ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ହର୍ମୁଜ ସଂକଟର ଭୟଙ୍କର ପ୍ରଭାବ ଭାରତ ସହ ବିଶ୍ୱର ସବୁ ପ୍ରମୁଖ ଅର୍ଥନୀତି ଉପରେ ପଡ଼ିଛି । ଏହାର ମାଡ଼ରେ ଇନ୍ଧନ ଦର ଲଗାତାର ବଢିବାରେ ଲାଗିଛି । ଦେଶରେ ପେଟ୍ରୋଲ, ଡିଜେଲ, କମର୍ସିଆଲ୍ ଗ୍ୟାସ୍ ପରେ ଏପେ ଘରୋଇ ଗ୍ୟାସ୍ ଦର ମଧ୍ୟ ବୃଦ୍ଧି ପାଇଛି । ଶନିବାର ଜୁନ୍ ୬ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୯ ଟଙ୍କା ବୃଦ୍ଧି ପାଇଥିଲା । ଏହା ପୂର୍ବରୁ ମାର୍ଚ୍ଚ ୭ରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଥିଲା । ଏବେ ଲାଗୁଛି ଏହି ଦର ବୃଦ୍ଧିରେ ବ୍ରେକ୍ ଲାଗିବା ପରିବର୍ତ୍ତେ ଆଗାମୀ କିଛି ଦିନ ଭିତରେ ଖାଉଟିଙ୍କୁ ପୁଣି ଥରେ ଦର ବୃଦ୍ଧିର ମାଡ଼ ସହିବାକୁ ପଡ଼ିବ ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରଠାରୁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ମୋଟ ଉପରେ ୮୯ ଟଙ୍କା ବଢିସାରିଛି । ସଦ୍ୟତମ ବୃଦ୍ଧି ଖାଉଟିକୁ ଝଟକା ଦେଇଥିବା ବେଳେ ଗ୍ୟାସ୍ କମ୍ପାନିଗୁଡ଼ିକ ବି ଦୁଃଖ ସରିନି । ସରକାରୀ ବୟାନ ଅନୁସାରେ, ଆନ୍ତର୍ଜାତିକ ସ୍ତରରେ ଏଲପିଜି ଦର ବୃଦ୍ଧି ସତ୍ତ୍ୱେ ଭାରତରେ ରନ୍ଧନ ଗ୍ୟାସର ସର୍ବନିମ୍ନ ମୂଲ୍ୟ ପ୍ରଦାନ କରାଯାଉଛି । ଏହି ସଂଶୋଧନ ପୂର୍ବରୁ ସରକାରୀ ତୈଳ ବିପଣନ କମ୍ପାନିଗୁଡ଼ିକ ବିକ୍ରି ହେଉଥିବା ପ୍ରତ୍ୟେକ ଏଲପିଜି ସିଲିଣ୍ଡରରେ ପ୍ରାୟ ୭୦୩ କ୍ଷତି କରୁଥିବା ଆକଳନ କରାଯାଇଥିଲା । ବିବୃତ୍ତିରେ ସରକାର କହିଛନ୍ତି, ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ସ୍ତରରେ ମୂଲ୍ୟ ବୃଦ୍ଧି ପାଇବା ପରେ ଘରୋଇ ଏଲପିଜି ସିଲିଣ୍ଡର ଯୋଗାଣ ମୂଲ୍ୟ ୧୬୦୦ରୁ ଅଧିକ ହୋଇଛି  ।

ଭାରତର ଏଲପିଜି ଆମଦାନୀ ଖର୍ଚ୍ଚ ସାଉଦି କଣ୍ଟ୍ରାକ୍ଟ ପ୍ରାଇସ୍ (ସିପି) ସହିତ ଜଡିତ । ଏହା ହିଁ ଇନ୍ଧନର ବିଶ୍ୱ ମାନଦଣ୍ଡ । ବିବୃତ୍ତି ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ସଂକଟ ଯୋଗୁଁ ଫେବ୍ରୁଆରୀ ପରଠାରୁ ବେଞ୍ଚମାର୍କ ପ୍ରାୟ ୪୬% ବୃଦ୍ଧି ପାଇଛି । ବୃଦ୍ଧି ସତ୍ତ୍ୱେ, ଭାରତରେ ଘରୋଇ ଏଲପିଜି ମୂଲ୍ୟ ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶମାନଙ୍କ ତୁଳନାରେ କମ୍ ରହିଛି । ଆମେରିକା, ଅଷ୍ଟ୍ରେଲିଆ ଏବଂ କାନାଡା ସମେତ ଉନ୍ନତ ଅର୍ଥନୀତିର ମୂଲ୍ୟ ତୁଳନାରେ ଯଥେଷ୍ଟ କମ ରହିଛି ।

Also Read: ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଝଟକା, ଏବେ ବର୍ଷକୁ ୯ ନୁହେଁ ମିଳିବ ୪ ସିଲିଣ୍ଡର

ସରକାରୀ ବୟାନ ଏକ ବଡ଼ ସଂକେତ ଦେଉଛି । ପୂର୍ବରୁ ପେଟ୍ରୋଲକୁ ନେଇ ମଧ୍ୟ ସମାନ ଖବର ସବୁ ସାମନାକୁ ଆସିଥିଲା । କମ୍ପାନିଗୁଡ଼ିକ କ୍ଷତି ସହୁଛନ୍ତି କହି ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବୃଦ୍ଧି କରାଗଲା । ଏବେ ଗ୍ୟାସ୍ ବିପଣନ କମ୍ପାନିଗୁଡ଼ିକ କ୍ଷତି ସହୁଛନ୍ତି ବୋଲି ଦର୍ଶାଯାଉଛି । ଯାହା ଆଗାମୀ ଦିନରେ ପୁଣି ଥରେ ଗ୍ୟାସ୍ ଦର ବୃଦ୍ଧି ପାଇବ ବୋଲି ଏକ ବଡ଼ ସଂକେତ ଦେଉଛି ।