କାନପୁର: ଉତ୍ତର ପ୍ରଦେଶର କାନପୁରରେ ଘଟିଥିବା ଚାଞ୍ଚଲ୍ୟକର ଔଷଧ ବ୍ୟବସାୟୀ ବିନୀତ ମିନୋଚା ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ଲାଗିଛି ଆଶ୍ଚର୍ଯ୍ୟଜନକ ତଥ୍ୟ। ନିଜର କୋଟିପତି ଶ୍ୱଶୁରଙ୍କୁ ହତ୍ୟା କରିବା ପାଇଁ ବୋହୂ ଶାଲୁ ଗୋଟିଏ କି ଦୁଇଟି ନୁହେଁ, ବରଂ ପୂରା ୩ଟି ପ୍ଲାନ୍ (ପ୍ଲାନ୍ A, B ଏବଂ C) ପ୍ରସ୍ତୁତ କରିଥିଲା। ପ୍ରଥମ ଦୁଇଟି ପ୍ଲାନ୍ ଫେଲ୍ ହେବା ପରେ ଶେଷରେ ‘ପ୍ଲାନ୍ C’ ଜରିଆରେ ହତ୍ୟାକାଣ୍ଡକୁ ରୂପରେଖ ଦିଆଯାଇଥିଲା। ଗିରଫ କଣ୍ଟ୍ରାକ୍ଟ କିଲର (ସୁପାରୀ କିଲର) ପୋଲିସ ଆଗରେ ଏହି ପୂରା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି।

ଶ୍ୱଶୁରଙ୍କ କଟକଣାରୁ ମୁକ୍ତି ପାଇଁ ଷଡ଼ଯନ୍ତ୍ର

ପୋଲିସର ସୂଚନା ଅନୁଯାୟୀ, ଶ୍ୱଶୁର ବିନୀତ ମିନୋଚାଙ୍କ କଟକଣା ଏବଂ ଖର୍ଚ୍ଚର ହିସାବ କିତାବକୁ ନେଇ ବୋହୂ ଶାଲୁ ବହୁତ ଅତିଷ୍ଠ ହୋଇପଡ଼ିଥିଲେ। ଏଥିରୁ ମୁକ୍ତି ପାଇବା ପାଇଁ ସେ ନିଜର ପୂର୍ବତନ ଚାକର ବିଶାଳ ଗୌତମ ଓ ତା’ର ସହଯୋଗୀ ରାଜକିଶୋରଙ୍କୁ ୬ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ଗତ ୫ ମାସ ଧରି ଏହି ହତ୍ୟାକାଣ୍ଡ ପାଇଁ ଯୋଜନା ଚାଲିଥିଲା।

Also Read: ମାଜିଷ୍ଟ୍ରେଟଙ୍କ ସାହାସ କେମିତି ହେଲା, ଛାତ୍ରଙ୍କୁ ୫ ଲକ୍ଷର ନୋଟିସ୍ ଦେଖି କ୍ଷୁବ୍ଧ ପ୍ରଧାନ ବିଚାରପତି

କ’ଣ ଥିଲା ପ୍ଲାନ୍ A, B ଏବଂ C ?

ପ୍ଲାନ୍ A ଫେଲ୍

ପ୍ରଥମ ଯୋଜନା ଅନୁଯାୟୀ, ବିନୀତଙ୍କୁ ରାସ୍ତାରେ କୌଣସି ଗାଡ଼ି ଦ୍ୱାରା ଧକ୍କା ଦେଇ ଦୁର୍ଘଟଣାର ରୂପ ଦେବାକୁ କୁହାଯାଇଥିଲା। ମାତ୍ର ସୁପାରୀ କିଲର ବିଶାଳ ଏହି ପ୍ଲାନ୍ରେ ନିଜ ଜୀବନ ପ୍ରତି ବିପଦ ଥିବା ଏବଂ ଧରାପଡ଼ିବାର ଭୟ ଥିବାରୁ କାମ କରିବାକୁ ମନା କରିଦେଇଥିଲା।

ପ୍ଲାନ୍ B ମଧ୍ୟ ଫେଲ୍

ଦ୍ୱିତୀୟ ଯୋଜନା ଅନୁଯାୟୀ, ଘର ଭିତରେ ପଶି ବିନୀତ ଶୋଇଥିବା ସମୟରେ ତକିଆରେ ମୁହଁ ଚାପି ହତ୍ୟା କରିବାର ଥିଲା, ଯାହାଫଳରେ ଏହାକୁ ହୃଦଘାତ ବୋଲି ଦର୍ଶାଯାଇପାରିଥାନ୍ତା। କାହାର କିଛି ସନ୍ଦେହ ହୋଇ ନ ଥାନ୍ତା।  ହେଲେ ତାହା ବି ହୋଇ ପାରି ନ ଥିଲା। 

Also Read: ସୀମା ଟପିଲା ସାବତ ମାଆର ନିର୍ଯାତନା, ୮ ବର୍ଷର ନାବାଳକକୁ ନିର୍ଘାତ ମାଡ

କାମ କଲା ପ୍ଲାନ୍ C

ସୁପାରୀ କିଲର ବିଶାଲ କହିଛି ଯେ, ପ୍ଲାନ ବି ଫେଲ୍ ହେବାରୁ ପ୍ଲାନ ସି ଉପରେ କାମ କରିବାର ଥିଲା। ଘଟଣା ଦିନ ରାତି ୯ଟା ୩୬ରେ ବୋହୂ ଶାଲୁ ନିଜ ସ୍ୱାମୀ ଓ ପୁଅ ସହ ବାହାରକୁ ଯିବା ପରେ, ସୁପାରୀ କିଲରମାନେ ରାତି ୯ଟା ୪୪ରେ ନକଲି ଚାବି ସାହାଯ୍ୟରେ ଫ୍ଲାଟରେ ପଶିଥିଲେ। ପ୍ଲାନ ଅନୁସାରେ ବିଶାଲ ଶାଲୁଙ୍କ ରୁମକୁ ପଶିଥିଲେ। ମାତ୍ର ବିନୀତ ଘରକୁ ଫେରି ଶାଲୁଙ୍କ ଘରର ଲାଇଟ୍ ଜଳାଇଦେବାରୁ କିଲରମାନେ ଧରାପଡ଼ିଯିବା ଭୟରେ ଛୁରୀରେ ଆକ୍ରମଣ କରି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।

୩୦୯ ଥର ଫୋନ୍ କଲ୍ ଓ ଡିଲିଟ୍ ହୋଇଥିବା ଚାଟ୍

ପୋଲିସ ବୋହୂ ଶାଲୁ ଏବଂ ହତ୍ୟାକାରୀଙ୍କ କଲ୍ ଡିଟେଲ୍ସ (CDR) ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ, ମେ ୧ ତାରିଖରୁ ଘଟଣା ଦିନ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ୩୦୯ ଥର କଥାବାର୍ତ୍ତା ହୋଇଥିଲା। ଏହା ବ୍ୟତୀତ ହ୍ୱାଟ୍ସଆପ୍ରୁ ୪୯ଟି ମେସେଜ୍ ଡିଲିଟ୍ କରାଯାଇଥିବା ଜଣାପଡ଼ିଛି। ପୋଲିସ ହତ୍ୟାକାରୀଙ୍କୁ ଏନକାଉଣ୍ଟର ପରେ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।