କେନ୍ଦୁଝର: ଢେଙ୍କାନାଳରୁ ଆସି କେନ୍ଦୁଝରରେ ଜୀବନ ନେଲା ଦନ୍ତାହାତୀ। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଧୋବଲାହୁଡ଼ି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଉଛନ୍ତି ସେହି ଗାଁର ହାଜାତ୍ ମୁର୍ମୁ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ହାଜାତ୍ କୌଣସି କାମରେ ଘରୁ ବାହାରି ଯାଉଥିବା ସମୟରେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଗୋଡ଼ାଇବା ସହ ଶୁଣ୍ଢରେ ଆକ୍ରମଣ କରିଥିଲା। ଏହାପରେ ଗୋଡ଼ରେ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ହାଜାତଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ହାତୀ ଘଉଡ଼ାଇବା ପାଇଁ ସ୍ଥାନୀୟ ଫରେଷ୍ଟର ମୃତ ଯୁବକଙ୍କୁ ଡାକିଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ। ଏହି ଅଭିଯୋଗକୁ ନେଇ ଘଟଣାରେ ନୂଆ ମୋଡ଼ ଆସିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି।

Also Read: ତନ୍ତ୍ରବିଦ୍ୟା ପାଇଁ ମସାଣିରେ ବୀଭତ୍ସ କାଣ୍ଡ ! ସମାଧି ଖୋଳି ଶବର ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ବନ ବିଭାଗର ସୂଚନା ଅନୁଯାୟୀ, ଏକ ଦନ୍ତାହାତୀ ସହ ଗୋଟିଏ ମାଈ ହାତୀ ଓ ଏକ ଶିଶୁ ହାତୀ ସମ୍ପୃକ୍ତ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀପଲ ଅଞ୍ଚଳ ଛାଡ଼ି ନଯିବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି।

ତେବେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯିବା ପରେ ଧୋବଲାହୁଡ଼ି ଗାଁରେ ଶୋକର ଛାୟା ଖେଳିଯାଇଛି। ହାତୀ ଘଉଡ଼ାଇବାକୁ ନେଇ ମୃତକଙ୍କ ଭାଇ ଆଣିଥିବା ଅଭିଯୋଗର ତଦନ୍ତ ହେବା ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।