ମୁମ୍ବାଇ, ୦୩/୦୯: ଭାରତୀୟ କ୍ରିକେଟ୍ ପାଇଁ ଖାସ୍ ହେବାକୁ ଯାଉଛି ସେପ୍ଟେମ୍ବର ୩ । କାରଣ ମୁମ୍ବାଇରେ ବସୁଛି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ବାବଦରେ ଚର୍ଚ୍ଚା ହେବ । ସବୁଠୁ ଅଧିକ ଚର୍ଚ୍ଚା ହେବ ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ । ସେହିପରି ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ମଧ୍ୟ ବରିଷ୍ଠ ଅଧିକାରୀ ଆଲୋଚନା କରିବେ ।

ଦେଖିବାକୁ ଗଲେ ତିନି ଜଣ ଖେଳାଳି ସମାନ ସ୍ଥିତିରେ ନାହାଁନ୍ତି । ରୋହିତଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଆଲୋଚନା ଚାଲିଛି । ବିରାଟ ଏବଂ ଜାଡେଜା ଏବେ ବୋର୍ଡର ବଡ଼ ଚିନ୍ତା ନୁହେଁ । ଏହାସତ୍ତ୍ୱେ ବିଶ୍ୱକପ ପାଇଁ ତିନି ଖେଳାଳିଙ୍କ ଫିଟନେସ, ବୟସ ଏବଂ ଖେଳ ଉପରେ ଚର୍ଚ୍ଚା କରାଯିବ ।

ରୋହିତଙ୍କ ଦିନିକିଆ ଭବିଷ୍ୟତକୁ ନେଇ ଇଂଲଣ୍ଡ ଗସ୍ତରେ ଖୁବ୍ ଚର୍ଚ୍ଚା ହୋଇଥିଲା । ସେ ଟେଷ୍ଟ୍ ଏବଂ ଟି୨୦ରୁ ଅଲବିଦା ନେଇ ସାରିଛନ୍ତି । ପିଟିଆଇର ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତରେ ଚୟନ କମିଟିର ଜଣେ ଅଧିକାରୀ ତାଙ୍କର ଭବିଷ୍ୟତ ନାହିଁ ବୋଲି କହିଥିଲେ । କିନ୍ତୁ ରୋହିତ ତୃତୀୟ ଦିନିକିଆରେ ଲର୍ଡସରେ ଐତିହାସିକ ଶତକ ଲଗାଇଥିଲେ । ତଥାପି ୨୦୨୬ ବିଶ୍ୱକପରେ ତାଙ୍କୁ ସ୍ଥାନ ମିଳିବ ନା ନାହିଁ ସେନେଇ କିଛି କହିହେବ ନାହିଁ । ବିସିସିଆଇ ସଚିବ ଦେବଜିତ ସାଇକିୟା ରୋହିତ ଦଳରେ ଖେଳିବେ ବୋଲି କହିଥିଲେ । କିନ୍ତୁ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଏହାକୁ ବିରୋଧ କରିଥିଲା । ଫଳରେ ଦୁଇ ପକ୍ଷ ମଧ୍ୟରେ ମତଭେଦ ଏବେବି ଲାଗି ରହିଛି । ଏସବୁ ଦୃଷ୍ଟିରୁ ବିସିସିଆଇର ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

Also Read :- ପୁଅ ପାଇଁ ରଖାଯାଇଥିବା ବ୍ରେଷ୍ଟ ମିଲ୍କ ପିଇଦେଇଥିଲେ ଆୟୁଷ୍ମାନ; ସିକ୍ରେଟ୍‌ ରିଭିଲ୍ ପରେ ରାଗିଯାଇଥିଲେ ଆକ୍ଟର

ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ନୁହେଁ । ତାଙ୍କ କାର୍ଯ୍ୟକାଳ ୨୦୨୭ ବିଶ୍ୱକପ୍ ଯାଏଁ ରହିବ ନା ତା ପୂର୍ବରୁ ସରିବ ତାହା ଆଜି ସ୍ଥିର ହେବ । ତାଙ୍କ ଜାଗାରେ ଭିଭିଏସ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯିବ ବୋଲି କେହି କେହି କହୁଛନ୍ତି । ତେଣୁ ଚୟନ ସମିତିର ସଦସ୍ୟଙ୍କ ପାଇଁ ମଧ୍ୟ ଆଜିର ବୈଠକ ଖୁବ୍ ବଡ ଭୂମିକା ଗ୍ରହଣ କରିବ ।

ବିରାଟ ଏବଂ ଜାଡେଜାଙ୍କ ପ୍ରସଙ୍ଗରେ ଆଜି କୌଣସି ନିଷ୍ପତ୍ତି ନ ଆସିପାରେ । ଉଭୟ ଭାରତ ପାଇଁ ଉପଯୋଗୀ ବିକଳ୍ପ । ସେମାନେ ୨୦୨୭ ବିଶ୍ୱକପରେ ଖେଳିବା ସମ୍ବାବନା ବେଶି । ବିରାଟ ଭଲ ବ୍ୟାଟିଂ କରୁଛନ୍ତି । ରନ୍ କରୁଛନ୍ତି । ଜାଡେଜା ମଧ୍ୟ ଅଲରାଉଣ୍ଡର ପ୍ରଦର୍ଶନ କରୁଛନ୍ତି । ଉଭୟଙ୍କ ଅଭିଜ୍ଞତା ଦଳକୁ ୨୦୨୭ ପାଇଁ ଦରକାର । ରୋହିତଙ୍କ ପାଖରେ ବି ଅଭିଜ୍ଞତା ରହିଛି । ଗତ ଥର ସେ ଭାରତକୁ ଫାଇନାଲକୁ ନେଇଥିଲେ । ତେବେ ଆଜିର ବୈଠକ ପରେ ହିଁ ବିସିସିଆଇର ପରବର୍ତ୍ତୀ ପ୍ଲାନ୍ ବାବଦରେ ସ୍ପଷ୍ଟ ସୂଚନା ମିଳିବ ।