ଗ୍ୱାଲିଅର, ୧୮/୧୦ : ମଧ୍ୟପ୍ରଦେଶରେ ଗ୍ୱାଲିଅରରେ ବଡ଼ ଅଘଟଣ । ଶୀତଲା ମାତା ମନ୍ଦିର ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନବରାତ୍ରୀ ପାଇଁ ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ଯାଉଥିବା ବେଳେ ସେମାନଙ୍କ ଉପରେ ଏକ ଧାନଭର୍ତ୍ତି ଟ୍ରକ୍ ଚଢି ଯାଇଛି । ଏଥିରେ ୧୨ ଜଣ ପ୍ରାଣ ହରାଇଛନ୍ତି । ଏହାସହ ପ୍ରାୟ ୪୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗ୍ୱାଲିଅର୍ ଏସଏସପି ଧର୍ମବୀର ସିଂ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ଦୁଇ ଜଣ ପୋଲିସ କର୍ମୀ ରହିଛନ୍ତି । ଅନ୍ୟ ୧୨ ଜଣ ସାଧାରଣ ଜନତା ପ୍ରାଣ ହରାଇଛନ୍ତି । ଡ୍ୟୁଟିରେ ଥିବା ବେଳେ ପୋଲିସ କର୍ମୀ ଆହତ ହୋଇଥିବା ରିପୋର୍ଟ ମିଳିଛି । ମନ୍ଦିର ଯାଉଥିବା ରାସ୍ତା ଗଡାଣିଆ ଥିଲା । ଏହି ରାସ୍ତା ଦେଇ ଭାରୀ ଯାନ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲାଗିଛି । ରାତି ପ୍ରାୟ ୧ଟା ୩୦ରେ ଏକ ଟ୍ରକ୍ ପୋଲିସ ବ୍ୟାରିକେଡ୍ କୁ ଭାଙ୍ଗି ମନ୍ଦିର ଆଡକୁ ଧସେଇ ଆସିଥିଲା । ଏହାପରେ ମନ୍ଦିରର କାନ୍ଥକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ ତଳେ ଅନେକ ଶ୍ରଦ୍ଧାଳୁ ଚାପି ହୋଇ ରହିଯାଇଥିଲେ । ଫଳରେ ଏତେ ବଡ ଅଘଟଣ ଘଟିଲା ।

Also Read :- ପଶ୍ଚିମବଙ୍ଗ ଦୁର୍ଗାପୂଜା ପେଣ୍ଡାଲରେ ଦଳାଚକଟା : ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି, ୩୫ରୁ ଅଧିକ ଆହତ

ସେ ଆହୁରି କହିଛନ୍ତି ଯେ, ଏବେସୁଦ୍ଧା ଯେଉଁ ରିପୋର୍ଟ ମିଳିଛି ସେଥିରେ ପ୍ରାୟ ୪୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଜଣ ଗୁରୁତର ରହିଛନ୍ତି । ସେମାନଙ୍କ ହାଡ଼ ଭାଙ୍ଗି ଯାଇଛି । ଅନ୍ୟ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଚିକିତ୍ସା ଜାରି ରହିଛି । କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ଅନ୍ୟ ଦିଗରେ ଗ୍ୱାଲିଅର ଜିଲ୍ଲାପାଳ ରୁଚିକା ଚୌହ୍ୱାନ କହିଛନ୍ତି ଯେ, ରାତି ୧ଟା ୩୦ରେ ଟ୍ରକ୍ ନିୟନ୍ତ୍ରଣ ହରାଇଥିବା ଜଣା ପଡିଥିଲା । ଖବର ପରେ ତୁରନ୍ତ ମନ୍ଦିରକୁ ଆମ୍ବୁଲାନ୍ସ ପଠାଯାଇଥିଲା । ଆହତଙ୍କ ସିଟି ସ୍କାନ୍ ଏବଂ ଏମଆରଆଇ କରାଯାଇଛି । ଘଟଣାର ତଦନ୍ତ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ଟିମ୍ ଗଠନ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।