ମୁମ୍ବାଇ: ଭାରତରେ କର୍ମଚାରୀଙ୍କ ଚାକିରିର ପଦବୀ ଓ ଦରମା ମଧ୍ୟରେ ବଢୁଥିବା ଅସଙ୍ଗତିକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଅନେକ ପେସାଦାରଙ୍କ ମତରେ, ସେମାନଙ୍କୁ ମିଳିଥିବା ଚାକିରିର ଟାଇଟଲ୍ ବା ପଦବୀ ସେମାନଙ୍କ ଦରମାକୁ ପ୍ରତିଫଳିତ କରୁନାହିଁ। ଫଳରେ କାର୍ଯ୍ୟକ୍ଷେତ୍ରରେ ସ୍ୱୀକୃତି ଓ ପୁରସ୍କାର ମଧ୍ୟରେ ଏକ ବଡ଼ ଦୂରତା ସୃଷ୍ଟି ହେଉଥିବା ଦେଖାଯାଉଛି। ଏନେଇ ମଙ୍ଗଳବାର ଏକ ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ଇନଡିଡ୍(Indeed)ର ତ୍ରୈମାସିକ ହାୟାରିଂ ଟ୍ରାକର ରିପୋର୍ଟ ଅନୁଯାୟୀ, ଭାରତର ୧,୨୧୧ ଜଣ ନିଯୁକ୍ତିଦାତା ଓ ୨,୫୩୩ ଜଣ କର୍ମଚାରୀଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ପାଖାପାଖଇ ପ୍ରତି ୧୦ ଜଣ ମଧ୍ୟରେ ୬ ଜଣ ପ୍ରଫେସନାଲ କହିଛନ୍ତି ସେମାନଙ୍କ ପଦବୀ ଅନୁସାରେ ଦରମା ଦିଆଯାଉ ନାହିଁ। ୬୦ ପ୍ରତିଶତ କହିଛନ୍ତି ଯେ ସେମାନଙ୍କ ଚାକିରିର ପଦବୀ ଓ ଦରମା ମଧ୍ୟରେ ସଠିକ୍ ସମନ୍ୱୟ ନାହିଁ।

ବଢୁଛି ‘ବଡ଼ ଟାଇଟଲ୍’, କିନ୍ତୁ ବଢୁନି ଦରମା

ରିପୋର୍ଟରେ ପ୍ରାୟ ୮୦ ପ୍ରତିଶତ କର୍ମଚାରୀ କହିଛନ୍ତି ଯେ ବିଭିନ୍ନ ଶିଳ୍ପରେ ‘ଇନଫ୍ଲେଟେଡ୍ ଜବ୍ ଟାଇଟଲ୍’ ବା ବାସ୍ତବ ଦାୟିତ୍ୱ ତୁଳନାରେ ଅଧିକ ବଡ଼ ଶୁଣାଯାଉଥିବା ପଦବୀ ଏବେ ସାଧାରଣ ହୋଇଗଲାଣି। ଅନେକ କର୍ମଚାରୀ ଏଭଳି ସହକର୍ମୀଙ୍କୁ ଦେଖିଛନ୍ତି, ଯେଉଁମାନେ ଅଧିକ ସିନିୟର୍ ଟାଇଟଲ୍ ପାଇଛନ୍ତି, କିନ୍ତୁ ସେହି ଅନୁସାରେ ଦରମା ବଢ଼ିନାହିଁ। (ଇନଡିଡ୍ ଇଣ୍ଡିଆ) Indeed Indiaର ମ୍ୟାନେଜିଂ ଡାଇରେକ୍ଟର ଶଶି କୁମାର କହିଛନ୍ତି ଯେ ଚାକିରିର ପଦବୀ କର୍ମଚାରୀଙ୍କ ପେସାଦାର ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ନୂଆ ସୁଯୋଗ ଓ କ୍ଷମତାର ସଙ୍କେତ ଦେଇଥାଏ। କିନ୍ତୁ ପଦବୀ ପ୍ରକୃତ କ୍ୟାରିୟର ପ୍ରଗତିକୁ ପ୍ରତିଫଳିତ କରିବା ଆବଶ୍ୟକ, କ୍ୟାରିୟର ପ୍ରଗତିର ବିକଳ୍ପ ହେବା ଉଚିତ ନୁହେଁ।
Also Read- ଭାଇରାଲ ହେଉଛି Dimagi Naxal Party: କିଏ ଗଢ଼ିଲା ଏହି ପାର୍ଟି ? ଖୋଜା ଚାଲିଛି…

ପଦବୀ ବଦଳିଲା, କିନ୍ତୁ ଦରମା ବଢ଼ିଲାନି

ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଯେଉଁ କର୍ମଚାରୀମାନଙ୍କ ପଦବୀ ବଦଳିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ କହିଛନ୍ତି ଯେ ପଦବୀ ପରିବର୍ତ୍ତନ ସହିତ ସେମାନଙ୍କ ଦରମା ଆଦୌ ବଢ଼ିନାହିଁ କିମ୍ବା ୫ ପ୍ରତିଶତରୁ କମ୍ ବଢ଼ିଛି। ଅନ୍ୟପକ୍ଷରେ, ନୂଆ ଚାକିରି ବା ସୁଯୋଗ ବାଛିବା ସମୟରେ ୫୨ ପ୍ରତିଶତ ପେସାଦାର ଭଲ ପଦବୀ ଅପେକ୍ଷା ଅଧିକ ଦରମାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଚାକିରିର ଟାଇଟଲ୍ ହୁଏତ ସୁଯୋଗ ଖୋଲିପାରେ, କିନ୍ତୁ ଶେଷରେ ଦରମା ହିଁ କ୍ୟାରିୟରର ମୂଲ୍ୟକୁ ଅଧିକ ପ୍ରଭାବିତ କରୁଛି।

ତଥାପି କ୍ୟାରିୟର ପାଇଁ ଟାଇଟଲ୍ ଗୁରୁତ୍ୱପୂର୍ଣ୍ଣ

ତେବେ କର୍ମଚାରୀମାନେ ଚାକିରିର ପଦବୀକୁ ସମ୍ପୂର୍ଣ୍ଣ ଅଣଦେଖା କରୁନାହାନ୍ତି। ରିପୋର୍ଟରେ ୭୦ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ଭବିଷ୍ୟତ କ୍ୟାରିୟର ସୁଯୋଗ ଗଠନରେ ସେମାନଙ୍କ ଚାକିରିର ପଦବୀ ଗୁରୁତ୍ୱପୂର୍ଣ୍ଣ। ପ୍ରାୟ ୭୩ ପ୍ରତିଶତଙ୍କ ମତରେ ଏକ ଭଲ ଓ ଶକ୍ତିଶାଳୀ ପଦବୀ ଭବିଷ୍ୟତର ନିଯୁକ୍ତିଦାତାଙ୍କ ନଜରରେ ସେମାନଙ୍କ ଭାବମୂର୍ତ୍ତିକୁ ଉନ୍ନତ କରିଥାଏ। ସେହିପରି ପ୍ରାୟ ୫୭ ପ୍ରତିଶତ କର୍ମଚାରୀ କହିଛନ୍ତି ଯେ ସେମାନଙ୍କ ଚାକିରିର ପଦବୀ ସାମଗ୍ରିକ ଚାକିରି ସନ୍ତୁଷ୍ଟି ଉପରେ ବଡ଼ ପ୍ରଭାବ ପକାଏ।

Also Read- ବ୍ୟବସାୟ କରିବା କଷ୍ଟକର ହେଲାଣି: ସବୁବେଳେ ପଜିିଟିଭ୍ ରହୁଥିବା ଶ୍ରୀଧର ଭେମ୍ବୁ ହଠାତ୍ କାହିଁକି ଏମିତି କହିଲେ ?

କର୍ମଚାରୀଙ୍କୁ ଧରି ରଖିବା ପାଇଁ ବଡ଼ ଟାଇଟଲ୍

ରିପୋର୍ଟରେ ପ୍ରାୟ ୫୭ ପ୍ରତିଶତ ନିଯୁକ୍ତିଦାତା କହିଛନ୍ତି ଯେ କର୍ମଚାରୀଙ୍କୁ ଆକର୍ଷିତ କରିବା ଓ ଦକ୍ଷ କର୍ମଚାରୀଙ୍କୁ ଧରି ରଖିବା ପାଇଁ ସେମାନଙ୍କ ସଂସ୍ଥାରେ ଅଧିକ ସିନିୟର୍ ବା ଆକର୍ଷଣୀୟ ଚାକିରିର ପଦବୀ ବ୍ୟବହାର କରାଯାଉଛି। ବିଶେଷକରି ଯେତେବେଳେ କମ୍ପାନୀଗୁଡ଼ିକର ଦରମା ବଢ଼ାଇବା ପାଇଁ ବଜେଟ୍ ସୀମିତ ରହୁଛି, ସେତେବେଳେ ପଦବୀକୁ କର୍ମଚାରୀଙ୍କୁ ଆକର୍ଷିତ, ଧରି ରଖିବା ଓ ସେମାନଙ୍କ ବିକାଶକୁ ସ୍ୱୀକୃତି ଦେବାର ଏକ ରଣନୀତିକ ଉପାୟ ଭାବେ କମ୍ପାନୀଗୁଡ଼ିକ ବ୍ୟବହାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ରିପୋର୍ଟ ଇନଡିଡ ପକ୍ଷରୁ ଭାଲ୍ୟୁଭକ୍ସ (Valuvox) ଦ୍ୱାରା ୨୦୨୬ ମେ ଓ ଜୁନ୍ ମାସରେ କରାଯାଇଥିବା ସର୍ଭେ ଆଧାରରେ ପ୍ରସ୍ତୁତ ହୋଇଛି।

ଏହା ସହିତ, ରିପୋର୍ଟରୁ ଆହୁରି ଜଣାପଡିଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ପଦବୀ ପରିବର୍ତ୍ତନ ପାଇଥିବା ପ୍ରତି ୩ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ସେମାନଙ୍କର କୌଣସି ଦରମା ବୃଦ୍ଧି ହୋଇ ନାହିଁ କିମ୍ବା ମାତ୍ର ୫ ପ୍ରତିଶତରୁ କମ୍ ବୃଦ୍ଧି ହୋଇଛି।