ବାଲିଅନ୍ତା: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRC ଟିମର ଛାନଭିନ୍। ମଙ୍ଗଳବାର ବାଲିଅନ୍ତା ସ୍ଥିତ କ୍ରାଇମ୍ ସ୍ପଟକୁ ଯାଇ NHRC ସଦସ୍ୟମାନେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଘଟଣାର ତଦନ୍ତ କରିଛନ୍ତି। ଏହି ଟିମ୍ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ଏହା ସହିତ ସୌମ୍ୟଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ସେପଟେ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତ ଦୀପୁ ଓରଫ ପ୍ରଦୀପ ମଙ୍ଗରାଜକୁ ଢେଙ୍କାନାଳରୁ ଗିରଫ କରାଯାଇଥିବା ବେଳେ ମୋଟ ଗିରଫଦାରୀ ସଂଖ୍ୟା ୧୮ରେ ପହଞ୍ଚିଛି।

ସୂଚନାଥାଉକି, ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ଗୋଟିଏ ଦିନରେ ୪ ସ୍ଥାନରେ ଛାନଭିନ କରିଛି। ମଙ୍ଗଳବାର ସକାଳେ ଷ୍ଟେଟ୍ ଗେଷ୍ଟ ହାଉସରେ ADGଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ଜଣଙ୍କୁ ପଚରା ଉଚରା କରିଛନ୍ତି ଟିମ୍ । ଏହି ୭ଜଣଙ୍କ ଭିତରେ ADGଙ୍କ ଘରେ ନିୟୋଜିତ କନଷ୍ଟେବଲ, ୨ଜଣ PSO, ଡ୍ରାଇଭର ଅଛନ୍ତି। ପରେ ଅପରାହ୍ଣରେ କ୍ରାଇମ ସ୍ପଟକୁ ଯାଇ, କେଉଁ ପରିସ୍ଥିତିରେ ସୌମ୍ୟଙ୍କ ହତ୍ୟା ହେଲା ତାହା ଜାଣିବାକୁ ଚାହିଁଥିଲେ।  ସେଠାରେ ଥିଲେ ବାଲିଅନ୍ତାର ତତ୍କାଳୀନ ପୋଲିସ ଅଧିକାରୀ ଅନୀଲ ପରିଡ଼ା। ଏନଏଚଆରସି ସଦସ୍ୟ ତାଙ୍କୁ ପଚରାଉଚରା କରିଥିଲେ। ଆଉ ପୂର୍ବତନ ଆଇଆଇସି ମିଡିଆକୁ କିଛି କହିବାକୁ କିନ୍ତୁ ମନା କରିଥିଲେ।

Also Read:  NHRC ଟିମ୍ କରୁଛି ଛାନ୍‌ଭିନ୍‌, ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଚାଲିଛି ଜେରା​​​​​​​

ଏହା ପରେ ଟିମ ଅଡଶପୁର କଲେଜ ରୋଡ ସ୍ଥିତ ଫିଟନେସ ଗ୍ୟାଲେରୀ ଜିମକୁ ଯାଇଥିଲା । କେତେ ଦିନ ସୌମ୍ୟଙ୍କ ଏହି ଜିମ୍ ଚାଲୁଥିଲା, ସେଠାରେ ତାଙ୍କର କାର୍ଯ୍ୟ କଣ ଥିଲା ଆଦି ଜାଣିବାକୁ ଚାହିଁଥିଲେ। ପରେ ମଉଜପୁରରେ ପହଞ୍ଚିଥିଲା NHRC ଟିମ୍। ସୌମ୍ୟଙ୍କ ଘରେ ପରିବାର ଲୋକଙ୍କୁ ପଚରାଉଚରା କରିଛନ୍ତି ଟିମର ସଦସ୍ୟ। ଏଥିସହିତ ଗାଁ ଲୋକେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା ରଖିଥିବା ପ୍ରକାଶ କରିଛନ୍ତି।

ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ସେପଟେ ଏହି ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଛି କ୍ରାଇମ୍ ବ୍ରାଞ୍ଚ। ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦୀପୁକୁ ଢେଙ୍କାନାଳ ଜିଲ୍ଲାରୁ ଗିରଫ କରାଯାଇଛି। ଏହା ସହିତ ମୋଟ ଗିରଫଦାରୀ ସଂଖ୍ୟା ୧୮ରେ ପହଞ୍ଚିଛି। ଅଭିଯୁକ୍ତ ପ୍ରଦୀପ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ପ୍ରଦୀପର ଘର ବାଲିଅନ୍ତା ବେଣୁପୁର ଅଞ୍ଚଳରେ ହୋଇଥିବା ବେଳେ ହତ୍ୟା ଘଟଣା ଦିନଠାରୁ ସେ ଫେରାର ଥିଲା । ଘଟଣାରେ ଆହୁରି ପାଞ୍ଚରୁ ଛଅ ଜଣ ଅଭିଯୁକ୍ତଙ୍କ ପ୍ରମାଣ ମିଳିଛି। ସୌମ୍ୟ ହତ୍ୟାକାଣ୍ଡରେ କିଛି ସ୍ଥାନୀୟ ଲୋକଙ୍କ ସହ କିଛି ବାହାର ଯୁବକ ସାମିଲ ଥିଲେ। ହେଲେ ଏହା ଏକ ପ୍ରି ପ୍ଲାନ୍ ହତ୍ୟାକାଣ୍ଡ ନୁହେଁ ବୋଲି ଆଇଜି କହିଛନ୍ତି। ଆସନ୍ତା ୫ ତାରିଖ ଯାଏ ଓଡ଼ିଶାରେ ରହି ସୌମ୍ୟ ହତ୍ୟାର ସରଜମିନ୍ ତଦନ୍ତ କରିବ NHRC ଟିମ୍।

Also Read: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

NHRC ତଦନ୍ତକୁ ନେଇ କ’ଣ କହିଲେ ସୌମ୍ୟଙ୍କ ବାପା- ମାଆ ?

ସେପଟେ NHRC ଟିମର ତଦନ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ବାପା-ମାଆ। ସେ କହିଛନ୍ତି ‘‘ ଆଶା ଅଛି ନ୍ୟାୟ ମିଳିବ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନଥିବା କଥା NHRCକୁ ଜଣାଇଛୁ।ସିବିଆଇ ତଦନ୍ତ ହେଉ ବୋଲି କହିଛୁ। ମୋ ଛୁଆକୁ ପୋଲିସ ଉପସ୍ଥିତିରେ ହତ୍ୟା କରାଗଲା। ପୋଲିସ ଅଧିକାରୀଙ୍କୁ ସସ୍ପେଣ୍ଡ ଏବଂ ବଦଳି କରାଯାଇଛି। ଏହା କ’ଣ ଏକ ଦଣ୍ଡ କି ?’’ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ବାପା- ମାଆ।

ସେ ଆହୁରି କହିଛନ୍ତି, ‘‘ଆମ ମନକୁ ବୁଝିବା ଭଳି ସବୁ ବୁଝାଇଛନ୍ତି। ଯେଉଁମାନେ ବାଡେଇ ମାରୁଛନ୍ତି ସେମାନେ ସମସ୍ତେ ଗିରଫ ହେବା ଦରକାର। ଏଡିଜି ମୋ ପୁଅକୁ ନିର୍ଯାତନା ଦେଉଥିଲେ ଓ ଘରୋଇ କାମରେ ନିୟୋଜିତ କରୁଥିଲେ। ପୋଲିସ କାହିଁକି ଦଣ୍ଡ ପାଇବ ନାହିଁ’’ ବୋଲି କ୍ଷୋଭର ସହ କହିଛନ୍ତି ମୃତ ସୌମ୍ୟଙ୍କ ବାପା- ମା।