ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ପଶ୍ଚିମ ଏସିଆ ସଙ୍କଟ ଯୋଗୁ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଥିବାରୁ ସରକାର ଏବଂ ତୈଳ କମ୍ପାନିଗୁଡ଼ିକ ଦେଶରେ ଏଲପିଜିର ଯୋଗାଣ ନିରବଚ୍ଛିନ୍ନ ରଖିବା ପାଇଁ କିଛି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏମିତିରେ ଯଦି ଆପଣ ଇଣ୍ଡେନ୍ (Indane), ଏଚପି (HP Gas) କିମ୍ବା ଭାରତ ଗ୍ୟାସ୍ (Bharat Gas)ର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ। କାରଣ ଜୁନ୍ ୩୦ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ସହ ଜଡ଼ିତ ଦୁଇଟି ପ୍ରମୁଖ ନିୟମ ପାଇଁ ସମୟସୀମା ଶେଷ ହେବାକୁ ଯାଉଛି। ଏହି ନିୟମଗୁଡ଼ିକୁ ପାଳନ ନକଲେ ଏଲପିଜି ଗ୍ୟାସ ବୁକିଂ ଏବଂ ସବସିଡି ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ।

୧. ଏଲପିଜି ଇ-କେୱାଇସି (LPG e-KYC) ବାଧ୍ୟତାମୂଳକ: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY)ର ହିତାଧିକାରୀଙ୍କ ସମେତ ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ ନିଜର ଆଧାରଭିତ୍ତିକ ବାୟୋମେଟ୍ରିକ ଇ-କେୱାଇସି (e-KYC) କରିନାହାନ୍ତି, ସେମାନଙ୍କୁ ଜୁନ୍ ୩୦ ସୁଦ୍ଧା ଏହା ସାରିବାକୁ କୁହାଯାଇଛି।

ଇଣ୍ଡିଆନ ଅଏଲ୍ (Indian Oil) ପକ୍ଷରୁ ସୋସିଆଲ ମିଡିଆରେ ଗ୍ରାହକଙ୍କୁ ସଚେତନ କରାଯାଇ କୁହାଯାଇଛି ଯେ, ଗ୍ୟାସ୍ ସବସିଡି ସୁବିଧା ବିନା କୌଣସି ବାଧାରେ ଜାରି ରଖିବା ପାଇଁ ତୁରନ୍ତ ଇ-କେୱାଇସି ସମ୍ପୂର୍ଣ୍ଣ କରନ୍ତୁ। ଗ୍ରାହକମାନେ ଏହାକୁ ନିଜର ଗ୍ୟାସ୍ ବିତରକ, ଗ୍ୟାସ୍ ଡେଲିଭରି କର୍ମଚାରୀ କିମ୍ବା ମୋବାଇଲ୍ ଆପ୍ ସାହାଯ୍ୟରେ ବିନା ମୂଲ୍ୟରେ କରିପାରିବେ। ଯଦି ଏହା ନକରିବେ ତେବେ ସବସିଡି ଟଙ୍କା ଆସିବା ବନ୍ଦ ହେବାର ସମ୍ଭାବନା ରହିଛି।

Also Read: ଆଗକୁ ଦେଖା ଦେଇପାରେ ସ୍ମାର୍ଟଫୋନର ଅଭାବ: ୩୦% ରପ୍ତାନୀ କମାଇବେ ସାଓମୀ, ଓପୋ ଓ ଭିଭୋ

୨. ଡୁଆଲ୍ କନେକ୍ସନ (LPG + PNG) ଉପରେ ରୋକ: ସରକାରଙ୍କ ନୂଆ ନୀତି ଅନୁଯାୟୀ, ଯଦି ଆପଣଙ୍କ ଅଞ୍ଚଳରେ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG)ର ସୁବିଧା ଉପଲବ୍ଧ ଅଛି ଏବଂ ଆପଣ ପିଏନଜି ସଂଯୋଗ ନେଇଛନ୍ତି, ତେବେ ଆପଣଙ୍କୁ ନିଜର ଘରୋଇ ଏଲପିଜି କନେକ୍ସନ ସରେଣ୍ଡର କରିବାକୁ ପଡ଼ିବ। ଗୋଟିଏ ଘରେ ଉଭୟ ଏଲପିଜି ଏବଂ ପିଏନଜି ରଖିବା ଉପରେ କଟକଣା ଲଗାଯାଇଛି।

ପେଟ୍ରୋଲିୟମ ମନ୍ତ୍ରାଳୟର ନିୟମ ଅନୁସାରେ, ପିଏନଜି ସୁବିଧା ଥାଇ ମଧ୍ୟ ଯଦି କେହି ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ସେମାନଙ୍କୁ ପିଏନଜିକୁ ସ୍ଥାନାନ୍ତର ହେବା ପାଇଁ ୯୦ ଦିନର ସମୟ ଦିଆଯାଇଥିଲା, ଯାହାର ସମୟସୀମା ଜୁନ୍ ୩୦ରେ ଶେଷ ହେଉଛି। ସେଭଳି ଗ୍ରାହକଙ୍କ ଏଲପିଜି ସିଲିଣ୍ଡର ରିଫିଲ୍ ବା ବୁକିଂ ବନ୍ଦ କରିଦିଆଯାଇପାରେ।

ସିଲିଣ୍ଡର ବୁକିଂ ସହ ଜଡ଼ିତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ:

OTP ଡେଲିଭରି: ସିଲିଣ୍ଡର ଆସିବା ସମୟରେ ଗ୍ରାହକଙ୍କୁ ନିଜ ମୋବାଇଲକୁ ଆସିଥିବା ଡେଲିଭରି କୋଡ୍ (OTP) ଦେବା ବାଧ୍ୟତାମୂଳକ।

ରିଫିଲିଂ ସମୟ ସୀମାରେ ପରିବର୍ତ୍ତନ: ଏବେ ସହରାଞ୍ଚଳ ଗ୍ରାହକମାନେ ଗୋଟିଏ ସିଲିଣ୍ଡର ନେବାର ୨୫ ଦିନ ପରେ ଏବଂ ଗ୍ରାମାଞ୍ଚଳର ଗ୍ରାହକମାନେ ୪୫ ଦିନ ପରେ ହିଁ ଦ୍ୱିତୀୟ ସିଲିଣ୍ଡର ବୁକ୍ କରିପାରିବେ। ପୂର୍ବରୁ ଏହି ଅବଧି ୨୧ ଦିନ ରହିଥିଲା।