ରାଉରକେଲା ୨୧।୮: ଭିଜିଲାନ୍ସ ଜାଲରେ ପଡିଥିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ମୁରଲୀଧର ଉରମାର । ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ଭିଜିଲାନ୍ସ । ଗୁରୁବାର ସନ୍ଧ୍ୟାରେ ତହସିଲଦାର ମୁରଲୀଧର ଉରମାର କାର୍ ଯୋଗେ ତହସିଲ କାର୍ଯ୍ୟାଳୟରୁ ନିଜ ସରକାରୀ ବାସଭବନ ରାଉରକେଲା ସିଭିଲଟାଉସିପ୍ ଏଲଆଇସି କଲୋନୀକୁ ଫେରୁଥିଲା । କାର୍‌ରେ ଥିଲା ନଗଦ ୫ ଲକ୍ଷ ଟଙ୍କା । ଖବର ପାଇ ଅଧା ବାଟରେ ମାଡ଼ିବସିଲା ରାଉରକେଲା ଭିଜିଲାନ୍ସ । ଉଠାଇ ଆଣି ଅଟକ ରଖିଲା ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ।

ଭିଜିଲାନ୍ସର ତିନୋଟି ଟିମ୍ ଗଠନ କରାଯାଇ ଏକକାଳୀନ ଲାଠିକଟା ତହସିଲ କାର୍ଯ୍ୟାଳୟ, ବାବୁଙ୍କ ସରକାରୀ ବାସଭବନ ରାଉରକେଲା ସିଭିଲ ଟାଉନସିପ୍ ସହ ପୈତୃକ ଘର ସୁନ୍ଦରଗଡ଼ କରମଡ଼ିହିରେ ଚାଲିଲା ରେଡ୍ । ଆଉ ମିଳିଲା ଆୟ ବର୍ହିଭୂତ ସମ୍ପତ୍ତି ଗୋଟିଏ କୋଠା ଯାହାର ମୂଲ୍ୟ ପ୍ରାୟ ୭୩ ଲକ୍ଷ ଟଙ୍କା, ୬ ଗୋଟି ପ୍ଲଟ୍ ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ୯୦ ହଜାର । ବିଭିନ୍ନ ବ୍ୟାଙ୍କରେ ୭୫ ଲକ୍ଷ ୩୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ୍, ୯ ଲକ୍ଷ ୬୮ ହଜାର ଟଙ୍କାର କାର୍, ଘରର ଆସବାବପତ୍ର ପ୍ରାୟ ୧୩ ଲକ୍ଷ ଟଙ୍କା । ସୁନା ଅଳଙ୍କାର ୫୫ ଲକ୍ଷ ଟଙ୍କା, ଏହାସହ ଘରୁ ବାହାରିଲା ନଗଦ ୫ ଲକ୍ଷ ୭୪ ହଜାର ଟଙ୍କା । ଠାବ ସମ୍ପତ୍ତିର ମୂଲ୍ୟ ପାଖାପାଖି ଦୁଇ କୋଟି ୬୦ ଲକ୍ଷ ୨୬ ହଜାର ଟଙ୍କା ।

କରିତକର୍ମା ତହସିଲଦାର ମୁରଲୀଧର ଉରମାର ପୂର୍ବରୁ ଜିଲ୍ଲାର ଲହୁଣୀପଡ଼ା ତହସିଲଦାର ସହ ତା ପୂର୍ବରୁ ଝାରସୁଗୁଡ଼ାରେ ଥିଲେ । ସରକାରୀ ଜମିକୁ ବେସରକାରୀ ଲୋକଙ୍କ ନାଁରେ କରାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିଛନ୍ତି ମୁରଲୀଧର । ଲାଠିକଟା ଅଞ୍ଚଳରେ ବେଆଇନ କ୍ରସର ଅନୁମତି ଖଣି ଅନୁମତି ପାଇଁ ସୁପାରିସ ସହ ସରକାରୀ ଜମିକୁ ବେସରକାରୀ କମ୍ପାନୀକୁ ଦେବା ପାଇଁ ବାହାର କରୁଥିଲେ ଗଳା ବାଟ । ଆଉ ଉପାର୍ଜନ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ ବାବୁଙ୍କ ସବୁ କାରନାମା ଭିଜିଲାନ୍ସ ହାତରେ ଧରାପଡିଯାଇଛି । କିରାଣୀ ଚାକିରିରୁ ଆରମ୍ଭ କରି ପରେ ମୁଖ୍ୟ କିରାଣୀ ବିଭାଗୀୟ ପରୀକ୍ଷା ଦେଇ ଓଆରଏସରେ ଉତ୍ତୀର୍ଣ୍ଣ ହୋଇ ବାବୁ ହୋଇଯାଇଥିଲେ ତହସିଲଦାର । ଆଉ ବଢ଼ାଇବାରେ ଲାଗିଥିଲେ ଆୟ ବହିର୍ଭୂତ ସମ୍ପତ୍ତି ।

Watch Video:​​​​​​​​​​​​​​​​​​​​​