ବେଙ୍ଗାଲୁରୁ: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ସକାଳେ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଛି। ଲଣ୍ଡନ ଯାଉଥିବା ଭର୍ଜିନ ଆଟଲାଣ୍ଟିକ୍ ର ଏକ ଉଡାଣକୁ ବୈଷୟିକ ତ୍ରୁଟି ଯୋଗୁ ଏମାର୍ଜେନ୍ସୀ ଲ୍ୟାଣ୍ଡିଂ କରିବାକୁ ପଡିଛି। ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ (ବିଆଇଏଏଲ) ଅଧିକାରୀକ ସୂତ୍ର ଅନୁସାରେ ବୋଇଂ ବିମାନରେ ଥିବା ସମସ୍ତ ୨୭୦ ଜଣ ଯାତ୍ରୀ ଓ ଚାଳକଦଳ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଭର୍ଜିନ ଆଟଲାଣ୍ଟିକ୍ ଫ୍ଲାଇଟ୍ ପୂର୍ବାହ୍ନ ୮ଟା ୨୦ ମିନିଟ୍ ରେ ଲଣ୍ଡନ ଯିବା ଲାଗି ବେଙ୍ଗାଲୁରୁରୁ ଟେକଅଫ କରିଥିଲା। ତେବେ ବିମାନ ଆକାଶକୁ ଉଠିବାମାତ୍ରେ ଚାଳକ ଦଳ ବିମାନରେ ବୈଷୟିକ ତ୍ରୁଟି ଅନୁମାନ କରିଥିଲେ। ଏଣୁ ସୁରକ୍ଷାଦୃଷ୍ଟିରୁ ପାଇଲଟ ବିଳମ୍ବ ନ କରି ସତର୍କତା ପଦକ୍ଷେପ ନେବା ସହିତ ପୁଣି ବିମାନ ବନ୍ଦରକୁ ଫେରିବା ନିଷ୍ପତ୍ତି ନେଇଥିଲେ। ଲ୍ୟାଣ୍ଡିଂ ଲାଗି ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ପର୍ଯ୍ୟନ୍ତ ଓ ମାନକ ପ୍ରୋଟକଲ ପାଳନ କରିବା ଉଦ୍ଦେଶ୍ୟରେ ବିମାନକୁ ବେଙ୍ଗାଲୁରୁ ଫେରାଇ ନେବା ପୂର୍ବରୁ ପାଇଲଟ ତୁମକୁରୁ ଆକାଶରେ ଅଧଘଣ୍ଟା ବୁଲାଇଥିଲେ। ଏହା ପରେ ବିମାନ କେମ୍ପେଗୌଡା ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଯାଇଛି।

ଏହି ଘଟଣାକୁ ନେଇ ଭର୍ଜିନ ଆଟଲାଣ୍ଟିକ୍ ପକ୍ଷରୁ ବୟାନକୁ ଅପେକ୍ଷା କରାଯାଇଛି। ଅନ୍ୟପଟେ ବିମାନ ବନ୍ଦର କର୍ମଚାରୀ ବିମାନରେ ଦେଖାଦେଇଥିବା ବୈଷୟିକ ତ୍ରୁଟିର ସଠିକ କାରଣ ଜାଣିବାକୁ ଉଦ୍ୟମ ଚଳାଇଛନ୍ତି।