ନୂଆଦିଲ୍ଲୀ:  ପଶ୍ଚିମ ଏସିୟାରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଓ ଏଥିରେ ହର୍ମୁଜ ପ୍ରଣାଳୀ ବନ୍ଦ ରହିବାର ପ୍ରଭାବ ଏବେ ଭାରତର ଇନ୍ଧନ ବଜାର ଉପରେ ସ୍ପଷ୍ଟ ଦେଖା ଯାଉଛି। ସରକାରୀ ତଥ୍ୟ ଅନୁସାରେ ଏପ୍ରିଲ ୨୦୨୬ରେ ଘରୋଇ ରୋଷେଇ ଗ୍ୟାସ୍ ବିକ୍ରିରେ ପାଖାପାଖି ୧୧% ହ୍ରାସ ହୋଇଛି। କେବଳ ଘରୋଇ ନୁହେଁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଚାହିଦା ମଧ୍ୟ ୧୦% କମିଛି। ୨୦୨୬ ଫେବୃଆରୀ ଶେଷ ସପ୍ତାହରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରଠାରୁ ଅନ୍ତର୍ଜାତୀୟ ଇନ୍ଧନ ବଜାରରେ ଚାପ ସୃଷ୍ଟି ହୋଇଛି। ଏହା ପରେ ପରେ ଭାରତ ସରକାରଙ୍କ ତୈଳ ବିପଣନକାରୀ କମ୍ପାନୀ ଘରୋଇ ଓ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି।

ତଥ୍ୟ ଅନୁସାରେ ସରକାରୀ ତୈଳ କମ୍ପାନୀମାନେ ଏପ୍ରିଲ ମାସରେ ୧,୯୮୨ ହଜାର ମେଟ୍ରିକ୍ ଟନ ଘରୋଇ ଏଲପିଜି ସିଲିଣ୍ଡର ବିକ୍ରି କରିଛନ୍ତି, ଯାହା ଗତବର୍ଷ ଏହି ଅବଧିରେ ୨,୨୨୯ ମେଟ୍ରିକ୍ ଟନ ଥିଲା। ସେହପରି କମର୍ସିଆଲ ଏଲପିଜି ବିକ୍ରି ହ୍ରାସ ହୋଇ ୧୮୭ ମେଟ୍ରିକ ଟନ ହୋଇଯାଇଛି, ଯାହା ଗତବର୍ଷ ଏହି ସମୟରେ ୨୦୮.୫ ମେଟ୍ରିକ ଟନ୍ ଥିଲା। ହୋଟେଲ, ରେଷ୍ଟୁରାଣ୍ଟ, ମଲ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ,  ଅଫିସ ଏବଂ ଔଦ୍ୟୋଗିକ କ୍ୟାଣ୍ଟିନରେ କମର୍ସିଆଲ ଏଲପିଜି ଅଧିକ ବ୍ୟବହୃତ ହୋଇଥାଏ। ସେହିପରି  ଉଦ୍ୟୋଗ କ୍ଷେତ୍ରକୁ ମିଳୁଥିବା ଏଲପିଜି ଯୋଗାଣରେ ମଧ୍ୟ ହ୍ରାସ ଦେଖାଯାଇଛି। ଏପ୍ରିଲରେ ଇଣ୍ଡଷ୍ଟ୍ରିଆଲ ସେକ୍ଟରକୁ ମାତ୍ର ୧୧.୯ ମେଟ୍ରିକ୍ ଟନ ଗ୍ୟାସ୍ ମିଳଛି, ଯାହା ଗତବର୍ଷ ତୁଳନାରେ ୮୨% କମ୍।

ତେବେ ଅଟୋ ଏଲପିଜି ସେକ୍ଟରରେ ଖର୍ଚ୍ଚ ବୃଦ୍ଧି ହୋଇଛି। ଏଲପିଜିରେ ଚାଲୁଥିବା ବାହନଙ୍କ ନିମନ୍ତେ ଯୋଗାଣ ୮୬% ବୃଦ୍ଧି ହୋଇଛି। ଫଳରେ ଏପ୍ରିଲରେ ଏଲପିଜି ବିକ୍ରି ୧୦.୮ ମେଟ୍ରିକ ଟନକୁ ପହଞ୍ଚିଛି। ଦେଶରେ ଯୋଗାଣ ସଂକଟକୁ ଦେଖି ଅନେକ ଉଦ୍ୟୋଗ ଫୁଏଲ ଅଏଲ ଓ ପ୍ରାକୃତିକ ଗ୍ୟାସ୍ ସ୍ଥାନରେ ପୁଣି ଥରେ ବିକଳ୍ପ ଇନ୍ଧନ ଉପଯୋଗ କରିବା ଆରମ୍ଭ କରିଦେଇଛନ୍ତି। ମୋଟ ଉପରେ ସାରା ଦେଶରେ ଏପ୍ରିଲ ମାସରେ ଏଲପିଜି ବିକ୍ରି ୧୩% ହ୍ରାସ ହୋଇଛି। ଏଥିରେ ଉତ୍ତର ଭାରତରେ ଏହି ହ୍ରାସ ହାର ସର୍ବାଧିକ। ଏଠାରେ ଏଲପିଜି ବିକ୍ରି ୧୭% ହ୍ରାସ ହୋଇଛି।  

ତେବେ ଦେଶରେ ଏଲପିଜି ସଂକଟ ନଥିବା ସରକାର କହିଛନ୍ତି। ଦେଶରେ ଏଲପିଜି, ପେଟ୍ରୋଲ ଓ ଡିଜେଲ ସମେତ ସବୁ ପେଟ୍ରୋଲ ଉତ୍ପାଦର ପର୍ୟ୍ୟାପ୍ତ ଷ୍ଟକ୍ ରହିଛି ଓ ଯୋଗାଣ ଶୃଙ୍ଖଳା ଅବ୍ୟହତ ରଖିବାକୁ ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଉଛି। ସରକାରଙ୍କ ଅନୁସାରେ ଅନଲାଇନ ଏଲପିଜି ବୁକିଂ ୯୯%କୁ ପହଞ୍ଚିଛି। ହେଲେ କଳାବଜାରୀ ରୋକିବା ଲାଗି କାର୍ଯ୍ୟକାରୀ କରଯାଇଥିବା ଭେରିଫିକେସନ ସିଷ୍ଟମ ମାଧ୍ୟମରେ ୯୬%ଡେଲିଭରୀ ସୁନିଶ୍ଚିତ କରାଯାଇଛି।