ନୂଆଦିଲ୍ଲୀ: ବ୍ରିଟେନର ରାଜା କିଙ୍ଗ୍ ଚାର୍ଲସ୍ ତୃତୀୟ ଆମେରିକା ଗସ୍ତ କରିବେ । ଏହା ତାଙ୍କର ପ୍ରଥମ ରାଜକୀୟ ଗସ୍ତ ହେବାକୁ ଥିବା ବେଳେ, ଓ୍ବାଶିଂଟନ ଡିସିରେ ଏକ ଅଜବ ଘଟଣା ଘଟିଛି । କିଙ୍ଗ ଚାର୍ଲସଙ୍କ ସ୍ବାଗତ ପାଇଁ ଆମେରିକାରେ ଭବ୍ୟ ଆୟୋଜନ କରାଯାଉଛି । କିନ୍ତୁ ଏଥିରେ ବଡ଼ ଭୁଲ କରିଦେଇଛି ଆମେରିକା । ହ୍ବାଇଟ ହାଉସ୍ ଯିବା ରାସ୍ତାରେ ବ୍ରିଟିଶ ‘ୟୁନିୟନ ଜ୍ୟାକ’ ବଦଳରେ ଅଷ୍ଟ୍ରେଲିଆର ପତାକା ଲଗାଇ ଦିଆଯାଇଥିଲା ।

ଭୁଲ ଜଣାପଡ଼ିବା ପରେ, ତରବରିଆ ଭାବରେ ଅଷ୍ଟ୍ରେଲିଆ ପତାକା ଓହ୍ଲାଇ ବ୍ରିଟେନର ପତାକା ଲଗାଇ ଦିଆଯାଇଛି । ଏପ୍ରିଲ ୨୭, ୨୦୨୬ରେ କିଙ୍ଗ ଚାର୍ଲସଙ୍କ ଆମେରିକା ଗସ୍ତ ପୂର୍ବରୁ ସହରର ପରିବହନ ବିଭାଗ ହ୍ବାଇଟ ହାଉସ୍ ମାର୍ଗରେ ପତାକା ଲଗାଇବା ବେଳେ ଏହି ଭୁଲ କରିଥିଲା । ପରିବହନ ବିଭାଗର ଜଣେ ଅଧିକାରୀ ରଏଟର୍ସକୁ କହିଛନ୍ତି, ବ୍ରିଟେନ ରାଜାଙ୍କ ସ୍ବାଗତ ପାଇଁ ୨୩୦ରୁ ଅଧିକ ପତାକା ଲଗାଇବାର ଥିଲା । କିନ୍ତୁ ସେଥିମଧ୍ୟରୁ ଭୁଲରେ ୧୫ଟି ଅଷ୍ଟ୍ରେଲିଆ ପତାକା ଲଗାଇ ଦିଆଯାଇଥିଲା ।

Also Read: ମୋଦୀଙ୍କୁ ଉପହାର ପଠାଇଲେ ବ୍ରିଟେନ ରାଜା, 'X' ରେ ଲେଖିଲେ ଏମିତି

ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ପତାକାରେ ୟୁନିୟନ ଜ୍ୟାକ୍ ଚିହ୍ନ ରହିଛି । ତେଣୁ ଏତେ ବଡ଼ ଭୁଲ ହୋଇଗଲା ବୋଲି ସଂପୃକ୍ତ ଅଧିକାରୀ ସଫେଇ ଦେଇଛନ୍ତି । ସେ ଆହୁରି କହିଛନ୍ତି, ଭୁଲ ହୋଇଥିବା ଜଣାପଡ଼ିବା ପରେ, ତୁରନ୍ତ ୧୫ ପତାକାକୁ ଓହ୍ଲାଇ ତା ସ୍ଥାନରେ ବ୍ରିଟେନର ପତାକା ଲଗାଇ ଦିଆଯାଇଛି । ଏହା ମନୁଷ୍ୟକୃତ ଭୁଲ ଥିଲା, ତେଣୁ କିଙ୍ଗ ଚାର୍ଲସ୍ ଆସିବା ପୂର୍ବରୁ ଭୁଲକୁ ସୁଧାରି ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

କିଙ୍ଗ୍ ଚାର୍ଲସଙ୍କ ଐତିହାସିକ ଯାତ୍ରା

କିଙ୍ଗ ଚାର୍ଲସ ତୃତୀୟଙ୍କ ଆମେରିକା ଗସ୍ତ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଆମେରିକା ସ୍ବାଧୀନତାର ୨୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ରିଟେନର ରାଜାଙ୍କ ଏହି ଯାତ୍ରା ଆୟୋଜନ କରାଯାଇଛି । କିଙ୍ଗ ଚାର୍ଲସଙ୍କ ଏହି ଯାତ୍ରା କୂଟନୈତିକ ସଂପର୍କ ଦୃଷ୍ଟିରୁ ବି ଗରୁତ୍ବପୂର୍ଣ୍ଣ । ତେବେ ଇରାନ ସହ ଜାରି ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ବ୍ରିଟେନ୍ ସଂପର୍କରେ ଅବନତୀ ଘଟିଛି । ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ମତଭେଦ ସ୍ପଷ୍ଟ ବାରି ହୋଇପଡ଼ୁଛି ।