ନୂଆଦିଲ୍ଲୀ ୨୫।୧୧; ତୁର୍କୀ ବାୟୁସେନା ପାଇଁ ପୁଣି ଦୁଃଖଦ ଖବର। ତାଲିମ ଉଡ଼ାଣ ବେଳେ ମଝି ଆକାଶରେ ଘଟିଲା ଭୟଙ୍କର ଅଘଟଣ। ପଶ୍ଚିମ ତୁର୍କୀର ଏସ୍କିସେହିର ଅଞ୍ଚଳରେ ଏକ AS-532 କୁଗାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଦୁଃଖଦ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ଅନୁସାରେ, ଏହି ହେଲିକପ୍ଟରଟି ଏସ୍କିସେହିରସ୍ଥିତ ବାୟୁସେନାର ପ୍ରଥମ ମୁଖ୍ୟ ଜେଟ୍ ବେସ୍ କମାଣ୍ଡରୁ ନିୟମିତ ତାଲିମ ମିଶନରେ ଉଡ଼ାଣ ଭରିଥିଲା। ହେଲେ ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା।

ପ୍ରଥମେ ହେଲିକପ୍ଟରର ଭଗ୍ନାବଶେଷ ଠାବ ହେବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମନ୍ତ୍ରଣାଳୟ କହିଥିଲା। ପରେ ହେଲିକପ୍ଟରରେ ଥିବା ପାଞ୍ଚ ଜଣ ଯବାନଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଥିଲା। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଗତ ଦୁଇ ସପ୍ତାହ ମଧ୍ୟରେ ତୁର୍କୀ ସଶସ୍ତ୍ର ବାହିନୀ ସହ ଜଡ଼ିତ ଏହା ଦ୍ୱିତୀୟ ହେଲିକପ୍ଟର ଦୁର୍ଘଟଣା। ଲଗାତାର ଦୁଇଟି ଦୁର୍ଘଟଣା ତୁର୍କୀ ସାମରିକ ବାହିନୀରେ ଚିନ୍ତା ବଢ଼ାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇନାହିଁ।