ନୂଆଦିଲ୍ଲୀ, ୨୦/୦୮ : ଚୀନ୍ ଭାରତର ସୀମାରେ ପଶିନି । ଅରୁଣାଚଳ ପ୍ରଦେଶର କୌଣସି ଜାଗାକୁ ଅକ୍ତିଆର କରି ନାହିଁ । ଆଖପାଖରେ ଚୀନର ଆକ୍ଟିଭିଟି ଥିଲେ ବି ଭାରତର ଜାଗା ମାଡିନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ । ଏହାସହ ଅରୁଣାଚଳ ସୀମାରେ ଚୀନ ଅନୁପ୍ରବେଶ ଦାବିକୁ ବୁଧବାର କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଖାରଜ କରିଛନ୍ତି ।

ସେ କହିଛନ୍ତି , ଦାବି ହେଉଛି ଯେ, ଚୀନ୍ ୬୦କିମି ଭିତରକୁ ଆସିଯାଇଛି । ସରକାରଙ୍କୁ ବଦନାମ କରିବା ଲାଗି କିଛି ଜଣ ଭିନ୍ନ ଭିନ୍ନ ଭିଡ଼ିଓ ସେୟାର କରୁଛନ୍ତି । ଏସବୁ ଭୁଲ୍ । ସୀମାରେ ସମସ୍ୟା ରହିଛି । ଅରୁଣାଚଳ ପ୍ରଦେଶର ଗାଁରେ କିଛି ଲୋକ ସୀମା ସମସ୍ୟା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଚିନ୍ତା ଯଥାର୍ଥ । ଠିକ୍ ଭାବେ ସୀମାର ନିର୍ଦ୍ଧାରଣ କରାଯାଇନାହିଁ । ଯେଉଁଥି ପାଇଁ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ।

Also Read :- 'ମୋ ଯୌବନ ଓ ବେଡ୍ ରୁମ୍ କଥା ଭାବନି'...ରାମଦେବଙ୍କୁ ଭଲରେ ଶୁଣାଇଦେଲେ କଙ୍ଗନା

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଚୀନ କୌଣସି ଭାରତୀୟ ଗାଁକୁ କବଜା କରି ନାହିଁ । ସୀମାଙ୍କନ ନ ହେବା କାରଣରୁ ଚୀନ କିଛି ଅଞ୍ଚଳକୁ ନିଜର ଦାବି କରୁଛି । ତା ମାନେ ଏହା ନୁହେଁ ଯେ ଚୀନ୍ ଆସି ଗାଁକୁ ମାଡି ଯାଇଛି ଏବଂ ଆମ ଗାଁ ଉପରେ କବ୍ଜା କରିନେଇଛି । କିଛି ସ୍ଥାନରେ ଡ୍ରାଗନର ନଜର ଅଛି । ଏହି ସବୁ ସ୍ଥାନରେ ସୀମାଙ୍କନ ହୋଇନାହିଁ ।ଭାରତର ଜାଗା ଆହୁରି ଆଗକୁ ରହିଛି । କେହି କେହି ଚୀନ ୬୦ କିଲୋମିଟର ଭିତରକୁ ପ୍ରବେଶ କରିଥିବା କଥା କହୁଛନ୍ତି । ବାଂଲାଦେଶ କିମ୍ବା ଅନ୍ୟାନ୍ୟ ସ୍ଥାନରୁ ଫଟୋ ପୋଷ୍ଟ କରୁଛନ୍ତି । ଯାହାର ଏହା ସହିତ କୌଣସି ସମ୍ପର୍କ ନାହିଁ । ଏପରି ଭୁଲ ସୂଚନା ପ୍ରସାରଣ କରିବା ଦ୍ବାରା ସୀମାରେ ନିୟୋଜିତ ଥିବା ଭାରତର ସେନା ଏବଂ ସୁରକ୍ଷା ବାହିନୀଙ୍କ ମନୋବଳ ଭାଙ୍ଗୁଛି । ଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ଏହା ଠିକ୍ ନୁହେଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆହୁରି ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ ସୀମାରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଛି । ସେନା ଏବଂ ଆଇଟିବିପି ଏହି ସବୁ ଅଞ୍ଚଳରେ ପାଟ୍ରୋଲିଂ ବଢାଇ ଦେଇଛନ୍ତି ।

ତେବେ ରିଜିଜୁଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ସ୍ଥାନ ଏବଂ ଭୌଗଳିକ ବିଶେଷତାକୁ ସର୍ଭେ ଅଫ ଇଣ୍ଡିଆର ସରକାରୀ ମାନଚିତ୍ରରେ ସ୍ଥାନ ଦେଇଛନ୍ତି । ଯାହାକୁ ଚୀନ୍ ବିରୋଧ କରୁଛି । ଭାରତ ବାରମ୍ବାର ଅରୁଣାଚଳପ୍ରଦେଶ ଦେଶର ଅଭିନ୍ନ ଅଙ୍ଗ ବୋଲି କହୁଛି । କିନ୍ତୁ ଚୀନ୍ ନିଜର ବିସ୍ତାରବାଦୀ ନୀତି ପାଇଁ ଏହାକୁ ମାନିବାକୁ ନାରାଜ୍ ହେଉଛି ।