ବାଂଶପାଳ: ଖାଇବାକୁ ନ ଦେବାରୁ ଉତ୍ତ୍ୟକ୍ତ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଆଉ ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଲା ।  ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା ଅନ୍ତର୍ଗତ କୁଶକଳା କାଳିଆଡ଼ିହି ସାହିରେ । ମୃତକ ହେଲେ ମେଂଜତି ମୁଣ୍ଡା । ପୋଲିସ ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାଳିଆଡ଼ିହି ସାହିର ଗଲୁ ମୁଣ୍ଡା ମଙ୍ଗଳବାର ଦିନବେଳା କାମକୁ ଯାଇ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ହେଲେ ଘରକୁ ଫେରିବା ପରେ ସେ ସ୍ତ୍ରୀ ମେଂଜତିଙ୍କୁ ଖାଇବାକୁ ମାଗିଥିଲେ। ତେବେ ସ୍ତ୍ରୀ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବାରୁ ଉଭୟଙ୍କ ମଧ୍ୟରେ ହଠାତ୍‌ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ବଚସା ହୋଇଥିଲା।

Also Read: ଘରୋଇ ବସ୍ ଧକ୍କାରେ ସାଇକେଲ ଆରୋହୀ ମୃତ, ଭାରସାମ୍ୟ ହରାଇ ବିଲକୁ ଖସିଲା ବସ୍

ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ଗଲୁ ହିତାହିତ ଜ୍ଞାନ ହରାଇ ବସିଥିଲେ । ଆଉ ସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସ୍ୱାମୀ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ଫିଙ୍ଗି ଦେଇଥିଲେ।

ତେବେ ହତ୍ୟାକାଣ୍ଡର ୪ ଦିନ ପରେ ଶୁକ୍ରବାର ମୃତକଙ୍କ ପୁଅ ଏହି ଘଟଣା ସମ୍ପର୍କରେ ନୟାକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ନୟାକୋଟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାଙ୍କୁ ପୋଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।