ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ନିକଟ ଅତୀତରେ ପୁଣିଥରେ ଯୁଦ୍ଧ ହୋଇପାରେ ବୋଲି ସମସ୍ତେ କହୁଥିବା ବେଳେ ଦୁଇ ଦେଶର ପରସ୍ପର ବିରୋଧରେ ଉତ୍ତେଜନା ମୂଳକ ବୟାନ ଦେଉଛନ୍ତି। ପାକିସ୍ତାନ ବାରମ୍ବାର ଧମକାଇବା ଜାରି ରଖି। ଏପଟେ ଭରାତ ସରକାର ଦେଶର ତିନି ବାହିନୀର ଯୁଦ୍ଧ ପ୍ରସ୍ତୁତି ଓ ଲଢ଼େଇ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଡ୍ରୋନ ଓ ମିସାଇଲ କିଣିବା ଜାରି ରଖିଛନ୍ତି।

ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଫେନ୍ସ ଆକ୍ୱିଜିସନ୍ କାଉନ୍ସିଲ୍ (DAC) ବୈଠକରେ ପ୍ରାୟ ୫୨ ହଜାର କୋଟି ଟଙ୍କା ମୂଲ୍ୟର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଏକାଧିକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପାଇଁ ଉନ୍ନତ ଅସ୍ତ୍ର ପ୍ରଣାଳୀ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜୀ, ମାନବବିହୀନ ଯୁଦ୍ଧ ପ୍ରଣାଳୀ ଏବଂ ସାମୁଦ୍ରିକ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଉପକରଣ ସାମିଲ ରହିଛି। DACର ମଞ୍ଜୁରି କ୍ରୟ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ। ଏହାପରେ ପ୍ରସ୍ତାବଗୁଡ଼ିକ ପରବର୍ତ୍ତୀ କ୍ରୟ ପ୍ରକ୍ରିୟାକୁ ଯିବ ଏବଂ ଶେଷରେ ଚୁକ୍ତି ସ୍ୱାକ୍ଷର କରାଯିବ।

ଯେଉଁ ଅସ୍ତ୍ର କିଣିବାକୁ ଡିଏସି ମଞ୍ଜୁରୀ ମିଳିଛି ସେଗୁଡ଼ିକ ହେଲା-

ଆଣ୍ଟି ଅନମ୍ୟାନ୍ଡ ଏରିଆଲ ଭେଇକଲ(UAV) ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଆକାଶ ତରଙ୍ଗ।ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (MPATGM) ସିଷ୍ଟମ୍ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ବାୟୁ ମାଡ଼ କରାଯାଉଥିବା କ୍ଷେପଣାସ୍ତ୍ର (MRSAM) ଅସ୍ତ୍ର ପ୍ରଣାଳୀଅତ୍ୟନ୍ତ କ୍ଷୁଦ୍ର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (V-SHORADS)ଟ୍ୟାଙ୍କ ପାଇଁ ଆକ୍ଟିଭ ପ୍ରୋଟେକ୍ସନ୍ ସିଷ୍ଟମ୍ଜେଟ୍-ଚାଳିତ କାମିକାଜେ ଡ୍ରୋନ୍

ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, 'ଆକାଶ ତରଙ୍ଗ' ଆଣ୍ଟି-ଡ୍ରୋନ୍ ସିଷ୍ଟମ ଶତ୍ରୁ ଡ୍ରୋନ୍ ଓ ଅନ୍ୟାନ୍ୟ ମାନବବିହୀନ ବିମାନର ଆକ୍ରମଣରୁ ସେନାକୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇବ। ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ଡ୍ରୋନ୍ ବିପଦ ବଢ଼ୁଥିବାରୁ ଏହି କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱଦେଶୀ MPATGM ମିସାଇଲ ବ୍ୟବସ୍ଥା ଶତ୍ରୁର ସଜ୍ଜିତ ଟ୍ୟାଙ୍କ ଓ ଯାନବାହନକୁ ଧ୍ୱଂସ କରିବାରେ ପଦାତିକ ବାହିନୀର କ୍ଷମତା ବଢ଼ାଇବ।

MRSAM ବ୍ୟବସ୍ଥା ଭାରତର ବହୁସ୍ତରୀୟ ବାୟୁ ପ୍ରତିରକ୍ଷାକୁ ଆହୁରି ମଜବୁତ କରିବ। ଏହା ଷ୍ଟାଣ୍ଡ-ଅଫ୍ ଅସ୍ତ୍ର ସମେତ ବିଭିନ୍ନ ପ୍ରକାରର ଆକାଶମାର୍ଗ ଆକ୍ରମଣକୁ ପ୍ରତିହତ କରିପାରିବ। ସେହିପରି V-SHORADS ମଲ୍ଟି-ସ୍ପେକ୍ଟ୍ରାଲ୍ ସେନ୍ସିଂ କ୍ଷମତା ସହିତ ଆସିବ, ଯାହା ଶତ୍ରୁର ଇଲେକ୍ଟ୍ରୋନିକ୍ ପ୍ରତିରୋଧକୁ ମୁକାବିଲା କରି ସ୍ୱଳ୍ପ ଦୂରତା ବାୟୁ ପ୍ରତିରକ୍ଷାକୁ ଅଧିକ ପ୍ରଭାବଶାଳୀ କରିବ।

ଟ୍ୟାଙ୍କ ପାଇଁ ଆକ୍ଟିବ ଫ୍ରୋଟେକ୍ସନ ସିଷ୍ଟମ ଆସୁଥିବା ଆଣ୍ଟି-ଟ୍ୟାଙ୍କ ମିସାଇଲ କିମ୍ବା ଅସ୍ତ୍ରକୁ ଟ୍ୟାଙ୍କରେ ଆଘାତ କରିବା ପୂର୍ବରୁ ଚିହ୍ନଟ କରି ଧ୍ୱଂସ କରିବାରେ ସକ୍ଷମ ହେବ। ସେହିପରି ଜେଟ ଚାଳିଚ କାମିକାଜେ ଡ୍ରୋନ କ୍ରୟକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ଡ୍ରୋନ୍ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ସଠିକ୍ ଆକ୍ରମଣ କରିପାରିବ। ଏହାର ଇଲେକ୍ଟ୍ରୋନିକ୍ ୱାରଫେୟାର କ୍ଷମତା ଅଧିକ, ତିଷ୍ଟି ରହିବାର କ୍ଷମତା ଭଲ ଏବଂ ଏଥିରେ ଖର୍ଚ୍ଚ କମ ହେବ।

ନୌସେନାର ସାମୁଦ୍ରିକ ପହରା ଓ ଯୁଦ୍ଧ କ୍ଷମତା ବୃଦ୍ଧି

ଭାରତୀୟ ନୌସେନା ପାଇଁ DAC ତିନୋଟି ବଡ଼ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଯେଉଁଥିରେ ରହିଛି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ସ(MIGM)ନାଭାଲ ଶିପବର୍ଣ୍ଣ ଅନମ୍ୟାନ୍ଡ୍ ଏରିଏଲ ସିଷ୍ଟମ(NSUAS)ଇଲେକ୍ଟ୍ରିନିକ୍ସ ପ୍ରପଲ୍ସନ ସିଷ୍ଟମ ପାଇଁ ଲ୍ୟାଣ୍ଡ ବେସ୍ଡ ଟେଷ୍ଟିଂ ଫେସିଲିଟ(LBTF)

ଏଥିରେ MIGM ବ୍ୟବସ୍ଥା ରଣନୈତିକ ସାମୁଦ୍ରିକ ଅଞ୍ଚଳରେ ଶତ୍ରୁ ଜାହାଜର ଗତିବିଧିକୁ ବାଧା ଦେବା ସହିତ ନୌସେନାର ମାଇନ୍ ୱାରଫେୟାର କ୍ଷମତାକୁ ମଜବୁତ କରିବ। ସେହିପରି NSUAS ଅତ୍ୟାଧୁନିକ ସେନ୍ସର ସହିତ ସଜ୍ଜିତ ହୋଇ ସମୁଦ୍ର ସୀମାରେ ନିରନ୍ତର ନଜରଦାରି, ଗୁଇନ୍ଦା ସୂଚନା ସଂଗ୍ରହ ଏବଂ ସାମୁଦ୍ରିକ କ୍ଷେତ୍ରର ସମ୍ପୂର୍ଣ୍ଣ ଚିତ୍ର ନୌସେନାକୁ ଯୋଗାଇବ।

Land-Based Testing Facility (LBTF) ନୌସେନା ପାଇଁ ବିକଶିତ ହେଉଥିବା ଇଲେକ୍ଟ୍ରିକ୍ ପ୍ରପଲସନ୍ ମୋଟର ଓ ସମ୍ପର୍କିତ ବ୍ୟବସ୍ଥାର ପରୀକ୍ଷଣ ଓ ପ୍ରମାଣୀକରଣରେ ସହାୟକ ହେବ। ଏହା ଭବିଷ୍ୟତର ଅତ୍ୟାଧୁନିକ ନୌସେନା ଟେକ୍ନୋଲୋଜୀ ବିକାଶରେ ମଧ୍ୟ ସହାୟକ ହେବ।

ବାୟୁସେନା ପାଇଁ ହାଇ-ଆଲ୍ଟିଟ୍ୟୁଡ୍ ସର୍ଭିଲାନ୍ସ ପ୍ଲାଟଫର୍ମ

DAC ଭାରତୀୟ ବାୟୁସେନା ପାଇଁ ଫିକ୍ସଡ୍ ୱିଙ୍ଗ ହାଇ ଆଲ୍ଟିଟ୍ୟୁଡ୍ - ସ୍ୟୁଡୋ ସାଟେଲାଇଟ୍ (FW-HAPS) ସମେତ ଅନ୍ୟାନ୍ୟ ପ୍ରଣାଳୀ କ୍ରୟକୁ ମଧ୍ୟ ମଞ୍ଜୁରି ଦେଇଛି।

FW-HAPS ଉଚ୍ଚ ଉଚ୍ଚତାରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିପାରିବ ଏବଂ ନିରନ୍ତର ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସସ ଏଣ୍ଡ ରିକନେସନ୍ସ (ISR) ସେବା ପ୍ରଦାନ କରିବ। ଏହି ପ୍ଲାଟଫର୍ମ କେବଳ ପହରା ଦେବନି ବରଂ ଟେଲିକମ୍ୟୁନିକେସନ୍ ଓ ରିମୋଟ୍ ସେନ୍ସିଂ କାର୍ଯ୍ୟରେ ମଧ୍ୟ ସହାୟକ ହେବ। ଫଳରେ ବିଶାଳ ଅଞ୍ଚଳ ଉପରେ ବାୟୁସେନା ନିରନ୍ତର ନଜର ରଖିପାରିବ।

ଆଧୁନିକୀକରଣ ଓ ସ୍ୱଦେଶୀକରଣ ଉପରେ ଗୁରୁତ୍ୱ

ଭାରତ ବଦଳୁଥିବା ଆଞ୍ଚଳିକ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନାର ଆଧୁନିକୀକରଣକୁ ତ୍ୱରାନ୍ୱିତ କରାଯାଉଛି। ବିଶେଷ କରି ଡ୍ରୋନ୍, ସ୍ୱୟଂଚାଳିତ ପ୍ରଣାଳୀ, ଇଲେକ୍ଟ୍ରୋନିକ୍ ୱାରଫେୟାର ଏବଂ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି କ୍ରୟ ପ୍ରସ୍ତାବଗୁଡ଼ିକ ସେନାର ଅପରେସନାଲ୍ ପ୍ରସ୍ତୁତି, ଆକ୍ରମଣ କ୍ଷମତା ଓ ଯୁଦ୍ଧକ୍ଷେତ୍ରରେ ବଞ୍ଚି ରହିବାର କ୍ଷମତାକୁ ବୃଦ୍ଧି କରିବ। ଏହା ସହିତ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା କମାଇବାର ଦୀର୍ଘମିଆଦି ଲକ୍ଷ୍ୟକୁ ମଧ୍ୟ ସୁଦୃଢ଼ କରିବ। DACର ପ୍ରାଥମିକ ମଞ୍ଜୁରି ପରେ ବର୍ତ୍ତମାନ ଏହି ପ୍ରସ୍ତାବଗୁଡ଼ିକ ପରବର୍ତ୍ତୀ କ୍ରୟ ପ୍ରକ୍ରିୟାକୁ ଯିବ ଏବଂ ସମସ୍ତ ଆନୁଷ୍ଠାନିକତା ଶେଷ ହେବା ପରେ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷର କରାଯିବ।