ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ହେଉଥିବା ଜ୍ଞାନର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ 'କୌନ ବନେଗା କରୋଡପତି'ର ସିଜିନ ୧୭ ଏବେ ଶେଷ ହୋଇଛି । ଏହି ଅନେକ ସ୍ମୃତି ଛାଡିଯାଇଛି । କିନ୍ତୁ ଏଥରର ବିଦାୟ ସାଧାରଣ ନଥିଲା । ଶୋ'ର ଶେଷ ଦିନରେ ଅମିତାଭ ବଚ୍ଚନ ତାଙ୍କର ବିଦାୟ ଭାଷଣ ରଖିଥିଲେ । କିନ୍ତୁ ଏହି ଭାଷଣ ପୂର୍ବଥର ବିଜାୟ ଭାଷଣ ପରି ନଥିଲା । ଏଥର ତାଙ୍କ ଶବ୍ଦରେ ଥିଲା ଭାବପ୍ରବଣତା, ବିଚ୍ଛେଦର ବିରହ, ଯାହା କରିଥିଲା ଲୋକଙ୍କ ମନକୁ ଆନ୍ଦୋଳିତ । ତାଙ୍କ କଣ୍ଠସ୍ୱର ଦବି ଯାଇଥିଲା ଏବଂ ଲୁହ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା । ଭାରୀ ସ୍ୱରରେ ନିଜ ଚିରାଚରିତ ଢଙ୍ଗରେ କହିଥିଲେ, "ଦେବୀଓଁ ଓ ସଜ୍ଜନୋ, ଏବେ ଯାତ୍ରା ଶେଷ ହୋଇଗଲା ।" ଅନେକ ସିଜିନରେ ଶୋ' ଆରମ୍ଭ ଏବଂ ଶେଷ ହୁଏ, ଆମର ମଞ୍ଚରେ ଏହା ବିଦାୟ ନୁହେଁ ବରଂ ଏକ ବିଚ୍ଛେଦ । ଗୋଟିଏ ପରେ ଗୋଟିଏ, ପ୍ରତିଯୋଗୀଙ୍କ ଚେୟାର ଖାଲି ହୋଇଯିବ ଏବଂ ଷ୍ଟୁଡିଓରେ ଉପସ୍ଥିତ ଦର୍ଶକ ସେଟ୍ ଛାଡିଦେବେ । ଆଜି ଯେଉଁ ସୁନ୍ଦର ଆଲୋକ ଝଲସୁଛି ତାହା କାଲି ଅନ୍ୟ କାହା ପାଇଁ ଜଳିବ ଏବଂ କରତାଳି ମଧ୍ୟ ଅନ୍ୟ କାହା ପାଇଁ ହେବ । ହସ ଏବଂ ଖେଳର ଏହି ଦୁନିଆ ଏବେ କିଛି ମାସ ପାଇଁ ନୀରବ ହୋଇଯିବ ।

ଏହି ନୀରବତା ମଧ୍ୟରେ ଅମିତାଭ ବଚ୍ଚନ ନିଜର ଭାବପ୍ରବଣ ହାରି କହିଥିଲେ, ସେ ଏହି ମଞ୍ଚରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତର ଆନନ୍ଦ ନେଉଛନ୍ତି । ଏହି ସମୟରେ ଷ୍ଟୁଡିଓର ବଡ଼ ସ୍କ୍ରିନରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ଲେ ହୋଇଥିଲା, ଯେଉଁଥିରେ ପ୍ରଥମ ସିଜିନରୁ ଏହି ସିଜିନ ପର୍ଯ୍ୟନ୍ତ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଭିଡିଓ ଦେଖି ଅମିତାଭ ବଚ୍ଚନ ନିଜର ଲୁହକୁ ଅଟକାଇ ପାରି ନଥିଲେ । ଭିଡିଓ ଶେଷ ହେବା ମାତ୍ରେ ପୂରା ଷ୍ଟୁଡିଓ ଛିଡ଼ା ହୋଇ ତାଙ୍କୁ ପ୍ରଶଂସା କରିଥିଲା । ଭାରାକ୍ରାନ୍ତ ହୃଦୟରେ, ବିଗ୍ ବି ସମସ୍ତଙ୍କୁ ଧନ୍ୟବାଦ ଜଣାଥିଲେ । କହିଥିଲେ, ସ୍ମୃତି ଏବଂ ହସ ଭିତରେ ବିଦାୟ ନେବାର ସମୟ ଆସିଛି ।

ବିଗ୍ ବି କହିଥିଲେ, ବିଦାୟ ସମୟରେ ଶବ୍ଦ ପ୍ରାୟତଃ କମ୍ ପଡ଼ିଯାଏ ଏବଂ ଯେତେବେଳେ ଶବ୍ଦ କମ୍ ପଡ଼ିଯାଏ, ସେତେବେଳେ ସଙ୍ଗୀତର ଆଶ୍ରୟ ନେବା ଭଲ । କାରଣ ସଙ୍ଗୀତର ତାରଗୁଡ଼ିକ ସିଧାସଳଖ ହୃଦୟ ସହିତ ସଂଯୋଗ କରେ । ତାଙ୍କର ହୃଦୟସ୍ପର୍ଶୀ ଅନୁଭୂତି ବାଣ୍ଟି କହିଥିଲେ, ଅନେକ ସମୟରେ ଆମେ ଏପରି ଏକ ମୁହୂର୍ତ୍ତକୁ ବଞ୍ଚିଥାଉ, ଯାହା ଶେଷ ହେବା ବେଳେ ଲାଗେ ଏଇ ଯେପରି ଆରମ୍ଭ ହୋଇଥିଲା । ଦର୍ଶକଙ୍କୁ ସେ କହିଥିଲେ ଜୀବନର ଏକ ତୃତୀୟାଂଶରୁ ଅଧିକ ସମୟ ଆପଣମାନଙ୍କ ସହିତ ବିତାଇବା ଏକ ମହାନ ସମ୍ମାନ । ଯେତେବେଳେ ହସୁଥିଲି, ଆପଣମାନେ ହସୁଥିଲେ, ଏବଂ ଯେତେବେଳେ କାନ୍ଦୁଥିଲେ, ଆପଣମାନେ କାନ୍ଦିଥିଲେ । ଆପଣମାନେ ସମସ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଯାତ୍ରାର ଏକ ଅଂଶ ହୋଇ ଆସିଛନ୍ତି । ଅମିତାଭ ବଚ୍ଚନଙ୍କ ଏଇ କିଛି ଶବ୍ଦ କେବଳ ଷ୍ଟୁଡିଓ ବସିଥିବା ଦର୍ଶକଙ୍କୁ ନୁହେଁ ବରଂ ଟିଭି ପରଦା ସାମନାରେ ବସିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଆନ୍ଦୋଳିତ କରିଥିଲା । ଶେଷରେ ସେ ନିଜ କଥା ସାରି କହିଥିଲେ, ଏହା କେବଳ ଗୋଟିଏ ଖେଳ ନୁହେଁ ବରଂ ଆକାଂକ୍ଷା ଏବଂ ମାନବୀୟ ସମ୍ପର୍କର ଅନନ୍ୟ ଯାତ୍ରା...।