ଭୁବନେଶ୍ୱର ୦୬।୦୯ : ଅତ୍ୟାଧୁନିକ ରକ୍ତନଳୀ ଏବଂ ଇଣ୍ଟରଭେନସନାଲ୍ ଚିକିତ୍ସା କ୍ଷେତ୍ରରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ଏଠାରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମର ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ପ୍ରଯୁକ୍ତି ଜଟିଳ ରକ୍ତ ଜମାଟ ଜନିତ ସମସ୍ୟାର ମିନିମାଲି ଇନଭେସିଭ୍ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ । ଜଟିଳ ରକ୍ତଜମାଟ ସମସ୍ୟାରେ ପୀଡ଼ିତଙ୍କ କ୍ଷେତ୍ରରେ ବଡ଼ ଅସ୍ତ୍ରୋପଚାରର ଆବଶ୍ୟକତାକୁ ଏଡ଼ାଇ ଏହି ପ୍ରଯୁକ୍ତି ସହାୟତାରେ ଚିକିତ୍ସା କରାଯାଇପାରିବ ।

ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଣ୍ଟରଭେନସନାଲ୍ ରେଡିଓଲୋଜି ବିଭାଗ ମୁଖ୍ୟ ତଥା କନ୍ସଲଟାଣ୍ଟ ଡା. ସମ୍ବିତ କୁମାର ପଟ୍ଟନାୟକ କହିଛନ୍ତି, ଆଞ୍ଜିଓଜେଟ୍ ହେଉଛି ଏକ ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ପ୍ରଣାଳୀ । ଏହା ଅବରୁଦ୍ଧ ରକ୍ତନଳୀରୁ ଦ୍ରୁତଗତିରେ ରକ୍ତ ଜମାଟକୁ ଭାଙ୍ଗି ବାହାର କରିବାରେ ସହାୟକ ହୋଇଥାଏ । ଜଣେ ଇଣ୍ଟରଭେନସନାଲ୍ ରେଡିଓଲୋଜିଷ୍ଟ ଏକ କ୍ଷୁଦ୍ର ଛିଦ୍ର ମାଧ୍ୟମରେ ପ୍ରଭାବିତ ରକ୍ତନଳୀ ଭିତରକୁ ଏକ ସ୍ୱତନ୍ତ୍ର କ୍ୟାଥେଟର ପ୍ରବେଶ କରାଇଥାନ୍ତି । ଏହି ପ୍ରଣାଳୀ ରକ୍ତ ଜମାଟକୁ ବାହାର କରିବା ସହ ରକ୍ତ ପ୍ରବାହକୁ ପୁନଃ ସ୍ୱାଭାବିକ କରିବାରେ ସହାୟତା କରିଥାଏ ବୋଲି ସେ କହିଛନ୍ତି । ଏହି ପ୍ରଯୁକ୍ତି ବିଶେଷକରି ଡିପ୍ ଭେନ୍ ଥ୍ରୋମ୍ବୋସିସ୍ (ଡିଭିଟି)ରେ ପୀଡ଼ିତ ରୋଗୀଙ୍କ ପାଇଁ ଉପକାରୀ ହୋଇପାରିବ ।

Also Read:-ତେଲ ଟ୍ୟାଙ୍କରରେ ଲାଗିଗଲା ନିଆଁ, କିଛି ସେକେଣ୍ଡରେ ଭୟଙ୍କର ବିସ୍ଫୋରଣ : ୧୦ ମୃତ

ଆଞ୍ଜିଓଜେଟ ଆକ୍ୟୁଟ୍ ଆର୍ଟେରିଆଲ୍ ଥ୍ରୋମ୍ବୋସିସ କ୍ଷେତ୍ରରେ ମଧ୍ୟ ଚିକିତ୍ସା କରାଯାଇପାରିବ । ଏହାବ୍ୟତୀତ ଡାଏଲିସିସ୍ ପାଇଁ ବ୍ୟବହୃତ ଏଭି ଫିଷ୍ଟୁଲା ଓ ଗ୍ରାଫ୍ଟରେ ସୃଷ୍ଟି ହୋଇଥିବା ରକ୍ତ ଜମାଟକୁ ଦୂର କରି ସେଗୁଡ଼ିକ କାର୍ଯ୍ୟକ୍ଷମତା ଫେରାଇବାରେ ମଧ୍ୟ ସହାୟକ ହୋଇପାରିବ । ଏହି ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା । ଏବେ ଏଠାରେ ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ଚିକିତ୍ସା ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି ।

ସମ୍ ଅଲ୍ଟିମେଟ୍ ମେଡିକେୟାର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର କହିଛନ୍ତି, ଆଞ୍ଜିଓଜେଟର ପ୍ରଚଳନ ଆମର ଅତ୍ୟାଧୁନିକ ଓ ମିନିମାଲି ଇନଭେସିଭ୍ ଭାସ୍କୁଲାର କେୟାର କ୍ଷମତାକୁ ଆହୁରି ସୁଦୃଢ଼ କରିବ । ସମ୍ ଅଲ୍ଟିମେଟ୍ ମେଡିକେୟାର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି, ଆଞ୍ଜିଓଜେଟ୍ ଅତ୍ୟାଧୁନିକ, ପ୍ରଯୁକ୍ତିନିର୍ଭର ଏବଂ ବିଶ୍ୱସ୍ତରୀୟ ରକ୍ତନଳୀ ଚିକିତ୍ସା ସେବା ଆମକୁ ରୋଗୀଙ୍କ ନିକଟତର କରିବ । ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ନିକଟରେ ଅତ୍ୟାଧୁନିକ ଓ ଅଭିନବ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।