କେନ୍ଦ୍ରାପଡ଼ା ୦୯।୧୦ : ମହଙ୍ଗା ପଡ଼ିଲା ସ୍କୁଲ ଭିତରେ ମଦ୍ୟପାନ । ଖେଳ ଛୁଟିରେ ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ସ୍କୁଲର ପ୍ରଧାନ ଶିକ୍ଷକ ସୁନାକର ନାୟକ ଖେଳ ଛୁଟି ବେଳେ ନିଜ ଅଫିସରେ ବସି ମଦ୍ୟପାନ କରିଥିଲେ । ମଦନିଶା ଜୋର ହେବା ପରେ ପ୍ରଧାନ ଶିକ୍ଷକ ଅଫିସ ଭିତରୁ କବାଟ ଦେଇ ଶୋଇପଡିଥିଲେ । ଅନ୍ୟ ଶିକ୍ଷକମାନେ ଯେତେ ଡାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ । ଏମିତିକି ସେ ସ୍କୁଲର ଜଣେ ମାତ୍ର ଶିକ୍ଷକ ହୋଇ ଥିବା ବେଳେ ଖେଳ ଛୁଟି ପରେ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଥିଲା । ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଯାହାଫଳରେ ପିଲାମାନେ ବାହାରକୁ ଯାଇପାରିନଥିଲେ ।

Also Read:-Orangutan Odisha : କେମିତି ଓଡ଼ିଶା ଆସିଲେ ୫ ଓରାଙ୍ଗଉଟାନ୍ ? ସ୍ପେଶାଲ ଟାସ୍କ ଫୋର୍ସ ଖୋଜୁଛି ଅଡୁଆ ସୂତାର ଖିଅ

ଅନ୍ୟପଟେ ସଂଧ୍ୟା ୫ଟାରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଏହି ଘଟଣାରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍କୁଲ ଭିତରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।