ନୂଆଦିଲ୍ଲୀ-; ଭୋଜପୁରୀ ସିନେମାର ପାୱାର ଷ୍ଟାର ତଥା ଏମ୍ଏଲ୍ସି ପୱନ ସିଂହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ନିଜ ପରିବାର ଓ ବଂଶ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଷ୍ଟୋରିରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ପୱନ ଏହି କଥା ଜଣାଇଛନ୍ତି। ତାଙ୍କର ଏଭଳି ପୋଷ୍ଟ ପ୍ରଶଂସକ ଓ ଭୋଜପୁରୀ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ନିଜ ପୋଷ୍ଟରେ ପୱନ ସିଂହ ଲେଖିଛନ୍ତି, “ଯେତେବେଳେ ମଣିଷ ଘରୋଇ ସମସ୍ୟାରେ ଛନ୍ଦି ହୋଇପଡ଼େ, ସେତେବେଳେ ସମସ୍ତ ବେଦ ଓ ଶାସ୍ତ୍ର ଭୁଲିଯାଏ।” ପରିବାର ସହ ସମ୍ପର୍କକୁ ନେଇ ସେ ଆହୁରି ଲେଖିଛନ୍ତି, “ସହିବାର ସୀମା ଅତିକ୍ରମ କରିଯିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ହୋଇ ଏହି ପୋଷ୍ଟ କରୁଛି। ଆପଣ ସମସ୍ତ ଭୋଜପୁରୀ ସମାଜକୁ ହାତ ଯୋଡ଼ି କ୍ଷମା ମାଗୁଛି ଏବଂ ଜଣାଉଛି ଯେ, ଆଜି ଏହି ମୁହୂର୍ତ୍ତରୁ ମୋର ନିଜ ପରିବାର ଓ ସମଗ୍ର ବଂଶ ସହ ଆଉ କୌଣସି ସମ୍ପର୍କ ନାହିଁ।”

ପରିବାର ସହ ସମ୍ପର୍କ ଛିନ୍ନ କରିବା କଥା କହିଥିଲେ ମଧ୍ୟ ନିଜ ମାଆ ଓ ବଡ଼ ଭାଇଙ୍କ ପ୍ରତି ଭଲପାଇବା ଜାହିର କରିଛନ୍ତି ପୱନ ସିଂହ। ସେ ଲେଖିଛନ୍ତି, “ହଁ, ଯିଏ ମୋତେ ଜନ୍ମ ଦେଇଛନ୍ତି, ସେହି ମୋ ମାଆ ଏବଂ ମୋର ବଡ଼ ଭାଇ ରାନୁ ସିଂହଙ୍କ ପାଇଁ ମୁଁ ଯେପର୍ଯ୍ୟନ୍ତ ବଞ୍ଚିଥିବି, ମୋ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ। ଆପଣ ସମସ୍ତଙ୍କ ପରିବାରର ଜଣେ ଛୋଟ ସଦସ୍ୟ ପୱନ ସିଂହ।”

ସୂଚନାଯୋଗ୍ୟ, ପୱନ ସିଂହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଦ୍ୱିତୀୟ ପତ୍ନୀ ଜ୍ୟୋତି ସିଂହଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଆଇନଗତ ବିବାଦ ଚାଲିଛି। ଉଭୟଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଛି। ପୱନ ସିଂହଙ୍କ ପ୍ରଥମ ବିବାହ ୨୦୧୪ ମସିହାରେ ନୀଲମ ସିଂହଙ୍କ ସହ ହୋଇଥିଲା। ବିବାହର ପ୍ରାୟ ଏକ ବର୍ଷ ପରେ ନୀଲମଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୱନ ଉତ୍ତରପ୍ରଦେଶର ବଲିଆ ଅଞ୍ଚଳର ଜ୍ୟୋତି ସିଂହଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ଜ୍ୟୋତି ସିଂହ ପୱନଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବାର ଅଭିଯୋଗ ଆଣିଥିଲେ। ତେବେ ପୱନ ସିଂହ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

also read- ରାଜେଶ ଖାନ୍ନାଙ୍କ ଅବିକଳ ପ୍ରତିଛବି ଅକ୍ଷୟ କୁମାରଙ୍କ ପୁଅ ଆରବ! ଷ୍ଟାଇଲିସ୍ ଲୁକ୍ ଦେଖି ମୁଗ୍ଧ ଅନନ୍ୟା ପାଣ୍ଡେ

୨୦୨୨ ମସିହାରେ ଜ୍ୟୋତି ସିଂହ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହାପରେ ପୱନ ସିଂହ ମଧ୍ୟ ଆରା ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଅନେକ ଥର ଆପୋସ ବୁଝାମଣାର ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ଫଳରେ ଉଭୟଙ୍କ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା। ଏହାରି ମଧ୍ୟରେ ପୱନ ସିଂହ ରାଜନୀତିରେ ପାଦ ଥାପିବା ସହ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ଏବେ ପରିବାର ସହ ସମ୍ପର୍କ ଛିନ୍ନ କରିବା ନେଇ ତାଙ୍କର ଭାବପ୍ରବଣ ପୋଷ୍ଟ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାକୁ ଆଣିଛି।