କଳିଙ୍ଗନଗର: କଳିଙ୍ଗନଗରକୁ ଘାଣ୍ଟୁଛି ଟୁଙ୍ଗୁରୁ ଭୋଳ । ପ୍ରାୟ ତିନିମାସ ହେଲାଣି ଟୁଙ୍ଗୁରୁ ଭୋଳ ନାମକ ଦନ୍ତାହାତୀ କଳିଙ୍ଗନଗର ଅଞ୍ଚଳରେ ବୁଲୁଛି । ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ଦୀର୍ଘ ଦିନ ହେଲା ଟୁଙ୍ଗୁରୁ ଭୋଳର ଉପସ୍ଥିତି ବନ ବିଭାଗ ଓ ସାଧାରଣ ଲୋକଙ୍କ ନିଦ ହଜାଇ ସାରିଲାଣି । କେନ୍ଦୁଝର ଅଞ୍ଚଳର ଏହି ଦନ୍ତାହାତୀ ଜୁନ୍ ମାସରୁ ଦାନଗଦୀ ବ୍ଲକର ମାନତୀରା, ପଞ୍ଚପୁରା, କିଞ୍ଚିରାଗାଡିଆ ପ୍ରଭୃତି ଗ୍ରାମ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳ ଭିତରକୁ ପଶି ଆସିଥିଲା ।

ପ୍ରଥମେ କିଛି ଦିନ ମେସ୍କୋ କାରଖାନା, ପରେ ଭିସା ସନ୍ନିକଟ ଜଙ୍ଗଲରେ ଲୁଚି ରହି ସ୍ଥାନୀୟ ଲୋକ ସହିତ ଜଙ୍ଗଲ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ପରେ ବାଲିଗୋଠ ଜଙ୍ଗଲ ଯାଇ ସେଠାରେ ଦୀର୍ଘ ୨ମାସ ଲୁଚି ରହିଥିଲା । ଗତ ୩୧ ତାରିଖ ଦିନ ରାତିରେ ଏହି ଜଙ୍ଗଲୀ ହାତୀଟି ବାହାରକୁ ଆସି କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ପାଚେରୀ ଭାଙ୍ଗି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲା । ୨ତାରିଖ ରାତିରେ ହାତୀଟି ଟେଲିବାହାଳି ପାର୍କ ଦେଇ ଧୂଳିଗଡ଼ ଗ୍ରାମ ଜଙ୍ଗଲରେ ପଶି ସେହିଠାରେ ଲୁଚି ରହିଥିଲା । ସେଠାରୁ କେନ୍ଦୁଝରର ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳର ବରାଙ୍ଗ ଜଙ୍ଗଲକୁ ପଳାଇଥିଲା ।

ଗୁରୁବାର ସକାଳୁ ସଂପୃକ୍ତ ହାତୀଟି ଟମକା ବନାଞ୍ଚଳର ଝେମଟାହୁଡ଼ିରେ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା । ଅର୍ଥାତ ବରାଙ୍ଗ ଜଙ୍ଗଲରୁ ଏହି ହାତୀଟି ବିଳମ୍ବିତ ରାତିରେ ନୀଳାଚଳ କାରଖାନା ପଛପଟ ଜଙ୍ଗଲ ଦେଇ ଟମକା ବନାଞ୍ଚଳକୁ ପଳାଇ ଆସିଥିବା ଜଣାପଡିଥିଲା । ଗୁରୁବାର ରାତି ସୁଦ୍ଧା ଏହି ଟୁଙ୍ଗୁରୁ ଭୋଳ ସୁକିନ୍ଦା ବନାଞ୍ଚଳର କଳିଙ୍ଗନଗର ୩ୟ ବାଟାଲିୟନର ସମ୍ମୁଖ ଜଙ୍ଗଲରେ ଲୁଚି ରହିଥିଲା । ଏହି ଜଙ୍ଗଲରୁ ବାହାରିଲେ ଚତୁଃପାର୍ଶ୍ବରେ ଗାଁ ଗଣ୍ଡା ଭରି ରହିଛି । ହାତୀଟି ରହିଥିବା ସ୍ଥାନରୁ ସୁକିନ୍ଦା ସଦର ମହକୁମା ମାତ୍ର ଦେଢ଼ କିଲୋମିଟର ହୋଇଥିବା ବେଳେ ସେହି ଜଙ୍ଗଲକୁ ଲାଗି ମହ୍ଲାରସାହିରେ ୬ଶହରୁ ଅଧିକ ଲୋକବିଶିଷ୍ଟ ଜନବସତି ରହିଛି । 

Also Read: ଉଦ୍ଧାର ହେଲା ହାତୀ ଛୁଆ, ଏବେବି ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଖାଦ୍ୟ ଅନ୍ବେଷଣରେ ମୁଖ୍ୟତଃ ହାତୀ ବିଭିନ୍ନ ଜଙ୍ଗଲ ବୁଲିଥାନ୍ତି । ମାତ୍ର ଏହି ଟୁଙ୍ଗୁରୁ ଭୋଳ ନାମକ ହାତୀଟି ଦୀର୍ଘଦିନ ହେବ ଗୋଠଛଡ଼ା ହୋଇ କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ସହ ବହୁ ଜନବସତିରେ ଉତ୍ପାତ କରୁଛି । ଗତବର୍ଷ କେନ୍ଦୁଝର ଜିଲ୍ଲାରେ ହାତୀଟି ଜଣେ ଲୋକଙ୍କୁ ମଧ୍ୟ ମାରି ଦେଇଥିଲା । ଚାରିଆଡ଼େ ବୁଲୁଥିବାରୁ ଜଙ୍ଗଲ ବିଭାଗ ଏହାର ନାଁ ଟୁଙ୍ଗୁରୁଢୋଲ ଦେଇଥିବା ସୂଚନା ମିଳିଛି ।