• ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ ହୋଇଥିଲା
  • ସରକାର ମେ ୨୦୨୨ରେ ୧୪.୨ କେଜି ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କାର ଟାର୍ଗେଟେଡ ସବସିଡି ଆରମ୍ଭ କରିଥିଲେ
  • ୨୦୨୩ ମସିହାରେ ଉଜ୍ଜ୍ୱଳା ସିଲିଣ୍ଡର ପିଛା ସବସିଡିକୁ ବଢାଇ ୩୦୦ ଟଙ୍କା କରାଯାଇଥିଲା
  • ସବସିଡି ବାବଦକୁ ସରକାର ୨୦୨୨ରୁ ଏ ପର୍ଯ୍ୟନ୍ତ ପାଖାପାଖି ୫୨,୦୦୦ କୋଟି ଟଙ୍କା ଦେଇଛନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ହୀତାଧିକାରୀଙ୍କୁ ବାର୍ଷିକ ଦେଉଥିବା ସବସିଡି ସିଲିଣ୍ଡର ସଂଖ୍ୟା ହ୍ରାସ କରିଛନ୍ତି। ଏବେ ସେମାନଙ୍କୁ ବାର୍ଷିକ ୪ଟି ସିଲିଣ୍ଡର ମିଳିବ। ଜନୈକ ସରକାରୀ ଅଧିକାରୀ ସୋମବାର ଏହି ସୂଚନା ଦେଇ କହିଛନ୍ତି ଯେ ଏହି ପଦକ୍ଷେପ ହାରାହାରି ଘରୋଇ ଖର୍ଚ୍ଚ ହିସାବକୁ ସଠିକ ସ୍ତରକୁ ଆଣିବା ଲାଗି ନିଆଯାଇଛି।  ପୂର୍ବରୁ ଏହି ଯୋଜନାରେ ସରକାର ବାର୍ଷିକ ୯ଟି ସିଲିଣ୍ଡର ଦେଉଥିଲେ। ସିଲିଣ୍ଡର ସଂଖ୍ୟାକୁ ହ୍ରାସ କରି ଏବେ ୪ କରି ଦିଆଯାଇଛି।

ଦେଶରେ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ ହୋଇଥିଲା। ଯୋଜନାରେ ଗରିବ ପରିବାରର ବୟଷ୍କା ମହିଳାଙ୍କୁ ବିନା ଡିପୋଜିଟ୍ ରେ ଏଲପିଜି କନେକ୍ସନ ଦିଆଯାଇଥିଲା। ଯୋଜନା ପ୍ରାରମ୍ଭରେ ହିତାଧିକାରୀଙ୍କୁ ବାର୍ଷିକ ୧୨ଟି ୧୪.୨ କେଜିଆ ସିଲିଣ୍ଡର ସବସିଡି ଦରରେ ଉପଲବ୍ଧ କରାଯାଉଥିଲା। ଗତ ବର୍ଷ ସବସିଡି ସିଲିଣ୍ଡର କୋଟା ହ୍ରାସ କରି ୯ କରିଦିଆଯାଇଥିବା ବେଳେ ଏବେ ଏହାକୁ ଆହୁରି କମ କରି ବାର୍ଷିକ ୪ଟି କରି ଦିଆଯାଇଛି।

ପେଟ୍ରୋଲିୟମ ଓ ଗ୍ୟାସ୍ ମନ୍ତ୍ରାଳୟ ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୁଜା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପରିବର୍ତ୍ତି ସୀମା ମୋଟାମୋଟି ଉଜ୍ଜ୍ୱଳା ହିତାଧିକାରୀଙ୍କ ବାର୍ଷିକ ହାରାହାରି ଖର୍ଚ୍ଚ ସହ ସମାନ। ଖାଦ୍ୟ ରନ୍ଧନ ପାଇଁ ସଫାସୁତୁରା ଇନ୍ଧନକୁ ପ୍ରୋତ୍ସାହିତ କରିବା ଲାଗି ତଥା ଏହାକୁ ଶସ୍ତା କରିବା ପାଇଁ ସରକାର ମେ ୨୦୨୨ରେ ୧୪.୨ କେଜି ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କାର ଟାର୍ଗେଟେଡ ସବସିଡି ଆରମ୍ଭ କରିଥିଲେ। ଏହି ସବସିଡି ବର୍ଷକୁ ୧୨ଟି ସିଲିଣ୍ଡର କିଣିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିଲା।

୨୦୨୩ ମସିହାରେ ଉଜ୍ଜ୍ୱଳା ସିଲିଣ୍ଡର ପିଛା ସବସିଡିକୁ ବଢାଇ ୩୦୦ ଟଙ୍କା କରାଯାଇଥିଲା। ଏଥିରେ ୫ କେଜି ସିଲିଣ୍ଡର ପାଇଁ ମଧ୍ୟ ସେହି ଅନୁପାତରେ ଲାଭ ଦିଆଯାଉଥିଲା। ତେବେ ସବସିଡି କୋଟାରେ ଏହି କାଟ୍ ଏଲପିଜି ମୂଲ୍ୟ ବୃଦ୍ଧି ପରେ କରାଯାଇଛି। ଇତି ମଧ୍ୟରେ ସରକାର ଦୁଇ ଥର ସିଲିଣ୍ଡର ପିଛା ମୂଲ୍ୟ ବୃଦ୍ଧି କରିଛନ୍ତି। ମୂଲ୍ୟ ବୃଦ୍ଧି ପରେ ସବସିଡି ବାଦ ଦେଲେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ପ୍ରତି ସିଲିଣ୍ଡର ୬୪୨ ଟଙ୍କାରେ ମିଳୁଛି। ଏବେ ପ୍ରତି ସିଲିଣ୍ଡର ବାବଦ ୧୬୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନାରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲାଭ ମିଳୁଛି। ଉଜ୍ଜ୍ୱଳା ସବସିଡି ବାବଦକୁ ସରକାର ୨୦୨୨ରୁ ଏ ପର୍ଯ୍ୟନ୍ତ ପାଖାପାଖି ୫୨,୦୦୦ କୋଟି ଟଙ୍କା ଦେଇଛନ୍ତି। ଖନୁଜା କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ତୈଳ କମ୍ପାନୀଙ୍କୁ ପ୍ରତି ୧୪.୨ କେଜି ସିଲିଣ୍ଡରରେ ୭୦୦ ଟଙ୍କା କ୍ଷତି ହେଉଛି।