ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର(ଜିଏସଟି) ବ୍ୟବସ୍ଥା ଅଧିନରେ ପଞ୍ଜିକୃତ ବ୍ୟବସାୟଗୁଡିକ ୧ ଡିସେମ୍ବର ୨୦୨୬ରୁ ଅନେକ ପ୍ରକ୍ରିୟାରେ ପରିବର୍ତ୍ତନ ଅନୁଭବ କରିବେ। ସଂଶୋଧିତ ନିୟମ ଗୁଡିକ ଜିଏସଟି ପଞ୍ଜିକରଣ ବାତିଲକୁ ସରଳ କରିବ, ଯୋଗ୍ୟ ଛୋଟ ବ୍ୟବସାୟ ଗୁଡିକୁ ସେମାନଙ୍କର ମୁଖ୍ୟ ବ୍ୟବସାୟ ଠିକଣା ଅନଲାଇନରେ ଅପଡେଟ୍ କରିବାକୁ ଅନୁମତି ପାଇପାରିବ ଓ ଏକ ସଂଶୋଧିତ ରିଫଣ୍ଡ ଆବଦେନ ଫର୍ମ ପ୍ରଚଳନ ହେବ। ଏହି ପରିବର୍ତ୍ତନଗୁଡିକର ଉଦ୍ଦେଶ୍ୟ ଅନୁପାଳନକୁ ସରଳ କରିବା, ଅନଲାଇନ ସେବାଗୁଡିକୁ ଉନ୍ନତ କରିବା ଓ ବ୍ୟବସାୟୀଙ୍କୁ ବାରମ୍ବାର ଟିକସ କାର୍ଯ୍ୟାଳୟ ଯିବାର ଆବଶ୍ୟକତାକୁ ହ୍ରାସ କରିବ।

ଏହା ସତ୍ତ୍ୱେ କମ୍ପାନୀମାନଙ୍କୁ ସେମାନଙ୍କ ସଠିକ ରେକର୍ଡ ବଜାୟ ରଖିବାକୁ, ବକେୟା ଦେୟ ପୈଠ କରିବାକୁ ଓ ଜିଏସଟି ସମ୍ପର୍କିତ ସମସ୍ତ ନିୟମ ପାଳନ କରିବାକୁ ପଡିବ। ନକଲୀ ପଞ୍ଜିକରଣ ଓ କେବେ ହୋଇନଥିବା ଯୋଗାଣ ରିପୋର୍ଟ କରି ନକଲୀ ଇନଭଏସ୍ ଜାରି କରୁଥିବା ବ୍ୟବସାୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଇ-ଇନଭଏସ ଓ ଜିଏସଟି ସମ୍ବଦ୍ଧୀୟ ଆହୁରି ଅନେକ ପରିବର୍ତ୍ତନ ୧ ଜାନୁୟାରୀ ୨୦୨୭ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ସହଜ ହେବ ଜିଏସଟି ରେଜିଷ୍ଟ୍ରେସନ କ୍ୟାନସଲେସନ ପ୍ରକ୍ରିୟା
ଡିସେମ୍ବର ୧ ତାରିଖରୁ ଯୋଗ୍ୟ ବ୍ୟବସାୟ ଗୁଡିକ ଏକ ସରଳିକୃତ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ଜିଏସଟି ପଞ୍ଜିକରଣ ବାତିଲ ପାଇଁ ଆବେଦନ କରିପାରିବେ। ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ ଯେଉଁ ବ୍ୟବସାୟ ଗୁଡିକ ସେମାନଙ୍କ ବିଚାରାଧୀନ ଜିଏସଟି ରିଟର୍ଣ୍ଣ ପୁରଣ କରିଛନ୍ତି ଏବଂ ସମସ୍ତ ବକେୟା ପରିଷୋଧ କରିଛନ୍ତି ସେମାନଙ୍କ ଆବେଦନଗୁଡିକ ଜିଏସଟି ପୋର୍ଟାଲ ମାଧ୍ୟମରେ ସ୍ୱୟଂକ୍ରିୟ ଭାବେ ପ୍ରକ୍ରିୟାକରଣ କରାଯିବ। ବର୍ତ୍ତମାନ ବାତିଲକରଣ ଅନୁରୋଧ ଗୁଡିକ ଲାଗି ପ୍ରାୟତଃ ଜଣେ ଟିକସ ଅଧିକାରୀଙ୍କ ଠାରୁ ଅନୁମୋଦନ ନେବାକୁ ପଡିବ। ସରଳିକୃତ ପ୍ରକ୍ରିୟା ପାଇଁ ଯୋଗ୍ୟ ହେବା ନିମନ୍ତେ ନିମ୍ନ ଆବଶ୍ୟକତା ପୂରଣ କରିବାକୁ ପଡିବ।

  • ସମସ୍ତ ବିଚାରାଧୀନ ଜିଏସଟି ରିଟର୍ଣ୍ଣ ଫାଇଲ କରନ୍ତୁ
  • ବକେୟା ଥିବା ଟିକସ ପୈଠ କରନ୍ତୁ
  • ପ୍ରଯୁଜ୍ୟ ସୁଧ, ଲେଟ ଫି ଏବଂ ଜରିମନା କ୍ଲିୟର କରନ୍ତୁ

ଯେଉଁ ଆବେଦନ ଏହି ଆବଶ୍ୟକତା ଗୁଡିକୁ ପୂରଣ କରୁନଥିବ ସେଗୁଡିକୁ ପରବର୍ତ୍ତି ଯାଞ୍ଚ ଲାଗି ଜଣେ ଟିକସ ଅଧିକାରୀଙ୍କ ନିକଟକୁ ପଠାଯିବ। କ୍ୟାନସଲେସନ ଆପ୍ଲିକେସନ ଲାଗି GST REG-16 ଫର୍ମ ଅପଡେଟ କରାଯାଇଛି। ଅପଡେଟ ହୋଇଥିବା ଫର୍ମ ଅନୁଯାୟୀ ଆବେଦନକାରୀମାନେ ଷ୍ଟକ୍, ଅଧାତିଆରି ସାମଗ୍ରୀ ଏବଂ ସମସ୍ତ ଉତ୍ପାଦ ସହିତ ଜଡିତ ଇନ-ପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ରିଭର୍ସଲ୍ସ ବିଷୟରେ ବିବରଣୀ ପ୍ରଦାନ କରିପାରିବେ। ସଂଶୋଧିତ ଆବେଦନରେ କ୍ୟାପିଟାଲ ଗୁଡସ୍ ସମ୍ପର୍କିତ ଆଇଟିସି ରିଭର୍ସାଲ ରିପୋର୍ଟିଂ ପ୍ରୋଭିଜନ ମଧ୍ୟ ସାମିଲ ରହିଛି। ଏହା ସହିତ ବ୍ୟବସାୟମାନେ ସେମାନଙ୍କ ଶେଷ ରିଟର୍ଣ୍ଣ ଦାଖଲ ଏବଂ ବାତିଲ ତାରିଖ ମଧ୍ୟରେ ସମୟ ପାଇଁ ‘ନିଲ୍’ ରିଟର୍ଣ୍ଣ ରିପୋର୍ଟ କରିପାରିବେ। ଯଦିଓ ଜିଏସଟି ପଞ୍ଜିକରଣ ବାତିଲ ହେବ ଏହା ଦ୍ୱାରା କୌଣସି ପୂର୍ବ ଟିକସ ଦାୟିତ୍ୱ ଦୂର ହେବ ନାହିଁ। ବ୍ୟବସାୟଙ୍କୁ ପୂର୍ବ ଟିକସ ଅବଧିରୁ ବକେୟା ଦେୟ ପୈଠ କରିବାକୁ ପଡିବ।

ଛୋଟ ବ୍ୟବସାୟ ଅନଲାଇନରେ ଠିକଣା ଅପଡେଟ କରିପାରିବେ
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନିୟମ ୧୪-ଏ ଅଧିନରେ ପଞ୍ଜିକୃତ ଛୋଟ ବ୍ୟବସାୟଗୁଡିକୁ ଏକ ସରଳିକୃତ ପ୍ରକ୍ରିୟା ଲାଭାନ୍ୱିତ କରିବ। ଯୋଗ୍ୟ କରଦାତା ପୂର୍ବପରି ବ୍ୟକ୍ତିଗତ ପ୍ରକ୍ରିୟା ଦେଇ ନ ଯାଇ ଅନଲାଇନରେ ସେମାନଙ୍କ ବ୍ୟବସାୟ ମୁଖ୍ୟ ସ୍ଥାନର ଠିକଣା ପରିବର୍ତ୍ତନ ଲାଗି ଅନୁମତି ପାଇବେ। ଏହି ବୈଶିଷ୍ଟ୍ୟ ଛୋଟ ବ୍ୟବସାୟ ପାଇଁ ଅନୁପାଳନକୁ ସରଳ କରିବ ବୋଲି ଆଶା କରାଯାଉଛି। ତଥାପି ବ୍ୟବସାୟଗୁଡିକୁ ନିଶ୍ଚିତ କରିବାକୁ ପଡିବ ଯେ ଅପଡେଟ ହୋଇଥିବା ଠିକଣା ସୂଚନା ସଠିକ୍ ଓ ସମସ୍ତ ଆବଶ୍ୟକୀୟ ସହାୟକ ଡକ୍ୟୁମେଣ୍ଟ ଦାଖଲ କରାଯାଇଛି।

ରିଫଣ୍ଡ ପାଇଁ ପୁରଣ କରିବାକୁ ହେବ ଜିଏସଟି ଆରଏଫଡି-୦୧ ରିଫଣ୍ଡ ଫର୍ମ
ଜିଏସଟି ରିଫଣ୍ଡ ନିମନ୍ତେ ଆବେଦନ କରିବାକୁ ଥିବା ବ୍ୟବସାୟଙ୍କୁ ୧ ଡିସେମ୍ବର ୨୦୨୬ରୁ ରିଭାଇଜଡ୍ ଫର୍ମ ଜିଏସଟି ଆରଏଫଡି-୦୧ଫର୍ମ ଉପଯୋଗ କରିବାକୁ ପଡିବ। ଅପଡେଟେଡ ଆପ୍ଲିକେସନରେ ଅଧିକ ବିସ୍ତୃତ ସୂଚନା ଏକତ୍ର କରାଯିବ ଓ ଆଉ ଦୁଇଟି ରିଫଣ୍ଡ କ୍ୟାଟଗରୀ ଆରମ୍ଭ କରାଯିବ। ଜିଏସଟି ରିଫଣ୍ଡ ଆପ୍ଲିକେସନ ଦାଖଲ କରିବା ପୂର୍ବରୁ ବ୍ୟବସାୟକୁ ନିଜର ଇନଭଏସ୍, ଏଚଏସଏନ କୋଡ, ଆଇଟିସି ରେକର୍ଡ ଓ ଅନ୍ୟ ସପୋର୍ଟିଂ ପେପର ୱାର୍କ ଦେଖିନେବା ଆବଶ୍ୟକ। ପୁରା ସୂଚନା ନଥିବା ଓ ଅସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ ଯୋଗୁ ରିଫଣ୍ଡ ପ୍ରୋସେସରେ ବିଳମ୍ବ ହୋଇପାରେ।

ଏହି ସବୁ ହେବାକୁ ଥିବା ପରିବର୍ତ୍ତନ କାରଣରୁ ବ୍ୟବସାୟକୁ ନିଜର ଆକାଉଣ୍ଟିଂ ସଫ୍ଟୱେର, ବିଲିଂ ସିଷ୍ଟମ ଓ ଇଣ୍ଟରନାଲ କମ୍ପ୍ଲାୟାଂସ ପ୍ରୋସେସରେ ପରିବର୍ତ୍ତନ କରିବାକୁ ପଡିପାରେ। ଯେଉଁ କମ୍ପାନୀମାନେ ସଫ୍ଟୱେର ଆଧାରିତ ଇନଭଏସିଂ ଓ ଆକଉଣ୍ଟିଂ ଉପରେ ନିର୍ଭରଶୀଳ ସେମାନଙ୍କୁ ନିଜ ସିଷ୍ଟମ ପୂର୍ବରୁ ରିଭ୍ୟୁ କରିନେବା ଦରକାର ଏହା ଦ୍ୱାରା ସେମାନେ ପରିବର୍ତ୍ତିତ ପରିସ୍ଥିତି ଲାଗି ପ୍ରସ୍ତୁତ ବୋଲି ସ୍ପଷ୍ଟ ହୋଇ ପାରିବେ।