ଭୁବନେଶ୍ୱର,୧୦/୦୮ ବର୍ଷା ଛାଡ଼ିଲା ଭଳି ଲାଗୁନି। ଦିନେ ଦୁଇଦିନ ସାମାନ୍ୟ କମିପାରେ। ତା'ପରେ ପୁଣି ବଢ଼ିବ। ୧୩ରୁ ଲଗାଣ ବର୍ଷା ରହିବ ରାଜ୍ୟରେ। ବେଶି ବର୍ଷିବ ଉତ୍ତର,ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ। ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବି ଅଜାଡ଼ିବ ପ୍ରବଳ।ଏମିତି ସ୍ଥିତି ଆଣିବ ୧୩ରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ।

ଏପଟେ ଉତ୍ତର ଓଡ଼ିଶାକୁ ବନ୍ୟା ଛାଡ଼ି ଯାଉନାହିଁ। ବୈତରଣୀ,କାଣୀ,ସାଳନ୍ଦୀ ନଦୀର ଜଳସ୍ତର ବଢ଼ି ରବିବାର ରାତିରୁ ପୁଣି ଭଦ୍ରକ,ଯାଜପୁର ଏବଂ କେନ୍ଦ୍ରାପଡ଼ାରେ ବନ୍ୟା ଜଳ ମାଡ଼ିଛି । ଯଦି ଆଗକୁ ଏଭଳି ଲଗାଣ ବର୍ଷା ହୁଏ,ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇପାରେ। ଅନ୍ୟପଟେ ତଳ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ମହାନଦୀ ବି ଫୁଲିପାରେ। ଆଶଙ୍କା-ସମ୍ଭାବ୍ୟ ଲଘୁ ଚାପ ବର୍ଷା ନଦୀ କୂଳ ଅଞ୍ଚଳକୁ ଆହୁରି ବୁଡ଼ାଇବ। ଫସଲକୁ ବରବାଦ କରିଦେବ।

ଲଗାଣ ବର୍ଷାରେ ଘାଇ ହୋଇଥିବା ଅଞ୍ଚଳ ପୁଣି ଜଳମଗ୍ନ ହୋଇପାରେ। ବନ୍ୟା ବିପତ୍ତିରେ ହଜାର ହଜାର ହେକ୍ଟର ଫସଲ ବରବାଦ ହୋଇଛି। ଯେତିକି ଫସଲ ବଞ୍ଚିଯାଇଛି,ତାହା ବି ନଷ୍ଟ ହେବା ଆଶଙ୍କା ରହିଛି। ଚାଷ ଜମି ପାଣିରେ ବୁଡ଼ି ରହିଥିବାରୁ ଧାନ ଫସଲ ପଚିଗଲାଣି। ଗତ ଜୁଲାଇ ୨୮ରୁ ଓଡ଼ିଶାରେ ଦେଖା ଦେଇଥିବା ବନ୍ୟା ସ୍ଥିତି ଏଯାଏଁ ସମ୍ପୂର୍ଣ ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଏବେ ମଧ୍ୟ କେତେକ ଗାଁ ଜଳମଗ୍ନ। ପାଣି ଘେରରେ ଶହଶହ ହେକ୍ଟର ଚାଷ ଜମି। ଫସଲ କ୍ଷୟକ୍ଷତି ଆକଳନ ସରିପାରୁନି। ଗତ ଶୁକ୍ରବାର ସୁଦ୍ଧା ପ୍ରାଥମିକ ରିପୋର୍ଟ ଅନୁସାରେ ୩୭ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା କୁହାଯାଇଥିଲା। ସୋମବାରକୁ ଚୂଡ଼ାନ୍ତ ରିପୋର୍ଟ ଆସିଲେ ପ୍ରଭାବିତ ଫସଲ ପରିମାଣ ଢେର ଅଧିକ ହେବ ବୋଲି କୁହାଯାଉଛି ।

ଗୋଟିଏ ଲଘୁଚାପ ନ ଯାଉଣୁ,ଆଉ ଗୋଟିଏ ଦାନା ବାନ୍ଧିଲାଣି। ବର୍ତ୍ତମାନ ଛତିଶଗଡ଼ ତଥା ଏହାର ସଂଲଗ୍ନ ମଧ୍ୟପ୍ରଦେଶ -ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ଅଛି। ପାଣିପାଗ ବିଭାଗର ପୂର୍ବାନୁମାନ-ଆସନ୍ତା ୧୧ରେ ଉତ୍ତର ବଙ୍ଗୋପସାଗର ଓ ପାଖ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖକୁ ଲଘୁ ଚାପ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୧୩ରୁ ହିଁ ବର୍ଷା ବଢ଼ିଯିବ। ୧୫ ଯାଏଁ ଲଗାଣ ବର୍ଷା ରହିବ। ବେଶି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ।

Also Read :- ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା ? ଲୋକସଭାରେ ପ୍ରାଇଭେଟ୍ ବିଲ୍ ଆଣିଲେ ବିଜେପି ସାଂସଦ

ପାଣିପାଗ ବୈଜ୍ଞାନିକ ବିଶ୍ଵଜିତ ସାହୁଙ୍କ କହିବାନୁସାରେ ୧୩-୧୪ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ମୁହାଁ ହେବ। ଏହି ସମୟରେ ସୃଷ୍ଟି ହେଉଥିବା ଲଘୁଚାପର ଦକ୍ଷିଣ ଓ ପଶ୍ଚିମ ପଟକୁ ଅଧିକ ବର୍ଷା ହୋଇଥାଏ । ଉତ୍ତର ଓଡ଼ିଶା ଓ ଏହାର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସଂଲଗ୍ନ ଉପକୂଳ ଓଡ଼ିଶାରେ ୧୩ରୁ ୧୫ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ସେହିପରି ୧୪ରୁ ପଶ୍ଚିମ ପଟେ ବି ବର୍ଷା ବଢ଼ିବା ସମ୍ଭାବନା ଅଛି। ପଶ୍ଚିମ ଓଡ଼ିଶା ଏବଂ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ୧୫-୧୬ ତାରିଖ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ। ସକାଳବେଳା ଗୁଳୁଗୁଳି ଅଧିକ ରହିପାରେ।