ବରଗଡ଼: ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମଙ୍ଗଳବାର ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁସାରେ ଜାନୁଆରୀ ୧୨ରୁ ୨୪ ତାରିଖ ଯାଏ ଧନୁଯାତ୍ରା ଆୟୋଜିତ ହେବ। ପ୍ରାୟ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗ ମଞ୍ଚରେ କଳା ପ୍ରଦର୍ଶନ କରିବେ କଳାକାର। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼ । ସେହିଭଳି ସବୁଥର ଭଳି ଏଥର ମଧ୍ୟ କଂସ ଚରିତ୍ର ପାଇଁ ହେବ କଳାକାର ଚୟନ କରାଯିବ ।

ସୂଚନାଯୋଗ୍ୟ, ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ରହିଛି ସ୍ବତନ୍ତ୍ର ଗରିମା । ଧନୁଯାତ୍ରା ପାଇଁ ସମଗ୍ର ବରଗଡ଼ ସହର ପାଲଟିଯାଏ ମଥୁରା । ଅମ୍ବାପାଲି ଗାଁ ହୁଏ ଗୋପପୁର । ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କରନ୍ତି ନିଜ ମାନବ ଲୀଳା । ଧନୁଯାତ୍ରା ପାଇଁ ବରଗଡ଼ର ରାସ୍ତାଗୁଡ଼ିକ ରଙ୍ଗୀନ ତୋରଣରେ ଝଲସି ଉଠେ ।

Also Read:ଠାକୁରଙ୍କ ମଙ୍ଗଳ ଆଳତୀ ବେଳେ ଘଟିଲା ଅଘଟଣ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ଧନୁ ଯାତ୍ରାର ମୁଖ୍ୟ ଆକର୍ଷଣ ମଧ୍ୟରୁ ଗୋଟିଏ ହେଉଛି ହାଟପଡ଼ାରେ ସ୍ଥାପିତ ବିଶାଳ କଂସ ଦରବାର। ଏହି ଭବ୍ୟ ମଞ୍ଚଟି ପ୍ରାୟ ୭୦ ଫୁଟ ଉଚ୍ଚ ଏବଂ ୧୨୦ ଫୁଟ ଚଉଡ଼ାର ଏକ ବିଶାଳ ମଞ୍ଚ। ଏଠାରେ ରାଜା କଂସ କୃଷ୍ଣକୁ ମାରିବାକୁ ପାଞ୍ଚିଥାନ୍ତି ଯୋଜନା । ସରଳ ଅର୍ଥରେ କହିଲେ ଧନୁଯାତ୍ରା ମହୋତ୍ସବ ପରମ୍ପରା, ନାଟକ ଏବଂ ସାଂସ୍କୃତିକ ଉତ୍ସବର ଏକ ଅନନ୍ୟ ମିଶ୍ରଣ ।