ଭୁବନେଶ୍ବର ୨୯।୧୧: ନକଲି ପିଏସ୍ । ଅସଲି ଠକ। ଗୃହମନ୍ତ୍ରୀଙ୍କ ପିଏସ୍ କହି ମାଗୁଥିଲା ଟଙ୍କା । ନେତାଙ୍କୁ ଟିକେଟ୍ ବାଣ୍ଟୁଥିଲା ନକଲି ସଚିବ । ଗଞ୍ଜାମରୁ ଧରାପଡ଼ିଲା ଆନ୍ତଃରାଜ୍ୟ ଠକ । ଗୁଜରାଟ, କର୍ଣ୍ଣାଟକ ଓ ଭୁବନେଶ୍ୱରରେ ମାମଲା । ନାଁ ଜଗନ୍ନାଥ ମଣ୍ଡଳ । ଘର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଞ୍ଚମା । ହେଲେ ପରିଚୟ ଅନେକ । କେତେବେଳେ ଗୃହମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଆଉ କେତେବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସଚିବ । ନକଲି ପରିଚୟକୁ ଅସ୍ତ୍ର କରି ରାଜନୈତିକ ମହଲରେ ଜମାଇଥିଲା ପ୍ରଭାବ । ନେତାଙ୍କୁ ଫୋନ୍ କରୁଥିଲା । ଟଙ୍କା ମାଗୁଥିଲା । ଏମିତିକି ନିର୍ବାଚନରେ ଟିକେଟ୍ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଫସାଉଥିଲା ।

Also Read:- ବାଲିଯାତ୍ରାରେ ବାସି ଖାଦ୍ୟ ଜବତ, ଦୁଇଟି ଷ୍ଟଲ୍ ଆଜି ପାଇଁ ବନ୍ଦ

ଗଞ୍ଜାମରେ ଲୁଚିଥିଲା ଜଗନ୍ନାଥ । ଏହି ସୂଚନା ମିଳିବା ପରେ ଗୁଜରାଟ ଏବଂ ଭୁବନେଶ୍ୱର ପୋଲିସ ସକ୍ରିୟ ହୋଇଥିଲା। ବ୍ରହ୍ମପୁର ପୋଲିସର ସହାୟତାରେ ହୋଇଥିଲା ଚଢ଼ାଉ । ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ପୋଲିସର ଜାଲରୁ ଖସିପାରିଲାନି । ଶେଷରେ ଧରାପଡ଼ିଲା ଏହି ବହୁରୂପୀ ଠକ । ନିଜକୁ ନିର୍ଦ୍ଦୋଷ ଆଉ ମୋତେ ଫସେଇ ଦିଆ ଯାଇଥିବା କହୁଥିବା ଜଗନ୍ନାଥ ନାଁରେ କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ରହିଛି ଠକେଇ ମାମଲା । ଗୁଜରାଟରେ ଦୁଇଟି, କର୍ଣ୍ଣାଟକରେ ଗୋଟିଏ ଏବଂ ଭୁବନେଶ୍ୱରରେ ଦୁଇଟି ମାମଲା ରହିଛି । ଜଗନ୍ନାଥକୁ ଗିରଫ କରିବା ପରେ ଏବେ ତା'ର ଅନ୍ୟ ଠକେଇ କାରବାରର ଖୋଳତାଡ଼ କରୁଛି ପୋଲିସ ।