ନୂଆଦିଲ୍ଲୀ: ୧୩ କିମ୍ବା ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ କଟକଣାକୁ ନେଇ ବିତର୍କ ଭିତରେ ଲୋକସଭାର ଏକ ପ୍ରାଇଭେଟ୍ ବିଲ୍ ସୂଚୀବଦ୍ଧ ହୋଇଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଗୃହରେ ଏକ ପ୍ରାଇଭେଟ୍ ବିଲ୍ (Private Member's Bill) ତାଲିକାଭୁକ୍ତ କରାଯାଇଥିଲା । ବିଲରେ ଏହାର ଆଇନଗତ ଆଭିମୁଖ୍ୟ କିପରି ହୋଇପାରେ ସେ ସମ୍ପର୍କରେ ସୂଚନା ରହିଛି ।

'ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟସ ଫର୍ ଲିଟିଲ୍ ଡିଜିଟାଲ-ନେଟିଭ୍ସ (ସିଲ୍ଡ) ବିଲ୍, ୨୦୨୫' ଅଗଷ୍ଟ ୭ରେ ତାଲିକାଭୁକ୍ତ ହୋଇଥିଲା, ମାତ୍ର ସଂସଦର ଉଭୟ ଗୃହ ବୈଠକ ମୁଲତବୀ ହୋଇଯିବାରୁ ଏହା ଆଗତ ହୋଇପାରି ନ ଥିଲା ।

'ଦ ହିନ୍ଦୁ'ର ରିପୋର୍ଟ ଅନୁସାରେ ବୈଜୟନ୍ତ ପଣ୍ଡା କହିଛନ୍ତି, "ବିଭିନ୍ନ ଅଧ୍ୟୟନରୁ ଏହା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇସାରିଛି ଯେ ଅନେକ ସୋସିଆଲ ମିଡିଆ ଆଲଗୋରିଦମ କେବଳ ନିଶା ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଏହା କୌଣସି ପ୍ରସଙ୍ଗର ସବୁ ଦିଗ ଉପରେ ଆଲୋକପାତ କରିବା ପରିବର୍ତ୍ତେ ସଂକୀର୍ଣ୍ଣ ଏବଂ ଅତିବାଦୀ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିଥାଏ ।"

ବିଜେପି କହିଛନ୍ତି, "ବିଶେଷ କରି କମ୍ ବୟସର କିଶୋର-କିଶୋରୀ ଏବଂ ଶିଶୁମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ" । ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ସ୍ୱୀକାର କରିଛନ୍ତି ଏବଂ ଅନେକ ଦେଶ ନାବାଳକ, ବିଶେଷକରି ୧୬ କିମ୍ବା ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏହି ବିଷୟରେ ଗମ୍ଭୀର ଅଛନ୍ତି । ସେ କହିଛନ୍ତି, "ସବୁ ଷ୍ଟେକହୋଲ୍ଡରଙ୍କ ସହ ବ୍ୟାପକ ଆଲୋଚନା ପରେ ମୁଁ ବର୍ଷକ ପୂର୍ବରୁ ଏହି ଉଦ୍ଦେଶ୍ୟରେ ଏକ ପ୍ରାଇଭେଟ୍ ବିଲ୍ ପ୍ରସ୍ତୁତ କରିଥିଲି।"

ଏହି ବିଲ୍ରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ୧୩ ବର୍ଷରୁ କମ୍ ବୟସର କୌଣସି ଶିଶୁ ଅଭିଭାବକଙ୍କ ସମ୍ମତି ବିନା କୌଣସି ସୋସିଆଲ ମିଡିଆ କିମ୍ବା ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିପାରିବେ ନାହିଁ । ପ୍ରତ୍ୟେକ ଇଣ୍ଟରମିଡିଆରୀ ଅଭିଭାବକଙ୍କ ପାଇଁ 'ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଡ୍ୟାସବୋର୍ଡ' ଯୋଗାଇଦେବେ, ଯାହା ଦ୍ୱାରା ଅଭିଭାବକମାନେ କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ ।

କୌଣସି ଅଭିଭାବକଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା କୌଣସି କ୍ଷତିକାରକ କଣ୍ଟେଣ୍ଟକୁ ସଂସ୍ଥା ଦ୍ୱାରା ଗୁରୁତ୍ୱ ସହ ଯାଞ୍ଚ କରାଯିବ । ଅଭିଯୋଗ ମିଳିବାର ୩୬ ଘଣ୍ଟା ମଧ୍ୟରେ ଏବଂ ଯଦି ଏହା ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ ହୋଇଥାଏ, ତେବେ ୨୪ ଘଣ୍ଟା ମଧ୍ୟରେ ହଟାଯିବ । ପ୍ରତ୍ୟେକ ଆପ୍ଲିକେସନ୍ରେ 'Report Child Harm' ନାଁରେ ଏକ ବଟନ୍ ରହିବ, ଯାହା ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ।

ଏହି ଆଇନରେ ଉଲ୍ଲଂଘନକାରୀ ପ୍ଲାଟଫର୍ମ ଉପରେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ । ବାରମ୍ବାର ନିୟମ ଉଲ୍ଲଂଘନ କଲେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ର ଧାରା ୬୯ (ଏ)ର ପ୍ରାବଧାନ ଅନୁଯାୟୀ ସଂପୃକ୍ତ ସେବାକୁ ସସପେଣ୍ଡ କିମ୍ବା ବ୍ଲକ୍ କରାଯିବ ।

ଅବହେଳା ଯୋଗୁଁ ବିଶେଷ କରି ଶିଶୁ ସୁରକ୍ଷା କିମ୍ବା ବିଷୟବସ୍ତୁ ହଟାଇବା ଦାୟିତ୍ୱ ଗ୍ରହଣ କରିବାରେ ବିଫଳ ହେଉଥିବା ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ । ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, ୧୦ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

ସାମାଜିକ ଗଣମାଧ୍ୟମର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶ୍ୱର ଅନେକ ଦେଶ କଠୋର ପଦକ୍ଷେପ ନେଇଛନ୍ତି । ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ । ଇଣ୍ଡୋନେସିଆ, ତୁର୍କୀ ଏବଂ ବ୍ରାଜିଲ ଭଳି ଦେଶ ମଧ୍ୟ କଠୋର ନିୟମ ଲାଗୁ କରିଛନ୍ତି ଏବଂ ୨୦ରୁ ଅଧିକ ଦେଶ ଏହି ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।