ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାକୁ ଶାନ୍ତି ଫେରୁଛି, ସ୍ଥିତିରେ ସୁଧାର ଆସୁଛି । ଏଇ କଥା କେତେ ସତ, ଗ୍ରାଉଣ୍ଡରେ ବାସ୍ତବତା କଣ ? ସତରେ କ’ଣ କାଶ୍ମୀର ପଣ୍ଡିତଙ୍କ ରହିବା ପାଇଁ ଉପତ୍ୟକା ଏବେ ସୁରକ୍ଷିତ ? କାଶ୍ମୀରୀ ପଣ୍ଡିତମାନଙ୍କର ଏକ ପ୍ରତିନିଧି ଦଳ ବର୍ତ୍ତମାନ କାଶ୍ମୀର ଉପତ୍ୟକା ଗସ୍ତ କରି ସେଠାକାର ବାସ୍ତବତା ଆକଳନ କରୁଛନ୍ତି । ସେମାନଙ୍କର ପୂର୍ବପୁରୁଷଙ୍କ ଭିଟାମାଟିକୁ ଫେରିବା ପାଇଁ ପରିସ୍ଥିତି ଅନୁକୂଳ ଅଛି କି ନାହିଁ, ତାହା ଯାଞ୍ଚ କରୁଛନ୍ତି ।

WION ରିପୋର୍ଟ ଅନୁସାରେ ଏହି ପ୍ରତିନିଧି ଦଳର ସଦସ୍ୟମାନେ ଆମେରିକା ଏବଂ ବିଭିନ୍ନ ୟୁରୋପୀୟ ଦେଶ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ୩୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାଶ୍ମୀର ଉପତ୍ୟକାକୁ ଫେରିଛନ୍ତି । ଏହି ଗ୍ରୁପ୍ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଏକ ଗ୍ରାଉଣ୍ଡ ସର୍ଭେ କରୁଛି ଏବଂ ଉପତ୍ୟକାର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳଙ୍କୁ ଅବଗତ କରାଇବେ ବୋଲି ଆଶା କରାଯାଉଛି ।

ଏହା ସହିତ ଏହି ପ୍ରତିନିଧି ଦଳ ଶ୍ରୀନଗରରେ ଆୟୋଜିତ ଏକ ଦୁଇ ଦିନିଆ ସମ୍ମିଳନୀରେ ଭାଗ ନେବେ । ସମ୍ମିଳନୀରେ କାଶ୍ମୀରୀ ପଣ୍ଡିତ ସମୁଦାୟର ପ୍ରତ୍ୟାବର୍ତ୍ତନ ଏବଂ ପୁନର୍ବାସର ସମ୍ଭାବନା ଉପରେ ଆଲୋଚନା କରାଯିବ । ସମ୍ମିଳନୀ ପରେ, ପ୍ରତିନିଧି ଦଳ ନିଜର ଅନୁଧ୍ୟାନ ଓ ସୁପାରିଶଗୁଡ଼ିକୁ ଏକ ରିପୋର୍ଟ ଆକାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ହସ୍ତାନ୍ତର କରିବାକୁ ଯୋଜନା କରିଛନ୍ତି ।

ଗସ୍ତରେ ସାମିଲ ଥିବା କାଶ୍ମୀରୀ ପଣ୍ଡିତ ସମୁଦାୟର ସଦସ୍ୟମାନେ ବର୍ତ୍ତମାନର ସ୍ଥିତିକୁ ନେଇ ଆଶା ପ୍ରକାଶ କରିଛନ୍ତି । କହିଛନ୍ତି ଯେ ସେମାନଙ୍କ ଫେରିବା ପାଇଁ ପରିସ୍ଥିତି ଅନୁକୂଳ ଜଣାପଡୁଛି । ତେବେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସଫଳତା କାଶ୍ମୀର ଉପତ୍ୟକାର ସଂଖ୍ୟାଗରିଷ୍ଠ ମୁସଲିମଙ୍କ ସମର୍ଥନ ଉପରେ ନିର୍ଭର କରେ ।

'ଗ୍ଲୋବାଲ୍ କାଶ୍ମୀରୀ ପଣ୍ଡିତ ହେରିଟେଜ୍ ଟୁର୍ ଆଣ୍ଡ୍ କନକ୍ଲେଭ୍'ର ସଦସ୍ୟ ଅଶୋକ ଧର କହିଛନ୍ତି, "ଏହି ପ୍ରତିନିଧି ଦଳର ସଦସ୍ୟମାନେ ବିସ୍ଥାପିତ ହେବା ପରେ ଭୟ ଯୋଗୁଁ କେବେବି ନିଜ ଘରକୁ ଆସିନଥିଲେ । ସେମାନେ ଆମେରିକା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି । ଆଜି, ସେମାନଙ୍କ ମଧ୍ୟରୁ ଅନେକ ଦଶନ୍ଧି ପରେ ପ୍ରଥମ ଥର ପାଇଁ ନିଜ ଘର ଦେଖିଲେ ଏବଂ ନିଜ ଲୁହ ରୋକି ପାରିନଥିଲେ । ଆମେ ସେମାନଙ୍କୁ ସାହସ ଦେବାକୁ ଚେଷ୍ଟା କରିଛୁ, କିନ୍ତୁ ଶେଷରେ କାଶ୍ମୀରର ଜନସାଧାରଣ ହିଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।"

କାଶ୍ମୀରୀ ପଣ୍ଡିତ ସମୁଦାୟର ଅନ୍ୟ ଜଣେ ସଦସ୍ୟ କହିଛନ୍ତି, "ମୁଁ ମୋର ସାରା ପିଲାଦିନ ଏଠାରେ କାଟିଛି ଏବଂ ପ୍ରତିଦିନ କାଶ୍ମୀରକୁ ମନେ ପକାଏ । ପୂର୍ବରୁ ଆମେ ଫେରିବାକୁ ଭୟ କରୁଥିଲୁ, କିନ୍ତୁ ଏଥର ପରିସ୍ଥିତିରେ ବହୁତ ସୁଧାର ଆସିଥିବା ଦେଖିବାକୁ ମିଳିଛି । ମୁଁ ପ୍ରାର୍ଥନା କରୁଛି ଯେ ଦିନେ ଆମେ ନିଜ ଘରକୁ ଫେରି ପାରିବୁ ଏବଂ ଏଠାରେ ପୁଣି ରହିପାରିବୁ ।“