ଥିରୁଅନନ୍ତପୁରମ୍: କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ (UDF) ର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚାଲିଥିବା ସସପେନ୍ସ ଏବେ ଶେଷ ହେବାକୁ ଯାଉଛି। ବୁଧବାର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ଦିନ ଦଳ କେରଳର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ।

୨୦୨୬ କେରଳ ବିଧାନସଭା ନିର୍ବାଚନରେ ୧୪୦ଟି ଆସନ ମଧ୍ୟରୁ ୟୁଡିଏଫ (UDF) ମୋଟ ୧୦୨ଟି ଆସନ ଜିତି ବହୁମତ ହାସଲ କରିଛି। ଏଥିମଧ୍ୟରୁ କଂଗ୍ରେସ ଏକାକୀ ୬୩ଟି ଆସନ ଜିତିଛି।ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନୋଟି ପ୍ରମୁଖ ନାମ ଚର୍ଚ୍ଚାରେ ରହିଛି ।

ଭି.ଡି. ସତୀଶନ୍ (V.D. Satheesan): ସତୀଶନଙ୍କ ନେତୃତ୍ୱରେ ଦଳ ଏହି ସଫଳତା ପାଇଛି।

କେ.ସି. ବେଣୁଗୋପାଳ (K.C. Venugopal): କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ।

ରମେଶ ଚେନ୍ନିଥାଲା (Ramesh Chennithala): ଦଳର ବରିଷ୍ଠ ନେତା ।

ଗତ କିଛି ଦିନ ହେବ ଦଳୀୟ ହାଇକମାଣ୍ଡ ଏବଂ ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରେ ଘନ ଘନ ବୈଠକ ଓ ଆଲୋଚନା ଚାଲିଥିଲା। ବିଧାୟକମାନଙ୍କ ମତାମତ ନେବା ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ମଧ୍ୟ ନିୟୋଜିତ ହୋଇଥିଲେ। ବୁଧବାର ଦିନ ଦିଲ୍ଲୀରେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ସ୍ଥିର ହୋଇଛି ଯେ, ଗୁରୁବାର ସକାଳେ ବିଧିବଦ୍ଧ ଭାବେ ନେତାଙ୍କ ନାମ ଘୋଷଣା କରାଯିବ।

ଏହି ବିଜୟ ସହ କଂଗ୍ରେସ ଦୀର୍ଘ ୧୦ ବର୍ଷ ପରେ କେରଳରେ ଶାସନ ଗାଦିକୁ ଫେରୁଛି। ଗତ ଦୁଇଟି ଟର୍ମ ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାର (LDF) ଶାସନରେ ଥିଲା । ଏଥର ୟୁଡିଏଫର ଏହି ବିଜୟ ଦେଶର ରାଜନୀତିରେ କଂଗ୍ରେସ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।