ଶ୍ରୀନଗର, ୨୫/୦୮ : ଜମ୍ମୁ-କାଶ୍ମୀରର ରାଜ୍ୟ ତଦନ୍ତକାରୀ ସଂସ୍ଥା (ଏସଆଇଏ) ୧୯୯୮ ମସିହାରେ ଘଟିଥିବା କାଶ୍ମୀର ପଣ୍ଡିତଙ୍କ ନରସଂହାର ମାମଲାର ପୁନଃତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଗାନ୍ଦରବଲର ଓ୍ବାନ୍ଧାମା ଗ୍ରାମରେ ୯ ମହିଳା, ୪ ଶିଶୁଙ୍କ ସମେତ ୨୩ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା। ଏହା ବ୍ୟତୀତ ଏସଆଇଏ କାଶ୍ମୀର ପଣ୍ଡିତଙ୍କ ହତ୍ୟା ସମ୍ପର୍କିତ ଦଶନ୍ଧି ପୁରୁଣା ଫାଇଲକୁ ପୁନଃ ଯାଞ୍ଚ ଆରମ୍ଭ କରିଛି।

Also Read :- ସ୍ଵାମୀ ସାଜିଲା ସଇତାନ, ପତ୍ନୀଙ୍କ ଅନ୍ତରଙ୍ଗ ଭିଡିଓ ପୋର୍ନ ସାଇଟ୍‌ରେ କଲା ଅପଲୋଡ୍

ଏଥିରେ ନେତା ଟିକା ଲାଲ, ଜଷ୍ଟିସ୍ ନୀଳକଣ୍ଠ ଗଞ୍ଜୁ ଏବଂ ନର୍ସ ସରଳା ଭଟ୍ଟ, ଲେଖକ ସର୍ବାନନ୍ଦ କୌଲ ପ୍ରେମୀ ଏବଂ ତାଙ୍କ ପୁଅ ବୀରେନ୍ଦ୍ର କୌଲଙ୍କ ମର୍ଡର କେସ୍ ମଧ୍ୟ ସାମିଲ। ଏହି ମାମଲାରେ ସମ୍ପୃକ୍ତ ଆତଙ୍କବାଦୀ, ଓଭରଗ୍ରାଉଣ୍ଡ ୱାର୍କର୍ସ ଏବଂ ସେମାନଙ୍କ ଭୂମିକା ଜାଣିବା ଲାଗି ଏଆଇଏ ଉଦ୍ୟମ କରୁଛି I ଏହି କ୍ରମେ କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଛି। ପ୍ରକାଶଥାଉ କି, ୧୯୯୮ ଜାନୁଆରୀ ୨୫ରେ ୱାନ୍ଧାମା ଗ୍ରାମରେ ଅତ୍ୟାଧୁନିକ ଅସ୍ତ୍ରଧାରୀ ଆତଙ୍କବାଦୀବାନେ କାଶ୍ମୀର ପଣ୍ଡିତଙ୍କ ଘରେ ପଶି ଅନ୍ୟୁନ ୨୩ ଜଣଙ୍କୁ ହତ୍ୟା କରିଥିଲେ। ସାଧାରଣତନ୍ତ୍ର ଦିବସ ପୂର୍ବ ଦିନ ଏହି ଘଟଣା ଘଟିଥିଲା। ଦୀର୍ଘ ଦଶନ୍ଧି ଧରି ଏହି ମାମଲାରେ କୌଣସି ସମାଧାନ ହୋଇପାରି ନ ଥିଲା । ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଏହି ମାମଲାଗୁଡ଼ିକର ପୁନଃ ସମୀକ୍ଷା କରିବା ଲାଗି ଏସଆଇଏ ବ୍ୟାପକ ଭାବେ ପ୍ରୟାସ ଚଲାଇଛି।

ଗତ ଜୁନ୍ରେ ଏସ୍ଆଇଏ ୧୯୯୦ ମସିହାର ସରଳା ଭଟ୍ଟ ହତ୍ୟାକାଣ୍ଡରେ ୭୩୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ଜେକେଏଲଏଫ୍ ମୁଖ୍ୟ ୟାସିନ୍ ମଲ୍ଲିକକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଯାଇଥିଲା। ୧୯୮୯ ସେପ୍ଟେମ୍ବର ୧୩ରେ ଶ୍ରୀନଗରରେ କାଶ୍ମୀର ପଣ୍ଡିତ ନେତା ତଥା ଆଇନଜୀବୀ ଟିକା ଲାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ସମୟରେ ଟିକା ଲାଲ ଜମ୍ମୁ-କାଶ୍ମୀର ବିଜେପି ଉପାଧ୍ଯକ୍ଷ ଥିଲେ। ୧୯୮୯ ନଭେମ୍ବର ୪ରେ ଶ୍ରୀନଗରର ହରି ସିଂ ଷ୍ଟ୍ରିଟରେ ଜମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ବିଚାରପତି ନୀଳକଣ୍ଠ ଗଞ୍ଜୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଷ୍ଟିସ୍ ଗଞ୍ଜୁଙ୍କ ଦଣ୍ଡାଦେଶ ପରେ ଆତଙ୍କବାଦୀ ମକବୁଲ ଭଟକୁ ତିହାର ଜେଲରେ ଫାଶୀ ଦିଆଯାଇଥିଲା।