କୋଲକାତା, ୧୮/୧୦ : କୋଲକାତାରେ ଶନିବାର ଘଟିଥିବା ଦୁର୍ଗାପୂଜା ଟ୍ରାଜେଡିରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏବେସୁଦ୍ଧା ଅଘଟଣରେ ୧୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ଅନେକ ଗୁରୁତର ଭାବେ ଆହତ ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।

ରିପୋର୍ଟ ଅନୁସାରେ, ଶନିବାର ପବିତ୍ର ମହାସପ୍ତମୀରେ ଲୋକେ ଭକ୍ତି ଓ ଉତ୍ସାହର ସହ ମଣ୍ଡପକୁ ବୁଲି ଆସିଥିଲେ। ପ୍ରବେଶ ମାର୍ଗ ତୋରଣର କିଛି ଅଂଶ ଭୁଶୁଡ଼ି ପଡ଼ିବା ଯୋଗୁ ଦଳାଚକଟା ହୋଇଥିଲା। ଏଥିରେ ୧୯ ଜଣଙ୍କ ପ୍ରାଣ ହାନି ଘଟିଛି। ୩୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ମହିଳା, ୪ ପୁରୁଷ ଏବଂ ଜଣେ ୭ ବର୍ଷୀୟ ପିଲା ଅଛନ୍ତି । ଅଘଟଣ ପରେ ପୂଜା ପେଣ୍ଡାଲକୁ ଦର୍ଶନ ପାଇଁ ବନ୍ଦ ରଖାଯାଇଛି। ଏହାକୁ ସମ୍ପୂର୍ଣ ସିଲ୍ କରିଦିଆଯାଇଛି। ପୂଜା କମିଟିର ସମସ୍ତ ସଦସ୍ୟ ଇସ୍ତଫା ଦେଇଛନ୍ତି। ପୁଜା କମିଟି ଓ ସୁରକ୍ଷା ଏଜେନ୍ସିର ସମସ୍ତଙ୍କୁ ଅଟକ ରଖାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ବର୍ଷା ହେଉଥିଲା ଯାହାଫଳରେ ଏଭଳି ଅଘଟଣ ଘଟିଗଲା। ଏହି ଘଟଣାର ସବିଶେଷ ତଦନ୍ତ କରାଯିବ। କଲିକତା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ। ଯେଉଁମାନେ ଦୋଷୀ ଜଣାପଡିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଓ ଜଣଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ଓ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୫୮ ହଜାର ପେଣ୍ଡାଲରେ ପୂଜା ଅନୁଷ୍ଠିତ ହେଉଛି। ଆଗକୁ ଯେଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।

ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ଯ ଶୋକବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି।

ସନ୍ଧ୍ୟାରେ ଅଘଟଣ

ଉତ୍ତର କୋଲକାତାର ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲରେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଏହି ଅଘଟଣ ଘଟିଛି। ପେଣ୍ଡାଲର ପ୍ରବେଶ ମାର୍ଗରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏଥିସହ ପ୍ରବଳ ଭିଡ଼ ସହିତ ବର୍ଷା ଯୋଗୁ ପ୍ରସ୍ଥାନ ମାର୍ଗରେ ମଧ୍ୟ ଅନେକ ଲୋକ ଜମା ହୋଇଥିଲେ। ଅଣନିଃଶ୍ବାସୀ ହୋଇ କିଛି ଲୋକ ପ୍ରଥମେ ଅଚେତ ହୋଇ ପଡ଼ିଥିଲେ। ଏହାପରେ ଦଳାଚକଟା ହୋଇଥିଲା। ମଣ୍ଡପର ପ୍ରବେଶ ମାର୍ଗ ସଙ୍କୀନ୍ନ ଓ ଆଲୋକ ବ୍ୟବସ୍ଥା ଭଲ ନ ଥିବା କିଛି ଲୋକ ଅଭିଯୋଗ କରିଛନ୍ତି।

Also Read :- ଆସୁଛି ବାତ୍ୟା : ଅକ୍ଟୋବର ୨୯ରେ ଓଡିଶାରେ ଲ୍ୟାଣ୍ଡଫଲ୍ ! ଡରାଇଲାଣି ବିଭିନ୍ନ ମଡେଲ୍

ପ୍ରବେଶ ମାର୍ଗରେ ଭାଙ୍ଗିଥିବା ତୋରଣକୁ ତଦନ୍ତ ଲାଗି ସୁରକ୍ଷିତ ରଖାଯାଇଛି। ଆହତ ଲୋକଙ୍କୁ କୋଲକାତା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ, ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି। ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲ ନିଆଯଇଛି। କିଛି ଆହତଙ୍କୁ ବାଇକ୍ ଯୋଗେ ହସ୍ପିଟାଲ ନିଆଯାଇଥିବା ଦେଖିବାକୁ ମିଳିଛି ।