କୋରାପୁଟ : କୋରାପୁଟର ଆରାଧ୍ୟ ଦେବୀ ମା' ମୁତ୍ୟାଲୁମ୍ମା। ତାଙ୍କ ମହିମା ଅନନ୍ୟ। ଶ୍ରଦ୍ଧାରେ ଡାକିଲେ ପ୍ରତ୍ୟେକ ଭକ୍ତଙ୍କ ଡାକ ଶୁଣନ୍ତି ସେ। ସେଥିପାଇଁ ଦୀର୍ଘ ବର୍ଷ ଧରି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ପାଲଟିଛନ୍ତି। ନବାରତ୍ରୀର ପ୍ରଥମ ଦିନରୁ ମାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଏ। ଏହି ଅବସରରେ ବ୍ରହ୍ମ ଆଳତି ଦେଖିବାକୁ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ଼। ଉଈହୁଙ୍କା ଆକାରରେ ପୂଜା ପାଉଥିବା ମା’ଙ୍କ ମହିମାକୁ ନେଇ ରହିଛି ଅନେକ ଲୋକବିଶ୍ୱାସ।

କୋରାପୁଟ ସହର ଆସ୍ଥା ବିଶ୍ୱାସ ଆଉ ଭକ୍ତିର ଏକ ପ୍ରମୁଖ କେନ୍ଦ୍ର। ଏଠାରେ ପୂଜା ପାଉଛନ୍ତି ସହରର ଅଧିଷ୍ଠାତ୍ରୀ ଦେବୀ ମା ମୁତ୍ୟାଲୁମ୍ମା। ଲୋକବିଶ୍ୱାସ ଅନୁଯାୟୀ ଏକ ଆମ୍ବଗଛ ମୂଳେ ଉଈ ହୁଙ୍କା ଆକାରରେ ଆବିର୍ଭାବ ହୋଇଥିଲେ ମା। ସେବେଠାରୁ ସେହି ସ୍ଥାନରେ ହିଁ ଚାଲିଛି ପୂଜାର୍ଚ୍ଚନା। ମା’ଙ୍କ ମହିମା ଓ ଅଲୌକିକତାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଅଗାଢ଼ ବିଶ୍ୱାସ। ମାଙ୍କ ପୀଠରେ ଭୋଗ ଲାଗି ହୁଏ ଖିରି, କାକରା, ମଣ୍ଡା, ପଞ୍ଚାମୃତ ଓ ଗଜାମୁଆଁ। ହଳଦୀକୁ ମୁଖ୍ୟ ପ୍ରସାଦ ଭାବେ ଗ୍ରହଣ କରନ୍ତି ଭକ୍ତ। ବିବାହ ହେଉ କି ନୂଆ ଘର, ଗାଡ଼ି କିଣା ହେଉ କି ନୂଆ ଚାକିରିରେ ଯୋଗଦାନ। ପ୍ରତ୍ୟେକ ଶୁଭକାର୍ଯ୍ୟ ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେବା ଏଠାକାର ଏକ ପରମ୍ପରା।

ନବରାତ୍ର ଅବସରରେ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମା’ ମୁତ୍ୟାଲୁମ୍ମାଙ୍କ ପୀଠରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟୀ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି । ପ୍ରତି ସନ୍ଧ୍ୟାରେ ହୋମ ଓ ଆହୁତି ସହ ୧୧ପ୍ରକାରର ଭୋଗ ଲାଗି କରାଯାଉଛି। ନବରାତ୍ରକୁ ନେଇ ପୀଠରେ ଭିନ୍ନ ଏକ ଭକ୍ତିମୟ ପରିବେଶ । ନବରାତ୍ରୀ ସମୟରେ ଏଠାରେ ହେଉଥିବା ସ୍ଵତନ୍ତ୍ର ବ୍ରହ୍ମଆଳତୀ ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ମା’ଙ୍କ ଉପରେ ରହିଥିବା ଅତୁଟ ବିଶ୍ୱାସ ହିଁ ଶ୍ରଦ୍ଧାଳୁଙ୍କୁ ବାରମ୍ବାର ଟାଣି ଆଣୁଛି ଏହି ପୀଠକୁ । କୋରାପୁଟ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତମାନେ ମା' ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମାଙ୍କ କୃପା ଓ ଆଶୀର୍ବାଦ ମିଳିଲେ ଜୀବନରେ ସୁଖ ଶାନ୍ତି ଆସେ ବୋଲି ଭକ୍ତଙ୍କ ବିଶ୍ୱାସ।

Also Read- କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ, ଜାନୁଆରୀରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଆସ୍ଥା ଓ ବିଶ୍ୱାସର ଏହି ପବିତ୍ର ପୀଠରେ ବିରାଜିତ ମା' ମୁତ୍ୟାଲୁମ୍ମା । ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ ବରଂ କୋରାପୁଟବାସୀଙ୍କ ଭାବନା ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ। ଯେଉଁଠି ଥାଇ ଶ୍ରଦ୍ଧା ଓ ଆସ୍ଥାର ସହ ଡାକିଲେ ଡାକ ଶୁଣନ୍ତି ମା' । ଏହି ମା’ ମୁତ୍ୟାଲୁମ୍ମାଙ୍କ ମହିମା।