ବାରଙ୍ଗ: ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଏଚଆରପିସି ତଦନ୍ତ। ମଙ୍ଗଳବାର ହ୍ୟୁମାନ ରାଇଟ୍‌ସ ପ୍ରୋଟେକ୍‌ସନ୍‌ ସେଲ୍‌ (HRPC)ର ୩ ଜଣିଆ ଟିମ୍ ବାରଙ୍ଗ ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଟିମରେ ଅଛନ୍ତି ଏଚଆରପିସି ଏଏସପି ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ।

ଟିମ୍ ବାରଙ୍ଗ ଥାନାରେ କଟକ ଅତିରିକ୍ତ ଡିସିପି ରଞ୍ଜିତ କୁମାର ପୃଷ୍ଟି, ଜୋନ ୪ ଏସିପି ଅମିତାଭ ମହାପାତ୍ରଙ୍କ ସହିତ ପ୍ରାୟ ଅଧଘଣ୍ଟା ଆଲୋଚନା କରିଥିଲେ।  ଏନେଇ ଏଏସପି କହିଛନ୍ତି, ତଦନ୍ତ କ୍ରମେ ସିସିଟିଭି ଫୁଟେଜ ଓ ଡକ୍ୟୁମେଣ୍ଟ ମଗାଯିବ । ଟେକ୍ନିକାଲ ଟିମ ଫୁଟେଜ ନେବେ।

ଏହା ପୂର୍ବରୁ ସକାଳୁ ଏଚଆରପିସି ଟିମ୍ କଟକ ମେଡିକାଲ ଯାଇ ରାକେଶଙ୍କୁ ଭେଟିଥିଲେ। ତାଙ୍କ ଦେହ ସୁସ୍ଥ ଥିବା ଡାକ୍ତର କହିଥିବା ସେ କହିଥିଲେ। ମେଡିକାଲରେ ପରିବାର ଲୋକଙ୍କ ସହିତ ଭେଟ ହୋଇନଥିଲା। ପରେ କଟକ ସଦର ଥାନା ଯାଇଥିଲେ। ସେଠାରେ ରାକେଶଙ୍କ FIR ଥିବାରୁ କାଗଜ ପତ୍ର ଦେଖି ଫେରିଥିଲେ।

Also Read: ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ଆକ୍ସନ, ବଦଳିଲେ ଥାନା ଆଇଆଇସି

ପିସିସି ସଭାପତିଙ୍କ ଅଭିଯୋଗ

ସେପଟେ ମଙ୍ଗଳବାର ପୀଡ଼ିତ ରାକେଶ ବେହେରାଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ସଭାପତି ଭକ୍ତ ଦାସ। ସେ କହିଛନ୍ତି ‘‘ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା ପ୍ରମାଣିତ କରୁଛିକି, ରାଜ୍ୟରେ ଆଇନର ଶାସନ ଚାଲିନାହିଁ। ଥାନା ଭିତରେ ଥାର୍ଡ଼ ଡିଗ୍ରୀ ହୋଇଥିବା ସ୍ପଷ୍ଟ। କିନ୍ତୁ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାଲାଗି ପୋଲିସ ଅପଚେଷ୍ଟା କରିଛି। ରାକେଶ ଏବେ ଏସସିବି କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ରାକେଶ ବେହେରା ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ କିନ୍ତୁ ପ୍ରକୃତ ଦୋଷୀ ଏଯାଏଁ ଧରା ପଡ଼ିନାହାଁନ୍ତି।’’ ଦୋଷୀ ପୋଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ପୋଲିସ ଭଦ୍ର ହେଉ ଏବଂ ସମ୍ବେଦନଶୀଳ ହେବାଲାଗି କହିଛନ୍ତି ଭକ୍ତ ଦାସ।

ରାକେଶଙ୍କ ଶାଶୁ ଆଣିଲେ ଗୁରୁତର ଅଭିଯୋଗ

ଏହାରି ମଧ୍ୟରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାକେଶଙ୍କ ଶାଶୁ । ସେ କହିଛନ୍ତି ‘‘ରାକେଶଙ୍କ ଅବସ୍ଥାରେ ସୁଧାର ଆସୁଛି। ଡାକ୍ତର ଲଗାତର ଚିକିତ୍ସା କରୁଛନ୍ତି । ମୋ ଜ୍ୱାଇଁ ବଞ୍ଚି ଯାଆନ୍ତୁ।’’ ହେଲେ ଘଟଣାକୁ ନେଇ ବଡ଼ ବୟାନ ଦେଇ ସେ କହିଛନ୍ତି ‘‘ ମୁଁ ଆଗକୁ ସବୁ ରହସ୍ୟ ଖୋଲିବି । ଜ୍ୱାଇଁର ଦୁର୍ଘଟଣା  କଥା ମିଛ। ତାକୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଛି। ଯଦି ଥାର୍ଡ ଡିଗ୍ରୀ ଦିଆଯାଇନାହିଁ ତା’ହେଲେ ଆଇଆଇସିଙ୍କୁ କାହିଁକି ବଦଳି କଲେ। ମୁଁ ଯଦି ମୁଖା ଖୋଲିବି ପୋଲିସ ମୋ ଜ୍ୱାଇଁର ଚିକିତ୍ସାରେ ଅବହେଳା କରିବେ ତେଣୁ ମୁ ପରେ ସବୁ କହିବି।’’