କଣ୍ଟାବାଞ୍ଜି ୨୯।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଦେଢ଼ଗାଁର ବହୁଚର୍ଚ୍ଚିତ ରୋଖଡ଼ ଥପା ହତ୍ୟାକାଣ୍ଡ ମାମଲାରେ ଆସିଛି ବଡ଼ ରାୟ । ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ମୃତକଙ୍କ ଭାଇବୋହୂ ଜୟନ୍ତୀ ଥପା ଓ ତାଙ୍କ ପ୍ରେମିକଙ୍କ ସମେତ ମୋଟ୍ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ । ଏଥିସହ ପ୍ରତ୍ୟେକ ଦୋଷୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ହୋଇଛି ।

ସୂଚନା ଅନୁଯାୟୀ, ୨୧ ଡିସେମ୍ବର ୨୦୨୩ ରାତିରେ ରୋଖଡ଼ ଥପା ନିଜ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଲୁହା ରଡ୍‌ରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସିନ୍ଧେକେଲା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ପୋଲିସର ତଦନ୍ତ ଅନୁସାରେ, ମୃତକଙ୍କ ଭାଇବୋହୂ ଜୟନ୍ତୀ ଥପା ନିଜ ପ୍ରେମିକ ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ।

​​​​​​​

Also Read:- କଟକ ଗଣେଶଘାଟ ଗୋଷ୍ଠୀ ସଂଘର୍ଷ ମାମଲାରେ ଆଉ ୧୩ ଗିରଫ, ଆଇନମନ୍ତ୍ରୀ କହିଲେ- ଅପରାଧକୁ ନାହିଁ ପ୍ରଶ୍ରୟ

ଏହି ମାମଲାର ବିଚାର ସମୟରେ ହତ୍ୟାରେ ବ୍ୟବହୃତ ଲୁହା ରଡ୍‌, ପୋଲିସ ଜବତ କରିଥିବା ଅନ୍ୟାନ୍ୟ ପ୍ରମାଣ ଏବଂ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଶେଷରେ ସମସ୍ତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଶୁଣାଇଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ ।