ପୁରୀ : କୁନି ପିଲାଟି ... କଅଁଳ ମନରେ ବଡ଼ ବଡ଼ କଥା ବୁଝେନି। ଖାଲି ଏତିକି ବୁଝିଛି କାଳିଆ ତା ସଖା, ତାର ସବୁକିଛି। ସେଥିପାଇଁ ଏ ବିୟସରେ ସବୁ କିଛି ତୁଚ୍ଛ କରି ସେ ଜଗାର ସରଣରେ। ଭକ୍ତି କଣ ଭଲରେ ବୁଝିନି। ତଥାପି ଜଗା କଥା ଭାବି ଓଠରେ ହସ। ଆଖିରେ ସେ ଭକ୍ତିକୁ ବୁଝିବାର ଇଚ୍ଛା । ବେଶଭୂସା କଥା ତ ନ କହିବା ଭଲ। ପୂରା କୁନି ପଣ୍ଡା ପରି। ଧୋତି କୁର୍ତ୍ତାକୁ ବେକରେ ଉତ୍ତରି। ମୁଣ୍ଡରେ ଚିତା ଚଇତନୀ। ଗଳାରେ ତୁଳସୀ ମାଳା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ର ପୁରୀରେ।

ଇଏ ହେଉଛନ୍ତି ମହାପ୍ରଭୁଙ୍କ କୁନି ଭକ୍ତ ବଦ୍ରି ନାରାୟଣ ନାୟକ। ବୟସ ମାତ୍ର ୪ବର୍ଷ ଦୁଇ ମାସ। ମହାପ୍ରଭୁଙ୍କ ପ୍ରତି ତାଙ୍କର ରହିଛି ସମର୍ପିତ ମନୋଭାବ। ତୁଣ୍ଡରେ ଜୟ ଜଗନ୍ନାଥ ଏବଂ ହରେ କୃଷ୍ଣ, ହରେ ରାମ ଉଚ୍ଚାରଣ। କୁନି ପିଲାଟିରେ ଏ ଭକ୍ତିଭାବ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଗଞ୍ଜାମ ବେଗୁନିଆ ପଡ଼ାର ସୁଶାନ୍ତ ନାୟକ ଓ ଲିଜା ନାୟକଙ୍କ ଏକମାତ୍ର ପୁଅ ବଦ୍ରି ନାରାୟଣ। ବଦ୍ରି ୭ମାସର ଥିବା ସମୟରେ ତାଙ୍କ ପରିବାର ଲୋକଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁଅକୁ ଠାକୁରଙ୍କ ପାଖରେ ପରିବାର ଲୋକେ ସମର୍ପି ଦେଇଥିଲେ। ଏବେ ଦୁଇବର୍ଷ ହେବ ପୁରୀର ରାଧା ଦାମୋଦର ଗୌଡିଆ ମଠରେ ଦିକ୍ଷା ନେଇଛନ୍ତି ବଦ୍ରି। ପୁରୀରେ ବଦ୍ରିଙ୍କୁ ଦେଖି ଅନ୍ୟ ଭକ୍ତଙ୍କ ଖୁସି କହିଲେ ନ ସରେ।

ହେ ଜଗା, ତୁ ପରା ବିଶ୍ୱ ନିୟନ୍ତା, ଜଗତର ନାଥ, ଭାବର ଠାକୁର । ସେଥିପାଇଁ ତ ରାତି ପାହିଲେ ତୋ ଦୁଆରକୁ ଛୁଟୁଛି ଭକ୍ତଙ୍କ ସୁଅ। କ'ଣ କିମିଆ କରିଛୁ କେଜାଣି ଏହି କୁନି ଭକ୍ତ ବି ଏବେ ତୋରି ପ୍ରେମରେ। ଦୁନିଆ କଣ ଭଲରେ ବୁଝିନି ହେଲେ ବୁଝି ସାରିଲାଣି ତୋରି ଭାବକୁ। କି ଯାଦୁ କରିଛୁ କେଜାଣି ସମସ୍ତଙ୍କ ପ୍ରେମକୁ ଆବୋରି ବସିଛୁ। ଏହି କୁନି ଭକ୍ତ ଉପରେ ତୋର କୃପା ସବୁବେଳେ ଥାଉ ଏତିକି କାମନା।

Also Read- ମେ ୨୦ରେ ବନ୍ଦ ହେବ ସବୁ ମେଡିସିନ ଦୋକାନ, ଜାରି ହେଲା ୭ ସୂତ୍ରୀ ଗାଇଡଲାଇନ୍