ନୂଆଦିଲ୍ଲୀ: ଜଷ୍ଟିସ୍ ଜେ.କେ.ମହେଶ୍ୱରୀ ଅବସର ନେବା ଯୋଗୁ ଜଷ୍ଟିସ୍ ପି.ଏସ୍.ନରସିମହା ସୁପ୍ରିମକୋର୍ଟ କଲେଜିୟମ ସଦସ୍ୟ ହେବାକୁ ଯାଉଛନ୍ତି। ଜଷ୍ଟିସ୍ ନରସିମହା ୨ ମେ ୨୦୨୮ରେ ଚାକିରିରୁ ଅବସର ଗ୍ରହଣ କରିବେ, ତେବେ ସେ ପର୍ଯ୍ୟନ୍ତ ସେ କଲେଜିୟମ ସଦସ୍ୟ ରହିବେ। ଜଷ୍ଟିସ୍ ମହେଶ୍ୱରୀ ତାଙ୍କ ୫ ବର୍ଷର କାର୍ଯ୍ୟକାଳ ପରେ ରବିବାର ଅବସର ଗ୍ରହଣ କରିଛନ୍ତି। ଏଣୁ କଲେଜିୟମରେ ଏବେ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବି.ଭି.ନାଗରତ୍ନା, ଜଷ୍ଟିସ୍ ଏମ.ଏମ.ସୁନ୍ଦରେଶ ଓ ଏବେ ଜଷ୍ଟିସ୍ ପି.ଏସ.ନରସିମହା ସାମିଲ ହେବେ।

୧୯୯୩ ମସିହାରେ ଅସ୍ତିତ୍ୱକୁ ଆସିଥିବା ସୁପ୍ରିମକୋର୍ଟ କଲେଜିୟମ ପ୍ରଣାଳୀ ସୁପ୍ରିମକୋର୍ଟର ଶୀର୍ଷ ୫ ବିଚାରପତି, ୨୫ ଉଚ୍ଚନ୍ୟାୟାଳୟଙ୍କ ବିଚାରପତି ନିଯୁକ୍ତି, ସେମାନଙ୍କ ସ୍ଥାନାନ୍ତରଣ ଓ ପଦୋନ୍ନତୀ ସୁପାରିଶ କରନ୍ତି। ଏହି ପ୍ରଣାଳୀ ଅନୁସାରେ ସରକାର ସୁପାରିଶକୁ କଲେଜିୟମକୁ ଫେରସ୍ତ ପଠାଇ ପାରନ୍ତି। ତେବେ ପରେ ଯଦି ସୁପାରିଶ ଦୋହରା ଯାଏ ତେବେ ଏହାକୁ ଗ୍ରହଣ ମଧ୍ୟ କରନ୍ତି। କିଛି ମାମଲାରେ ସରକାର ଫାଇଲ ଫେରସ୍ତ କରନ୍ତିନି ନଚେତ ପ୍ରତିକ୍ରିୟା ଦେଇ ନଥାନ୍ତି।

ଜଷ୍ଟିସ୍ ନରସିମହାଙ୍କ ଜନ୍ମ ୩ ମେ ୧୯୬୩ରେ ହାଇଦ୍ରାବାଦରେ ହୋଇଥିଲା। ସେ ନିଜାମ କଲେଜ ହାଇଦ୍ରାବାଦରେ ଅର୍ଥଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ପବ୍ଲିକ୍ ଆଡମିନେଷ୍ଟ୍ରେସନରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ। ପରେ ୧୯୮୮ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଲ ସେଣ୍ଟରରେ ଆଇନ ଅଧ୍ୟୟନ କରିଥିଲେ। ସେହିବର୍ଷ ସେ ଓକିଲ ରୂପେ କାମ ଆରମ୍ଭ କରିଥିବା ବେଳେ ହାଇଦ୍ରାବାଦ ହାଇକୋର୍ଟ, ସିଭିଲ କୋର୍ଟ ଓ ଟ୍ରିବ୍ୟୁନାଲରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ।

ପରେ ସେ ତାଙ୍କ ଓକିଲାତିକୁ ଦିଲ୍ଲୀ ସ୍ଥାନାନ୍ତରଣ କରିଥିବା ବେଳେ ସୁପ୍ରିମକୋର୍ଟର ଅନେକ ମାମଲା ପରିଚାଳନା କରିଛନ୍ତି,ଯେଉଁଥିରେ ସମ୍ବିଧାନ ପୀଠ ମାମଲା ମଧ୍ୟ ରହିଛି। ଜଷ୍ଟିସ୍ ନରସିମହାଙ୍କୁ ୩୧ ଅଗଷ୍ଟ ୨୦୨୧ରେ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତୀ ଦିଆଯାଇଥିଲା।