ଆସିକା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ପୋଲିସକୁ ଆକ୍ରମଣ ଅଭିଯୋଗରେ ଯେଉଁ ସୁଶାନ୍ତ ସାହୁଙ୍କୁ ଥାନାକୁ ଉଠାଇ ନେଇ ନିସ୍ତୁକ ପିଟି ମାରି ଦିଆଗଲା, ପୋଲିସର FIRରେ ନଥିଲା ତାଙ୍କ ନାଁ । ଏହି FIR ଦେଇଥିଲେ ନିଜେ ଟ୍ରେନି IPS ଅଫିସର ନିତେଶ କୁମାର ମିଶ୍ର । ସେପଟେ କବିସୂର୍ଯ୍ୟ ନଗର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି HRPCର ଦୁଇ ଜଣିଆ ଟିମ୍ ।

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା । FIRରେ ନ ଥିଲା ମୃତ ସୁଶାନ୍ତଙ୍କ ନାଁ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ପୋଲିସକୁ ଆକ୍ରମଣ ଅଭିଯୋଗରେ ଯେଉଁ ସୁଶାନ୍ତ ସାହୁଙ୍କୁ ଥାନାକୁ ଉଠାଇ ନେଇ ନିସ୍ତୁକ ପିଟି ମାରି ଦିଆଗଲା, ପୋଲିସର FIRରେ ନଥିଲା ତାଙ୍କ ନାଁ । ଏହି FIR ଦେଇଥିଲେ ନିଜେ ଟ୍ରେନି IPS ଅଫିସର ନିତେଶ କୁମାର ମିଶ୍ର ।

Also Read: ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଏଚଆରପିସି ତଦନ୍ତ ଆରମ୍ଭ; ରାକେଶଙ୍କ ଶାଶୁ ଆଣିଲେ ସଙ୍ଗୀନ ଅଭିଯୋଗ

ଗତ ୨୦ ତାରିଖ ରାତିରେ ସୁବଳୟା ଗାଁରେ ଏବ ବେଆଇନ୍ ପଥର କ୍ବାରୀରେ ତାଙ୍କ ଉପସ୍ଥିତିରେ କେମିତି ହୋମଗାର୍ଡ଼ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଅଭିଯୁକ୍ତମାନେ ଠେଲି ତଳେ ପକାଇ ଦେବା ପରେ ହତ୍ୟା କରିବା ଉଦେଶ୍ୟରେ ତାଙ୍କ ମୁହଁ ଓ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ, ତାହା ସେ FIRରେ ଲେଖିଛନ୍ତି । ଏଥି ସହିତ ଅଭିଯୁକ୍ତମାନେ ତାଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀଙ୍କ ଉପରକୁ ପଥରେ ଫିଙ୍ଗିଥିଲେ ବୋଲି FIRରେ ଉଲ୍ଲେଖ କରିଥିଲା ପୋଲିସ ।

IPS ଅଫିସର ଦେଇଥିବା ପ୍ଲେନ୍ ପେପର FIRରେ ଅଭିଯୁକ୍ତମାନଙ୍କ ନାଁ ଉଲ୍ଲେଖ କରିଛନ୍ତି । ଏଥିରେ ସୁବଳୟା ଗାଁର ବସନ୍ତ ସାହୁ, ଦିଲ୍ଲୀପ କୁମାର ସାହୁ, ବସନ୍ତ ସାହୁଙ୍କ ପତ୍ନୀ ପ୍ରତିମା ସାହୁ ଓ ପୁଅ ଈଶ୍ବର କୁମାର ସାହୁଙ୍କ ନାଁ ରହିଥିଲେ ମଧ୍ୟ କେଉଁଠି ବି ମୃତ ସୁଶାନ୍ତ ସାହୁଙ୍କ ନାଁ ନାହିଁ। ପୋଲିସ ଦେଇଥିବା FIRରୁ ସ୍ପଷ୍ଟ ହେଉଛି ଯେ, ସୁଶାନ୍ତ ଘଟଣାସ୍ଥଳରେ ନଥିଲେ । ତା’ ସତ୍ତ୍ବେ ପୋଲିସ କାହିଁକି ସୁଶାନ୍ତଙ୍କୁ ସପ୍ତାହେ କାଳ ଥାନାରେ ବେଆଇନ୍ ଭାବେ ଅଟକ ରଖି ନିର୍ଯାତନା ଦେଇଥିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

Also Read: ସୌମ୍ୟ ହତ୍ୟା ଘଟଣାରେ NHRC ଟିମର ଛାନଭିନ୍, ଦ୍ବିତୀୟ ଦିନରେ କ୍ରାଇମ ସ୍ପଟରେ ତଦନ୍ତ

ସେପଟେ NHRCଙ୍କ ଗାଇଡ୍ ଲାଇନ୍ ଅନୁସାରେ ସୁଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି । MKCG ମେଡିକାଲର FMT ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାସଙ୍କ ନେତୃତ୍ବରେ ତିନି ଜଣ ବରିଷ୍ଠ ଡାକ୍ତରଙ୍କ ଦ୍ବାରା ସୁଶାନ୍ତଙ୍କ ବ୍ୟବଚ୍ଛେଦ କରାଯାଇଛି । ତାଙ୍କର ଭିସେରା ରିପୋର୍ଟ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରୋଟାରୀକୁ ପଠାଯାଇଛି । ସମସ୍ତ ରିପୋର୍ଟ ଆସିବା ପରେ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ତେବେ ସୁଶାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା ବୋଲି ଜଣାପଡ଼ିଛି । ଏସବୁ ଭିତରେ ସାମ୍ନାକୁ ଆସିଛି ପଥର ଖାଦାନରେ ମୃତ ସୁଶାନ୍ତଙ୍କ ପରିବାର ସହ ପୋଲିସର ହାତାହାତିର ଏକ୍ସକ୍ଲୁସିଭ୍ ଭିଜୁଆଲ । ପୋଲିସ ଓ ଖଣି ବିଭାଗର ଚଢ଼ାଉ ବେଳେ କେମିତି ସେଠାରେ ଜଣେ ମହିଳାଙ୍କୁ ମାଡ଼ ମରାଯାଉଥିଲା ତା’ର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

Also Read: ଯାତ୍ରୀଙ୍କ ପକେଟକୁ ଝଟକା, ପୁଣି ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସ୍ ପାଇଁ ଦେବାକୁ ପଡ଼ିବ କେତେ ଟଙ୍କା

କବିସୂର୍ଯ୍ୟନଗର ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି HRPCର ଦୁଇ ଜଣିଆ ଟିମ୍ । ଏହି ଘଟଣାରେ ପୋଲିସ କ’ଣ ତଦନ୍ତ କରିଛି ତା’ର ରିପୋର୍ଟ HRPCକୁ ଦେଇଛନ୍ତି ଗଞ୍ଜାମ ଏସପି । ସେହିଭଳି କବିସୂର୍ଯ୍ୟନଗର ଥାନାର ଦାୟିତ୍ବ କାହାକୁ ଦିଆଯିବ ସେନେଇ ଗଞ୍ଜାମ ଏସପି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଆଗକୁ ଯେଭଳି କୌଣସି ଥାନାରେ ଏଭଳି ଘଟଣାର ପୁନରାବୃତ୍ତି ନହେବ ସେନେଇ ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।

ଏହି ଘଟଣାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ କବିସୂର୍ଯ୍ୟନଗର ଥାନାର ସ୍ବାଧୀନ ଦାୟିତ୍ବରେ ଥିବା ଟ୍ରେନି IPS ନିତେଶ କୁମାର ମିଶ୍ରଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଥାନାରୁ ସବ୍ ଇନ୍ସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ASI ବୈକୁଣ୍ଠ ଜେନା ଓ କନଷ୍ଟେବଲ ସୁମନ କୁମାର ସାହୁଙ୍କୁ ସସ୍ପେଣ୍ଡ କରାଯାଇଛି ।

ସେହିଭଳି ଦାୟିତ୍ବରେ ଅବହେଳା ପାଇଁ ଗାଡ଼ି ଡ୍ରାଇଭର ତଥା ହୋମଗାର୍ଡ଼ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସେହିଭଳି ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ ଓ ପ୍ରଭାବମୁକ୍ତ କରିବା ପାଇଁ କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ଅନ୍ୟ ପୋଲିସ ସବଡିଭିଜନକୁ ବଦଳି କରାଯାଇଛି ।