ନୂଆଦିଲ୍ଲୀ ୦୩।୦୯; ବଲିଉଡର ଲୋକପ୍ରିୟ ଦମ୍ପତି ଆୟୁଷ୍ମାନ ଖୁରାନା ଏବଂ ତାହିରା କଶ୍ୟପ। ଦୁହିଁଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ପିଲାଦିନର ସାଙ୍ଗରୁ ଜୀବନସାଥୀ ପାଲଟିଥିବା ଏହି ଯୋଡ଼ିଙ୍କ ଜୀବନରେ ଏଭଳି ଅନେକ କଥା ରହିଛି, ଯାହା ଆଶ୍ଚର୍ଯ୍ୟ କରିବା ସହ ମୁହଁରେ ହସ ମଧ୍ୟ ଆଣିଦିଏ। ତାହିରାଙ୍କ ପୁସ୍ତକ ‘ଦି ସେଭେନ ସିନ୍ସ ଅଫ୍ ବିଇଂ ଏ ମା’’ରେ ପ୍ରକାଶିତ ଏକ ମଜାଦାର ଓ ଅଦ୍ଭୁତ ଘଟଣା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ସେତେବେଳର, ଯେତେବେଳେ ସେମାନଙ୍କ ପୁଅ ବିରାଜବୀରଙ୍କ ବୟସ ମାତ୍ର ୭ ମାସ ଥିଲା। ଉଭୟ ଛୋଟ ଟ୍ରିପ୍ ପାଈଁ ବ୍ୟାଙ୍କକକୁ ଯାଇଥିଲେ । ଏହି ସମୟରେ ସେ ତାଙ୍କ କୁନି ପୁଅକୁ ତାହିରାଙ୍କ ବାପାମାଆଙ୍କ ପାଖରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଯାତ୍ରା ସମୟରେ ତାହିରା ନିଜ ପୁଅ ପାଇଁ ବ୍ରେଷ୍ଟମିଲ୍କ ବାହାର କରି ଏକ କଣ୍ଟେନରରେ ଷ୍ଟୋର କରି ରଖିଥିଲେ। କିନ୍ତୁ ଦିନେ ସେ ଦେଖିବାକୁ ପାଇଲେ ଯେ କିଛି ଡବା ଖାଲି ଅଛି।

ଯେତେବେଳେ ସେ ଆୟୁଷ୍ମାନଙ୍କୁ ଏ ବିଷୟରେ ପଚାରିଲେ, ସେତେବେଳେ ଏକ ମଜାଦାର କଥା ସାମ୍ନାକୁ ଆସିଥିଲା। ଆୟୁଷ୍ମାନ ବେଡ ରୁମ୍ରେ ଆରାମରେ ବସି ନିଜର ପ୍ରୋଟିନ୍ ଶେକ୍ ପିଉଥିଲେ ଏବଂ ହସି ହସି ସ୍ୱୀକାର କରିଥିଲେ ଯେ ସେହି କ୍ଷୀର ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ସେ ତାହାକୁ ନିଜ ପ୍ରୋଟିନ୍ ଶେକ୍ ସହିତ ମିଶାଇ ପିଇଯାଇଛନ୍ତି! ତାହିରା ମଜାରେ ଲେଖିଛନ୍ତି ଯେ ଏହା ପରେ ସେ ଯାତ୍ରା ସମୟରେ ଆୟୁଷ୍ମାନଙ୍କଠାରୁ ବୋତଲ ଗୁଡ଼ିକୁ ଲୁଚାଇ ରଖୁଥିଲେ।

ଅନ୍ୟପକ୍ଷରେ, ଯେତେବେଳେ ଏହି ପ୍ରସଙ୍ଗରେ ଆୟୁଷ୍ମାନଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ସ୍ପଷ୍ଟ କରିଥିଲେ ଯେ ସେ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ (Private) ଏବଂ ନିଜର ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରିବାକୁ ପସନ୍ଦ କରନ୍ତି । ଯେତେବେଳେ ପଚରାଗଲା ଯେ ସେ କେବେ ତାହିରାଙ୍କ ପୁସ୍ତକରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏପରି ଜିନିଷ ପଢ଼ି ଅସ୍ୱାଭାବିକ କିମ୍ବା ଲଜ୍ଜିତ ଅନୁଭବ କରିଛନ୍ତି କି, ଆୟୁଷ୍ମାନ ଉତ୍ତର ଦେଇଥିଲେ, "ମୁଁ ଜାଣିନାହିଁ। ସେ ଯାହା କରିବାକୁ ଚାହୁଁଛନ୍ତି ତାହା କରିବେ, କିନ୍ତୁ ମୁଁ ସେପରି ବ୍ୟକ୍ତି ନୁହେଁ। ଦୁହେଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ସ୍ୱଭାବର ହୋଇ ମଧ୍ୟ ଏହି ଦମ୍ପତି ଆଜି ଦୁଇଟି ସନ୍ତାନର ପିତାମାତା ହୋଇ ଏକ ସୁଖୀ ଜୀବନ ଅତିବାହିତ କରୁଛନ୍ତି ଏବଂ ସେମାନଙ୍କର ଏହି ଅନନ୍ୟ କାହାଣୀ ପ୍ରଶଂସକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥାଏ।