କେନ୍ଦ୍ରାପଡ଼ା ୧୭।୧୨ : ଦୁଇ ଦଶନ୍ଧି ତଳେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜାତୀୟ ପତାକାକୁ ଅସମ୍ମାନ ଘଟଣାର ରାୟ ପ୍ରକାଶ ପାଇଛି । ଦୁଇ ଆସାମୀଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ରାଜନଗର ଜେଏମ୍‌ଏଫ୍‌ସି । ଇତିମଧ୍ୟରେ ଅନ୍ୟ ଜଣେ ଆସାମୀଙ୍କର ମୃତ୍ୟୁ ହୋଇସାରିଛି ।

ରାଜନଗର ବ୍ଲକ୍‌ କୃଷ୍ଣନଗର ପଞ୍ଚାୟତ କନକନଗର ବୀଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୦୪ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଉଥିଲା। ଅନୁଷ୍ଠାନର ତତ୍କାଳୀନ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାସ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ଜାତୀୟ ସଙ୍ଗୀତ ଗାନ କରୁଥିବା ବେଳେ ବିଦ୍ୟାଳୟ ନିକଟରେ ଘର କରିଥିବା ଶେଖ୍‌ ମୟୁବୁଦ୍ଦିନ, ଶେଖ୍‌ ଆୟୁବୁଦ୍ଦିନ, ଶେଖ୍‌ ନସିର ଉଦ୍ଦିନ, କାଇସୁମ ବିବି, ଇରାଜ ବିବି, କାଶ୍ମୀରା ବିବି ସ୍କୁଲ ପରିସରରେ ପ୍ରବେଶ କରି ଜାତୀୟ ପତାକା ଉଠାଇ ନେବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଧମକାଇଥିଲେ । ଏପରିକି ସେମାନେ ଉତ୍‌କ୍ଷିପ୍ତ ହୋଇ ଜାତୀୟ ପତାକା ବନ୍ଧା ହୋଇଥିବା ବାଉଁଶକୁ ଉପାଡ଼ି ତଳେ ପକାଇ ଦେଇଥିଲେ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଜାତୀୟ ପତାକା ଅପମାନ ନିବାରଣ ଆଇନ ୧୯୭୧ରେ ମାମଲା ରୁଜୁ କରିଥିଲା । ଜେଏମ୍‌ଏଫ୍‌ସି ଶିବାନୀ ମିଶ୍ର ଦୁଇ ଆସାମୀ ଶେଖ୍‌ ଆୟୁବୁଦ୍ଦିନ ଓ ଶେଖ୍‌ ନାସିର ଉଦ୍ଦିନଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି। ତତ୍କାଳୀନ ରାଜନଗର ଥାନା ଭାରପ୍ରାପ୍ତ ଅଧିକାରୀ ଶୀତିକଣ୍ଠ କାନୁନ୍‌ଗୋ ଏହି ମାମଲାର ତଦନ୍ତ କରିଥିବା ବେଳେ ସରକାରୀ ଆଇନଜୀବୀ ନଳିନୀକାନ୍ତ ମଙ୍ଗରାଜ ମାମଲା ପରିଚାଳନା କରୁଥିଲେ। ଘଟଣାର ମୁଖ୍ୟ ଆସାମୀ ଶେଖ୍‌ ମୟୁବୁଦ୍ଦିନଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇସାରିଛି।