ବାଲିଶଙ୍କରା: କନାକୁଣ୍ଡର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ତେବେ ଏହି ଘୋଷଣା କେବଳ କାଗଜକଲମରେ ସୀମିତ ରହିଯାଇଛି । ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟୁଥିବାରୁ ସୁରକ୍ଷା ଦାବି କରିଛି କନାକୁଣ୍ଡ ବିକାଶ ମଞ୍ଚ ।

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ । ପଥର ଉପରେ ଝରିପଡ଼ୁଥିବା ନିର୍ମଳ ଜଳଧାରା, ଗଭୀର ନୀଳ ଜଳ ଓ ଚାରିପଟେ ସବୁଜ ପରିବେଶ । ଏହି ସୌନ୍ଦର୍ଯ୍ୟ ହିଁ ପର୍ଯ୍ୟଟକଙ୍କୁ କନାକୁଣ୍ଡକୁ ଟାଣି ଆଣିଥାଏ । କେବଳ ଯେ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ତେବେ କନାକୁଣ୍ଡର ବିକାଶ କରିବା ଲାଗି ଅଗଷ୍ଟ ୧୫ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଆସିଥିବା ବେଳେ କନାକୁଣ୍ଡ ପରିଦର୍ଶନ କରିଥିଲେ । ଏହାର ବିକାଶ ତଥା ସୌନ୍ଦର୍ଯ୍ୟକରଣ ଲାଗି ସରକାର ୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ ଘୋଷଣା କରିଥିଲେ । ବିକାଶ ଯୋଳନାକୁ ନେଇ ଅଞ୍ଚଳବାସୀ ଆଶାବାଦୀ । କିନ୍ତୁ ଏହାସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଦାବି ଜୋର ଧରିଛି ।

ବିଶେଷକରି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ବାରିକେଡ୍, ସତର୍କତା ସୂଚନା ଫଳକ ଓ ପଥର ଅଞ୍ଚଳରେ ଲୁହା ଚେନ୍ ଲଗାଇବାକୁ ଦାବି ହେଉଛି । ପ୍ରାୟ ୧ କି.ମି. ବିପଦପୂର୍ଣ୍ଣ ପଥର ଅଞ୍ଚଳରେ ପାଣି ବୋହୁଥିବା ସ୍ଥାନଗୁଡ଼ିକରେ ଲୁହା ଚେନ୍ ଲଗାଇଲେ ପର୍ଯ୍ୟଟକ ଗଭୀର ଜଳରାଶିକୁ ଯିବେନି କି ଦୁର୍ଘଟଣା ଘଟିବ ନାହିଁ ବୋଲି କନାକୁଣ୍ଡ ବିକାଶ ମଞ୍ଚ ସଭାପତି ଲବଣୀଧର ଦାନୀ କହିଛନ୍ତି । ବିଶେଷକରି ବର୍ଷା ଋତୁରେ ଜଳସ୍ରୋତ ବଢ଼ୁଥିବାରୁ କନାକୁଣ୍ଡରେ ସୁରକ୍ଷା କର୍ମୀ ନିୟୋଜିତ, ପର୍ଯ୍ୟଟକଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ବିପଦପୂର୍ଣ୍ଣ ଜଳ ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଲଗାଇବାକୁ ମଧ୍ୟ ଦାବି ହୋଇଛି ।

ପର୍ଯ୍ୟଟନର ବିକାଶ ନିଶ୍ଚିତ ଆବଶ୍ୟକ । କିନ୍ତୁ ପର୍ଯ୍ୟଟକଙ୍କ ଜୀବନ ତା'ଠାରୁ ଅଧୁକ ମୂଲ୍ୟବାନ । କନାକୁଣ୍ଡ ଯେପରି ଆଉ କେହି ଦୁର୍ଘଟଣାର ଶିକାର ନ ହୁ ଅତି ସେଥି ପାଇଁ ବିକାଶ ସହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଚିତ । ବିପଦପୂର୍ଣ୍ଣ ପଥର ଉପରେ ଛିଡ଼ା ହୋଇ ପର୍ଯ୍ୟଟକ ସେଲ୍ଫି ନେବା, ଗଭୀର ପାଣିରେ ଗାଧୋଇବା ବେଳେ ଦୁର୍ଘଟଣା ଘଟି ସେମାନଙ୍କ ଜୀବନ ଯାଉଛି । ଗତ ୬ ବର୍ଷରେ ୧୦ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ।

Also Read: ହେରିଟେଜ୍ ପ୍ରପର୍ଟି ପାଇଁ ନୂଆ ନୀତି, ଓଡ଼ିଶାର ଐତିହ୍ୟବାହୀ ସମ୍ପତ୍ତିକୁ ମିଳିବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ

ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୩ରେ ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ପରିବାର ସହ କନାକୁଣ୍ଡକୁ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ୨୦୨୨ ମାର୍ଚ୍ଚ ୭ ତାରିଖରେ ରୂପେଶ କୁମାର ଓ ଡିସେମ୍ବର ୧୮ରେ ସୋମେଶ ମଲ୍ଲିକ, ୨୦୨୩ ଜାନୁଆରୀ ୪ରେ ମୁକେଶ ମେହେର ଓ ଚୂଡ଼ାମଣି ମେହେର, ୨୦୨୪ ଅକ୍ଟୋବର ୧୩ରେ ସାତ୍ତ୍ୱିକ କଞ୍ଜିପତି, ଜୁଲାଇ ୩୦ରେ ରୋଶନ ପାଶ୍ୱାନ, ଜୟନାରାୟଣ ପାତ୍ର ଓ ୨୦୨୫ ଡିସେମ୍ବର ୧୩ରେ ଦୀପେଶ ପ୍ରଧାନ, ୨୦୨୬ ସେପ୍ଟେମ୍ବର ୧୯ରେ ପ୍ରଜ୍ଞଶ୍ରୀ ପଣ୍ଡାଙ୍କ ମୃତ୍ୟୁ ଘଟିବା ଘଟଣା ଏହି ସ୍ଥାନର ବିପଦକୁ ସ୍ପଷ୍ଟ କରିଛି ।