ଢେଙ୍କାନାଳ: ପରିତ୍ୟକ୍ତ କୂଅରେ ପଡ଼ି ଛଟପଟ ହେଉଥିବା ଛୁଆ ହାତୀ ଉଦ୍ଧାର। ପ୍ରାୟ ୨-୩ ଦିନ ପରେ ମିଳିତ ଉଦ୍ୟମରେ ହାତୀଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ଏବଂ ବନ ବିଭାଗ। ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା।

ସୂଚନା ଅନୁସାରେ, ବମ୍ପା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବହଣ୍ଡେଇ ନିକଟରେ ଏକ ପରିତ୍ୟକ୍ତ କୂଅରେ ଗତ ଦୁଇ ତିନିଦିନ ହେଲା ଏକ ହାତୀ ଛୁଆ ପଡିରହିଥିବା ଜଣାପଡ଼ିଥିଲା। ବାହାରିବାକୁ ବାଟ ନଥିବାରୁ ହାତୀଟି କୂଅରେ ପଡ଼ି ଛଟପଟ ହେଉଥିଲା । ତେବେ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ହିନ୍ଦୋଳ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

Also Read: ଭୋଜି କରିବାକୁ ନଦୀପଠାକୁ ଯାଇଥିଲେ ଦଶମ ଶ୍ରେଣୀ ଛାତ୍ର, ଛକି ବସିଥିଲା ଯମ

ପରେ ଜେସିବି ସାହାଯ୍ୟରେ କୂଅକୁ ଖୋଳି ଓସାରିଆ କରାଯାଇଥିଲା ହିନ୍ଦୋଳ ରୋଡ ଦମକଳ ବାହିନୀ ସହାୟତାରେ କୂଅ ଭିତରୁ ରସି ବାନ୍ଧି ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଗତ ଦୁଇ ତିନିଦିନ ହେଲା କୂଅ ପାଣିରେ ପଡିରହି ହାତୀ ଛୁଆର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡିଛି। କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରୁ ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀ ଛୁଆଟିର ବୟସ ୫/୬ବର୍ଷ ହେବ ବୋଲି ଅନୁମାନ କରାଯାଇଥିବା ବେଳେ, ଏହା ଏକ ମାଈ ହାତୀ ବୋଲି ଜଣାପଡ଼ିଛି।