କାନପୁର: ଉତ୍ତରପ୍ରଦେଶର କାନପୁରରେ ଫାର୍ମାସ୍ୟୁଟିକାଲ୍ ବ୍ୟବସାୟୀ ବିନୀତ ମନୋଚାଙ୍କ ହତ୍ୟା ମାମଲାରେ ଆସିଛି ନୂଆ ମୋଡ଼। ପୁଲିସର ଦାବି ଅନୁସାରେ, ନିଜ ବାପାଙ୍କ ହତ୍ୟା ପାଇଁ ପୁଅ ସୁବ୍ରତ ମନୋଚା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ଅନ୍ୟ ଜଣେ ମହିଳାଙ୍କ ନାଁରେ ହୋଇଯିବାର ଭୟ ଏବଂ ନିଜର ଆର୍ଥିକ ସମସ୍ୟା ଏହି ଷଡ଼ଯନ୍ତ୍ର ପଛରେ ଥିବା ପୁଲିସ କହିଛି।

ପୁଲିସ ଅନୁସାରେ, ୬୦ ବର୍ଷୀୟ ବିନୀତ ମନୋଚା ଚିକିତ୍ସା ସାମଗ୍ରୀ/ଫାର୍ମାସ୍ୟୁଟିକାଲ୍ ବ୍ୟବସାୟ ସହ ଜଡ଼ିତ ଥିଲେ। ସେପ୍ଟେମ୍ବର ୫ ତାରିଖରେ କାନପୁରର କଲ୍ୟାଣପୁରସ୍ଥିତ ରତନ ଅର୍ବିଟ୍ ଆପାର୍ଟମେଣ୍ଟରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା।

also read -ଜାମତାରା ଗ୍ୟାଙ୍ଗକୁ ସିମ୍ କାର୍ଡ ଯୋଗାଣ ଅଭିଯୋଗ: ସମ୍ବଲପୁରରୁ ୩ ଗିରଫ

 

ପୁଲିସର ତଦନ୍ତରେ ସୁବ୍ରତଙ୍କ ଆର୍ଥିକ ସମସ୍ୟାର ମଧ୍ୟ ଖୁଲାସା ହୋଇଛି। ପୁଲିସ କହିଛି ଯେ, ଜୁଆ ଓ IPL ବେଟିଂରେ ସୁବ୍ରତଙ୍କ ଉପରେ ୪୦ ଲକ୍ଷ ଟଙ୍କାରୁ ଅଧିକ ଋଣ ହୋଇଥିଲା। ତାଙ୍କ ବାପା ପ୍ରତି ମାସରେ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ ପାଇଁ ଦେଉଥିବା ବେଳେ ସୁବ୍ରତଙ୍କ ମାସିକ ଋଣ କିସ୍ତି ପ୍ରାୟ ୫୫ ହଜାର ଟଙ୍କା ଥିବା ପୁଲିସ କହିଛି।

 

ପୁଲିସର କହିବା ଅନୁସାରେ, ବିନୀତଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ନେଇ ସୁବ୍ରତ ଜାଣିଥିଲେ। ଭବିଷ୍ୟତରେ ବିନୀତ ଅନ୍ୟ ଜଣେ ମହିଳାଙ୍କ ସହ ରହିବା ସହ ନିଜ ସମ୍ପତ୍ତି ତାଙ୍କ ନାଁରେ କରିଦେଇପାରନ୍ତି ବୋଲି ସୁବ୍ରତ ଭୟ କରୁଥିବା ପୁଲିସ ଦାବି କରିଛି। ଏହି କାରଣରୁ ସେ ବାପାଙ୍କୁ ହତ୍ୟା କରିବାର ଯୋଜନା କରିଥିବା ତଦନ୍ତକାରୀମାନେ କହିଛନ୍ତି।

ପ୍ରଥମେ ହତ୍ୟାକୁ ଦୁର୍ଘଟଣା କିମ୍ବା ସ୍ୱାଭାବିକ ମୃତ୍ୟୁ ଭଳି ଦେଖାଇବାକୁ ଯୋଜନା ହୋଇଥିଲା ବୋଲି ପୁଲିସ କହିଛି। ପରେ ଏହି ଯୋଜନା ବଦଳିଥିଲା।

କିଏ କିଏ ଗିରଫ?

ମାମଲାରେ ପୁଲିସ ପୂର୍ବରୁ ବିନୀତଙ୍କ ବୋହୂ ଶାଲୁ ମନୋଚା ଏବଂ ଦୁଇ ଜଣ କଥିତ ସୁପାରି କିଲର୍ ବିଶାଳ ଓ ରାଜକିଶୋରଙ୍କୁ ଗିରଫ କରିଥିଲା। ପରେ ବୁଧବାର ରାତିରେ ବିନୀତଙ୍କ ପୁଅ ସୁବ୍ରତଙ୍କୁ ଗିରଫ କରାଯାଇଥିଲା। ଗୁରୁବାର ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ପୁଲିସ କହିଛି ଯେ, କଲ୍ ଡିଟେଲ୍ ରେକର୍ଡ, CCTV ଫୁଟେଜ୍, ଡିଜିଟାଲ୍ ଓ ବୈଜ୍ଞାନିକ ପ୍ରମାଣ ସହ ବିଭିନ୍ନ ପରିସ୍ଥିତିଜନ୍ୟ ପ୍ରମାଣକୁ ଯାଞ୍ଚ କରିବା ପରେ ସୁବ୍ରତଙ୍କ ଭୂମିକା ସାମ୍ନାକୁ ଆସିଥିବା ଦାବି କରାଯାଇଛି।

ତେବେ ଏହି ମାମଲାରେ ସୁବ୍ରତ ନିଜେ ହତ୍ୟା କରିଥିବା ସ୍ୱୀକାର କରିନାହାନ୍ତି। ଅନ୍ୟପଟେ, ତାଙ୍କ ବୋହୂ ଶାଲୁଙ୍କ ବିରୋଧରେ ମଧ୍ୟ ତଦନ୍ତ ଜାରି ରହିଛି। ପୁଲିସ କହିଛି ଯେ, ଶାଲୁଙ୍କ ସମ୍ପୃକ୍ତି ପ୍ରମାଣିତ ନହେଲେ ତାଙ୍କୁ ନେଇ ରିପୋର୍ଟ କୋର୍ଟରେ ଦାଖଲ କରାଯାଇପାରେ।