ଝାରସୁଗୁଡ଼ା ୨୩।୬: ରେଳ ଧାରଣାରୁ ମିଳିଲା ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ଆଇନଜୀବୀଙ୍କ ମୃତଦେହ । ମୃତକ ହେଉଛନ୍ତି ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ଜିଲ୍ଲା ଯୁବ ବିଜେଡିର ପୂର୍ବତନ ସଭାପତି ତ୍ରିନାଥ ଗୁଆଲ । ମଙ୍ଗଳବାର ସକାଳେ ରେଳଧାରଣା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ ଯେ, ବାଲିଜୋରି ରେଳ ଲାଇନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପରେ ମୃତକଙ୍କ ପରିଚୟ ତ୍ରିନାଥ ଗୁଆଲ ବୋଲି ଜଣାପଡିଥିଲା । ମୃତଦେହ ନିକଟରେ ତାଙ୍କ ହାତଲେଖା ନୋଟ୍ ମଧ୍ୟ ଜିଆର୍ପି ପୋଲିସ ଉଦ୍ଧାର କରିଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ବୋଲି ସେଥିରେ ଲେଖାଥିବା ଜଣାପଡିଛି ।

Also Read:- Tamil Nadu Gas Tragedyରେ ବଢୁଛି ମୃତ୍ୟୁ ସଂଖ୍ୟା : ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତ୍ରିନାଥ ଗୁଆଲ ୩ ଥର ଜିଲ୍ଲା ଓକିଲ ସଂଘର ସଭାପତି ଥିଲେ । ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଆଇନଜୀବୀ ମହଲ, ରାଜନୈତିକ ବର୍ଗ ଓ ସାମାଜିକ ସଂଗଠନ ଗୁଡ଼ିକ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ ଏହାକୁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ପୋଲିସ ପକ୍ଷରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି ।