ଜଗତସିଂହପୁର: ବେଆଇନ ବାଣ କାରବାର ହେଉଥିବା ସୂଚନା ପାଇବା ପରେ ତିର୍ତ୍ତୋଲ ପୋଲିସର ବଡ଼ଧରଣର ଚଢ଼ାଉ। ଏହି ଚଢ଼ାଉରେ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବାଣ ଜବତ କରିଛି ପୋଲିସ। ତେବେ ପୋଲିସ ଚଢ଼ାଉ ସମୟରେ ଗୋଦାମ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ସାଇଲୋ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ ଫର୍ଣ୍ଣିଚର କାରଖାନା ଭିତରେ ବେଆଇନ ଭାବେ ବାଣ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହି ଖବରକୁ ଆଧାର କରି ତିର୍ତ୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ହଠାତ୍ ଉକ୍ତ କାରଖାନା ଉପରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ କୌଣସି ବୈଧ ଲାଇସେନ୍ସ କିମ୍ବା ଆବଶ୍ୟକୀୟ ଅନୁମତି ନଥାଇ ଗଚ୍ଛିତ ରଖାଯାଇଥିବା ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବାଣ ଜବତ କରାଯାଇଥିଲା। ତେବେ ପୋଲିସ ଚଢ଼ାଉର ସୂଚନା ପାଇ ଫର୍ଣ୍ଣିଚର କାରଖାନାର ମାଲିକ ସୁବାଶିଷ ବସନ୍ତିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Also Read: ମୋରଡ଼ାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ମହୁଲ ପୋଚ ନଷ୍ଟ

ଏହି ଘଟଣାରେ ତିର୍ତ୍ତୋଲ ପୋଲିସ କେସ୍ ନମ୍ବର ୪୭୬/୨୬ରେ ମାମଲା ରୁଜୁ କରିଛି। ଏଥିସହ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଫର୍ଣ୍ଣିଚର କାରଖାନାକୁ ସିଲ୍ କରାଯାଇଛି। ଫେରାର ମାଲିକଙ୍କୁ ଧରିବା ସହ ବେଆଇନ ବାଣ କାରବାରର ଚେର ଖୋଜିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏନେଇ ତିର୍ତ୍ତୋଲ ଏସ୍ଡିପିଓ ଅଜୟ ଦାସ ସୂଚନା ଦେଇଛନ୍ତି।