ନୂଆଦିଲ୍ଲୀ: ଟିଭି ଡିବେଟ୍ ଚାଲିଥିବା ବେଳେ ପରସ୍ପରକୁ ଗୋଇଠା ମୁଥା ବର୍ଷା କଲେ ଗେଷ୍ଟ। ଅନ୍ୟ ଉପାୟ ନପାଇ ସିକ୍ୟୁରିଟିଙ୍କୁ ଡାକିଲେ ଆଙ୍କର। ଯାହାର ପୂରା ଦୃଶ୍ୟ ପ୍ରସାରଣ କରାଯିବା ପରେ ଉକ୍ତ ଚ୍ୟାନେଲକୁ ତୀବ୍ର ସମାଲୋଚନା କରାଯାଇଛି। ଏହି ଘଟଣାଟି ଘଟିଛି ଆର୍ମେନିଆ ଦେଶରେ।

ଆର୍ମେନିଆର ରାଜନୈତିକ ବିଶ୍ଳେଷକ ହାରୁଟ୍ୟୁନ୍ ମକ୍ରତଚ୍ୟାନ୍ ଏବଂ ସାମ୍ବାଦିକ ବୋରିସ୍ ମୁରାଜି "ବିଗ୍ ଡିବେଟ୍" କାର୍ଯ୍ୟକ୍ରମରେ ଭାଗ ନେଇ ଏକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଡିବେଟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ଦୁଇ ଗେଷ୍ଟ ପରସ୍ପରକୁ ଅଭଦ୍ରଗାଳି ଗୁଲଜ କରିବା ସହିତ ଗୋଇଠା ମୁଥା ମାରିବା ଆରମ୍ଭ କରିଥିଲେ। ଶୋ ହୋଷ୍ଟ କରୁଥିବା ଆଙ୍କର ଅନ୍ୟ ଉପାୟ ନ ପାଇ ଛାନିଆ ହେଇ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ। ତା’ପରେ ମାମଲା ଥଣ୍ଡା ପଡ଼ିଥିଲା।

ହେଲେ ଝଗଡ଼ାର ସମାଧାନ ହେବା ପୂର୍ବରୁ ଟିଭି ଷ୍ଟୁଡିଓ ରଣକ୍ଷେତ୍ର ପାଲଟି ସାରିଥିଲା। ସବୁ ଛିନଛତ୍ର ହୋଇଯାଇଥିଲା। ଆଉ ଆଙ୍କର ଏକଦମ କାବ୍ବା। ସବୁଠାରୁ ବଡ଼ କଥା ହେଲା ଏହା ଏକ ରେକର୍ଡେଡ ପ୍ରୋଗ୍ରାମ ଥିଲା। ଅର୍ଥାତ୍ ଡିବେଟ ଲାଇଭ ଚାଲୁ ନଥିଲା। ପରେ ଏହାକୁ ଏଡିଟ କରି ଅପ୍ରିତିକର ସିନ୍ ବାହାର କରି ପ୍ରସାରଣ କରାଯାଇପାରିଥାନ୍ତା, ହେଲେ ନ୍ୟୁଜ ଚ୍ୟାନେଲ୍ ଏହାକୁ ଏଡିଟ୍ ବିନା ପ୍ରସାରଣ କରିଥିଲେ।

Also Read- ଗୁରୁତ୍ୱପୂର୍ଣ୍ଣ ଏପେକ୍ ବୈଠକ ବେଳେ ଶୋଇପଡିଲେ ଟ୍ରମ୍ପ! ଭିଡିଓ ଭାଇରାଲ ପରେ ସମାଲୋଚନା, ଦେଖନ୍ତୁ ଭିଡିଓ

ଏହାପରେ ଟେଲିଭିଡନ ଓ ରେଡିଓ କମିଶନ ଚ୍ୟାନେଲର ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଏହି ସଂଘର୍ଷର ଦୃଶ୍ୟ ପ୍ରସାରଣ କରିବା ଦ୍ୱାରା ହିଂସାକୁ ପ୍ରୋତ୍ସାହନ ମିଳିଛି। ହିଂସା ବୈଧ ବୋଲି ଏକ ମେସେଜ୍ ଯାଉଥିବା କମିଶନ କହିଛି। ତେଣୁ ପ୍ରସାରଣକାରୀ ସଂସ୍ଥାର ସମ୍ପାଦକୀୟ ନୀତିକୁ କମିଶନ ସମାଲୋଚନା କରିଛନ୍ତି। ଏବଂ ଚ୍ୟାନେଲ ଉପରେ କଟକଣା ଲଗାଇବାକୁ କମିଶନ ସୁପାରିଶ କରିଛି।

ସେପଟେ ସାର୍ବଜନୀନ ପ୍ରସାରଣ ପରିଷଦର ଅଧ୍ୟକ୍ଷ ଭାସାକ୍ ଦାରବିନ୍ୟାନ କିନ୍ତୁ କମିଶନର ଯୁକ୍ତିକୁ ବିରୋଧ କରିଥିଲେ। ଉକ୍ତ ଦୃଶ୍ୟଗୁଡ଼ିକୁ ପ୍ରଦର୍ଶନ କରିବା ନିଷ୍ପତ୍ତିର ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ପବ୍ଲିକ ଫିଗର(ନେତାମାନେ) କିପରି ଆଚରଣ କରନ୍ତି, ତାହା ଦର୍ଶକମାନେ ବି ଦେଖିବା ଉଚିତ୍ ବୋଲି ସେ କହିଥିଲେ।

ଏନେଇ ସେ କମିଶନକୁ ପ୍ରଶ୍ନ କରି କହିଥିଲେ “ ସତକୁ ଲୁଚାଇ ପବ୍ଲିକ ଫିଗର ଲୋକମାନେ ଖୁବ୍ ଭଲ ଓ ନିର୍ଦ୍ଦୋଷ ବୋଲି ଦେଖାଇବା କଣ ଉଚିତ ହେବ ? ” ତେଣୁ ପ୍ରୋଗ୍ରାମକୁ ଏଡିଟ୍ କରି ପ୍ରସାରଣ କରିବାର କୌଣସି କାରଣ ନାହିଁ ବୋଲି ଭାସାକ୍ ଦାରବିନ୍ୟାନ କହିଛନ୍ତି।