ପଞ୍ଜୀକରଣ: ଲିଭ୍- ଇନ୍‌ରେ ରହିବା ପାଇଁ ଜିଲ୍ଲା ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକରଣ କରିବାକୁ ହେବ। ଏଥିପାଇଁ ଉଭୟ ସାଥୀ ସାବାଳକ ହେବା ଅନିବାର୍ଯ୍ୟ।

ଏକତରଫା ପଞ୍ଜୀକରଣ ବାତିଲ: ଯଦି କୌଣସି ଜଣେ ପାର୍ଟନର ବିଚ୍ଛେଦ ଚାହୁଥା’ନ୍ତି, ତେବେ ସେ ଏକତରଫା ଆବେଦନ କରି ପଞ୍ଜୀକରଣ ବାତିଲ କରିପାରିବେ। ଯଦି ଅନ୍ୟ ଜଣେ ସାଥୀ ଏଥିରେ ଅସହମତ ହୁଅନ୍ତି, ତେବେ ସେ ଏହି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ।

ବିବାହ ପୂର୍ବରୁ ବାତିଲ ପ୍ରକ୍ରିୟା: ଯଦି କୌଣସି ପଞ୍ଜୀକୃତ ଲିଭ୍- ଇନ୍ ପାର୍ଟନର ଅନ୍ୟ କାହାକୁ ବିବାହ କରିବାକୁ ଚାହାଁନ୍ତି। ତେବେ ତାଙ୍କୁ ପ୍ରଥମେ ପୁରୁଣା ଲିଭ୍-ଇନ୍ ପଞ୍ଜୀକରଣକୁ ବାତିଲ କରିବାକୁ ପଡ଼ିବ। କିନ୍ତୁ ଯଦି ସେମାନେ ବିବାହ କରୁଛନ୍ତି, ତେବେ ସେମାନଙ୍କ ଲିଭ୍-ଇନ୍ ପଞ୍ଜୀକରଣ ସ୍ୱତଃ ବାତିଲ ହୋଇଯିବ।

ବିବାହିତ ବ୍ୟକ୍ତିଙ୍କ ପାଇଁ କଡ଼ା ନିୟମ: ଯଦି ପୂର୍ବରୁ ବିବାହିତ କେହି ବ୍ୟକ୍ତି ଅନ୍ୟ କାହା ସହ ଲିଭ୍- ଇନ୍ରେ ରୁହନ୍ତି, ତେବେ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ପ୍ରଚଳିତ ଅପରାଧିକ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: ଟ୍ରେନ୍ ଭିତରେ ଚଉଠି ! ଏକ୍ସପ୍ରେସ୍ AC କୋଚରେ ଗୋଲାପର ସେଜ ଏବଂ ବେଲୁନ

ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସରଳ ଓ ସଂକ୍ଷିପ୍ତ ଆଇନ:

ମଧ୍ୟପ୍ରଦେଶ ସରକାରଙ୍କ ଆଇନ ବିଭାଗ ଏହି ନିୟମକୁ ସରଳ କରିବା ପାଇଁ ଉତ୍ତରାଧିକାର ସହ ଜଡ଼ିତ ନିୟମକୁ ମଧ୍ୟ ୧୦୦ରୁ ହ୍ରାସ କରି ମାତ୍ର ୩୦କୁ ଆଣିଛନ୍ତି। ଏହି କାରଣରୁ ମଧ୍ୟପ୍ରଦେଶର UCC ଆଇନ, ଗୁଜରାଟ ଏବଂ ଉତ୍ତରାଖଣ୍ଡର ୟୁସିସି ତୁଳନାରେ ଅଧିକ ସଂକ୍ଷିପ୍ତ ଓ ଛୋଟ ହେବ। ଏହି ଆଇନ ପରିସରରୁ ଆଦିବାସୀ ଏବଂ ଭିନ୍ନ ଭିନ୍ନ ଯାଯାବର ସମୁଦାୟକୁ ଛାଡ଼ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ସ୍ତର ଏବଂ ଆଇନ ବିଭାଗ ଦ୍ୱାରା ଏହି ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇସାରିଛି। ଦିଲ୍ଲୀରେ ୟୁସିସି କମିଟିର ଅଧ୍ୟକ୍ଷା ରଞ୍ଜନା ପ୍ରକାଶ ଦେଶାଇଙ୍କ ସହ ଚୂଡ଼ାନ୍ତ ଆଲୋଚନା ପରେ ଆଗାମୀ ମୌସୁମୀ ଅଧିବେଶନରେ ସରକାର ଏହି ବିଲ୍କୁ ବିଧାନସଭାରେ ଉପସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବେ।