ଭୁବନେଶ୍ୱର: ଓଡ଼ିଶା ସରକାର ‘ହେରିଟେଜ୍ ପ୍ରପର୍ଟି ପ୍ରମୋସନ୍ ଗାଇଡ୍ଲାଇନ୍ସ-୨୦୨୬’ ଜାରି କରିଛନ୍ତି । ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ୱବହନ କରୁଥିବା ସମ୍ପତ୍ତିଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ଯୋଡ଼ାଯିବ । ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି-୨୦୨୬ ଅନୁସାରେ ଏହି ନିର୍ଦ୍ଦେଶାବଳୀ ରାଜ୍ୟର ଐତିହ୍ୟବାହୀ ସମ୍ପତ୍ତିର ସଂରକ୍ଷଣ ସହିତ ସେଗୁଡ଼ିକୁ ପର୍ଯ୍ୟଟନ ଆକର୍ଷଣରେ ପରିଣତ କରିବାର ପଥ ପ୍ରଶସ୍ତ କରିବ ।

ନୂଆ ନୀତି ଅନୁଯାୟୀ, ୧୯୫୦ ମସିହା ପୂର୍ବରୁ ନିର୍ମିତ ଓ ସ୍ଥାପତ୍ୟ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଭବନଗୁଡ଼ିକୁ ‘ହେରିଟେଜ୍ ପ୍ରପର୍ଟି’ ଭାବେ ବିବେଚନା କରାଯିବ । ଏହି ଶ୍ରେଣୀରେ ହେରିଟେଜ୍ ହୋଟେଲ, ହେରିଟେଜ୍ ମ୍ୟୁଜିୟମ, ହେରିଟେଜ୍ ରେଷ୍ଟୁରାଣ୍ଟ/କାଫେଟେରିଆ ଓ ହେରିଟେଜ୍ ବ୍ୟାଙ୍କ୍ୱେଟକୁ ସାମିଲ କରାଯାଇଛି ।

ସରକାରୀ ପ୍ରୋତ୍ସାହନ ପାଇବାକୁ ଇଚ୍ଛୁକ ପ୍ରକଳ୍ପଗୁଡ଼ିକ ପାଇଁ କେତେକ କଡ଼ା ଯୋଗ୍ୟତା ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରାଯାଇଛି । ଇଚ୍ଛୁକ ହେରିଟେଜ୍ ପ୍ରପର୍ଟି ମାଲିକଙ୍କୁ ସଂପୃକ୍ତ ଭବନ ୧୯୫୦ ପୂର୍ବରୁ ନିର୍ମିତ ବୋଲି ରାଜସ୍ୱ ରେକର୍ଡ, ଐତିହାସିକ ଦଲିଲ, ଜିଲ୍ଲା ପ୍ରଶାସନ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ।

ନୀତି ଅନୁଯାୟୀ, ହେରିଟେଜ୍ ପ୍ରପର୍ଟିର ମରାମତି, ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ‘କ୍ୟାପିଟାଲ୍ ଇନଭେଷ୍ଟମେଣ୍ଟ ସବସିଡି’ ପ୍ରଦାନ କରାଯିବ । ଏଥିପାଇଁ ପର୍ଯ୍ୟଟନ ବିଭାଗ ଅନୁମୋଦିତ ସଂରକ୍ଷଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକଳ୍ପର ପୂର୍ବ ମୂଲ୍ୟାଙ୍କନ କରାଯିବ । ଜିଓ-ଟ୍ୟାଗ୍ ଫଟୋ, ଭିଡିଓଗ୍ରାଫି, ମାପଚିତ୍ର ଓ ଅବସ୍ଥା ମୂଲ୍ୟାଙ୍କନ ରିପୋର୍ଟ ଆଧାରରେ ପ୍ରକଳ୍ପର ଯୋଗ୍ୟ ବିନିଯୋଗ ନିର୍ଦ୍ଧାରଣ କରାଯିବ। ପରେ ନିୟମାନୁସାରେ ସବସିଡି ମଞ୍ଜୁର କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭବନର ନବୀକରଣ କିମ୍ବା ସଂପ୍ରସାରଣ କାର୍ଯ୍ୟ ପାରମ୍ପରିକ ସ୍ଥାପତ୍ୟ ଶୈଳୀ ଓ ମୂଳ ଚରିତ୍ରକୁ ଅକ୍ଷୁଣ୍ଣ ରଖି କରିବାକୁ ପଡ଼ିବ ।