କେନ୍ଦ୍ରାପଡ଼ା: ପବିତ୍ର ବଳଭଦ୍ର ଜନ୍ମ ଓ ରାଖୀ ପୂର୍ଣ୍ଣିମା ଅବସରରେ ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜିଉ ଗହ୍ମା ଅଭିଷେକ ଓ ଜନ୍ମ ଅଭିଷେକ ବେଶରେ ଦର୍ଶନ ଦେଇଛନ୍ତି। ଶ୍ରୀବଳଭଦ୍ରଙ୍କ ଜନ୍ମଭିଷେକ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଥିଲା। ମନ୍ଦିରକୁ ରଙ୍ଗିନ ଆଲୋକମାଳା ଓ ପୁଷ୍ପରେ ସଜାଯାଇଥିଲା । ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା।

ସକାଳ ସାଢ଼େ ୫ଟାବେଳେ ଶ୍ରୀଜିଉଙ୍କର ପହୁଡ଼ ଫିଟାଯାଇ ପ୍ରଥମେ ମଙ୍ଗଳା ଆଳତି, ନୀତି ସ୍ନାନ ଏବଂ ଗୋପାଳବଲ୍ଲଭ ଧୂପ ବଢ଼ିଥିଲା। ୧୦ଟା ସୁଦ୍ଧା ଖେଚୁଡ଼ି ଧୂପ ଅନୁଷ୍ଠିତ ହୋଇଥିଲା। ପରେ ୩ ପଣ୍ଡାମାନେ ମହାପ୍ରଭୁଙ୍କୁ ବଡ଼ ଚିତା ଲାଗି କରାଇ ନୂତନ ଅଙ୍ଗବସ୍ତ୍ର, ପୁଷ୍ପମାଳରେ ସଜ୍ଜିତ କରିଥିଲେ। ତା' ପରେ ମୋଡ଼ା ମଉଳି ବେଶରେ ସଜ୍ଜିତ କରାଯାଇଥିଲା।

ତୁଳସୀରେ ସଜେଇ ହୋଇଥିଲେ ଶ୍ରୀଜିଉ । ପରେ ପରେ ୩ ଠାକୁରଙ୍କୁ କାଠିମୁକୁଟ ଲାଗି କରାଯାଇ ଗହ୍ମା ଅଭିଷେକ ଓ ଜନ୍ମ ଅଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପୁରୀରୁ ଭଉଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରିତ ୨ଟି ପାଟରାଖୀ ଶ୍ରୀଜିଉମାନଙ୍କୁ ଅର୍ପଣ କରାଯାଇଥିଲା। ଏହା ପରେ ମହାପ୍ରଭୁଙ୍କ ଅଙ୍ଗଲାଗି ସେବାୟତମାନେ ଏକଲକ୍ଷ ତୁଳସୀ ଅର୍ପଣ କରିଥିଲେ। ନୀତିକାନ୍ତି ମଧ୍ୟରେ ତୁଳସୀ ଚଉରା ଆଗରେ ଯଜ୍ଞାଦି ଶୁଭକାର୍ଯ୍ୟ ଆରମ୍ଭ ହୋଇଥିଲା।

ଦ୍ବିପ୍ରହର ଧୂପ ନୀତି ବଢ଼ିଲା ପରେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ହୋମଯଜ୍ଞ ପୂଜାପଣ୍ଡାଙ୍କ ଦ୍ୱାରା ସଂକଳ୍ପ କରାଯାଇଥିଲା । ଏହା ପରେ ମନ୍ଦିର ପୁରୋହିତ ଓ ରାଜପୁରୋହିତମାନଙ୍କ ଦ୍ବାରା ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ଯଜ୍ଞନୁଷ୍ଠାନ ସରିଲା ପରେ ମହାପ୍ରଭୁଙ୍କ ଶ୍ରୀଛାମୁରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପିଠା ଓ ଖିରି ଭୋଗ ମଣୋହି ହେଲା ପରେ ଶ୍ରୀଜିଉଙ୍କ ରାତ୍ରଧୂପ ବଢ଼ିଥିଲା।

also read-ଆଜି ମିଳିବ 'ସୁଭଦ୍ରା' ଟଙ୍କା : ଚେକ୍ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍

ପରେ ଶ୍ରୀଜିଉଙ୍କର ବେଶ ଉଲାଗି କରାଯାଇ ବଡ଼ସିଂହାର ନୀତି ସମ୍ପନ୍ନ କରାଯାଇଥିଲା। ଏହା ପରେ ପଲଙ୍କ ଲାଗି କରାଯାଇ ପହୁଡ଼ ଲାଗି ହୋଇଥିଲା। ଟ୍ରଷ୍ଟବୋର୍ଡ ସଭାପତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସଭ୍ୟ ପୂର୍ବତନ ପୌରାଧ୍ଯକ୍ଷ ଧୀରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ହୃଷିକେଶ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।