ନୂଆଦିଲ୍ଲୀ, ୨୩/୦୯ : ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ପ୍ରାୟ ୧୫ ପ୍ରତିଶତ କମ୍ ରହିଛି I ଏହି ତଥ୍ୟ ଗତ ୧୭ ବର୍ଷ ଭିତରେ ସବୁଠାରୁ କମ୍। ଏହା ପୂର୍ବରୁ ୨୦୦୯ରେ ୧୮.୩ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିଲା।

ଚଳିତବର୍ଷ ବର୍ଷା ହ୍ରାସର ମୁଖ୍ୟ କାରଣ ଏଲ୍ ନିନୋ ବୋଲି କୁହାଯାଉଛି । ଜୁନ ୧ରୁ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଦେଶରେ ୮୨୭.୨ ମିଲିମିଟର ବର୍ଷା ହେବା କଥା। ଯାହାକୁ ସ୍ବାଭାବିକ ବର୍ଷା କୁହାଯାଏ। କିନ୍ତୁ ଏପର୍ଯ୍ୟନ୍ତ ୭୦୩.୭ ମିଲିମିଟର ବର୍ଷା ହୋଇଛି । ଅର୍ଥାତ ୧୨୩.୫ ମିଲିମିଟର କମ୍ ବର୍ଷା ରେକର୍ଡ କରାଯାଇଛି। ବର୍ଷାଋତୁ ଶେଷ ହେବା ବେଳକୁ ଅର୍ଥାତ ସେପ୍ଟେମ୍ବର ୩୦ ସୁଦ୍ଧା ୮୬୮.୬ ମିଲିମିଟର ବର୍ଷା ହେବା କଥା। କିନ୍ତୁ ବର୍ଷାଋତୁ ଶେଷ ହେବାକୁ ଆଉ ମାତ୍ର ୯ ଦିନ ବାକି ରହିଛି। କିନ୍ତୁ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା କରିବାକୁ ଆଉ ଏତେ ବର୍ଷା ହେବାର ସମ୍ଭାବନା ନାହିଁ। କାରଣ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରୁ ମୌସୁମୀ ବିଦାୟ ନେବା ଆରମ୍ଭ କଲାଣି। 

Also Read :- ହ୍ୱାଇଟ୍ ହାଉସ୍ ବନାମ ମିଡିଆ ଆରମ୍ଭ ହେଲା ଟ୍ରମ୍ପ୍ ଟିଭି ଲୋକେ ଦେଖିପାରିବେ ୟୁଏସ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ

ଗତ ୧୯ ତାରିଖରୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ବିଦାୟ ନେବା ଆରମ୍ଭ ହୋଇଛି। ସୋମବାର ପଞ୍ଜାବ, ହରିୟାଣାରୁ ଅଧା ଅଞ୍ଚଳ ଏବଂ ରାଜସ୍ଥାନର ଆଉ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଇସାରିଛି। ଆଗାମୀ ୪୮ ଘଣ୍ଟା ଭିତରେ ହରିୟାଣାର ଅବଶିଷ୍ଟ ଅଞ୍ଚଳ, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରୁ ମୌସୁମୀ ବିଦା ହେବାର ପରିବେଶ ସୃଷ୍ଟି ହୋଇଛି।

ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି I ଫଳରେ ଦେଶର ପୂର୍ବ, ମଧ୍ଯ ଓ ଦକ୍ଷିଣ ରାଜ୍ୟର କିଛି ଅଞ୍ଚଳରେ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ଆନ୍ଧ୍ରପ୍ରଦେଶରେ ସବୁଠାରୁ ୪୦% କମ୍ ବର୍ଷା ହୋଇଥିଲା ବେଳେ ପଞ୍ଜାବରେ ୩୯, ବିହାରରେ ୩୭, କର୍ଣ୍ଣାଟକରେ ୩୧, କେରଳରେ ୨୮, ହରିୟାଣାରେ ୨୩ ଓ ରାଜସ୍ଥାନରେ ୨୧% କମ୍ ବର୍ଷା ହୋଇଛି। ମହାରାଷ୍ଟ୍ରରେ ୧୭% କମ୍ ବର୍ଷା ହୋଇଥିଲା ବେଳେ ଉତ୍ତର ପ୍ରଦେଶ ଓ ଛତିଶଗଡରେ ୫% ଲେଖାଏ କମ୍ ବର୍ଷା ରେକର୍ଡ କରାଯାଇଛି। ଗତ ୧୨୫ ବର୍ଷରେ ଚଳିତବର୍ଷ (୨୦୨୬) ସପ୍ତମ ଶୁଷ୍କ ବର୍ଷ। ୧୯୭୨ରେ ୨୨.୩% କମ୍ ବର୍ଷା ହୋଇଥିଲା ବେଳେ ୨୦୦୨ରେ ୨୦.୯, ୧୯୬୫ରେ ୧୮.୬, ୨୦୦୯ରେ ୧୮.୩, ୧୯୦୫ରେ ୧୬.୮, ୧୯୭୯ରେ ୧୬.୭ ଏବଂ ୨୦୨୬ରେ ୧୪.୯% କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।