ଭୁବନେଶ୍ୱର: ସାରା ଦେଶ ସହିତ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୨୦୧୬ ସେପ୍ଟମ୍ବର ୫ରେ ବ୍ୟବସାୟିକ ସେବା ଆରମ୍ଭ କରିଥିଲା। ବିଗତ ଦଶ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ।

ଟ୍ରାଇ ତଥ୍ୟ ଅନୁଯାୟୀ ଶୁଭାରମ୍ଭର ପ୍ରଥମ ମାସରେ ଓଡ଼ିଶାରେ ୫.୮ ଲକ୍ଷ ଗ୍ରାହକ ହାସଲ କରିଥିବା ଜିଓ ଜୁଲାଇ ୨୦୨୬ ସୁଦ୍ଧା ରାଜ୍ୟରେ ସର୍ବାଧିକ ୧ କୋଟି ୮୫ ଲକ୍ଷରୁ ଉର୍ଦ୍ଧ୍ୱ ମୋବାଇଲ ଗ୍ରାହକଙ୍କ ସହିତ ଏକ ନମ୍ବର ସ୍ଥାନ ହାସଲ କରିଛି । ରାଜ୍ୟରେ ରହିଥିବା ମୋଟ ୩ କୋଟି ୯୦ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ଜିଓ ଓଡ଼ିଶାରେ ୪୭.୪ ପ୍ରତିଶତ ଗ୍ରାହକ ବଜାର ଅଂଶ ଏବଂ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ପ୍ରାୟ ୫୨ ପ୍ରତିଶତ ଅଂଶ ହାସଲ କରି ସର୍ବାଗ୍ରେ ରହିଛି।

ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡ଼ିଶାରେ ମୋବାଇଲ ଡାଟା ଓ ଇଣ୍ଟରନେଟ ବ୍ୟବହାର ମଧ୍ୟ ଏହି ଦଶ ବର୍ଷ ମଧ୍ୟରେ ବହୁଗୁଣ ବୃଦ୍ଧି ପାଇଛି। ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୬ ସେପ୍ଟେମ୍ବରରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୯୦ ଲକ୍ଷ ରହିଥିବାବେଳେ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୩ କୋଟିରୁ ଉର୍ଦ୍ଧ୍ବରେ ପହଞ୍ଚିଛି। ସହରାଞ୍ଚଳ ତୁଳନାରେ ରାଜ୍ୟର ଗ୍ରାମାଞ୍ଚଳରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ପ୍ରାୟ ୩୮ ଲକ୍ଷରୁ ବୃଦ୍ଧିପାଇ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ୧ କୋଟି ୮୭ ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ରାଜ୍ୟର ଗ୍ରାମାଞ୍ଚଳରେ ଏହି ଡିଜିଟାଲ କ୍ରାନ୍ତିରେ ଜିଓର ସର୍ବବୃହତ ୪ଜି ଓ ୫ଜି ନେଟୱର୍କ ଏବଂ ଦୁର୍ଗମ ଅଞ୍ଚଳକୁ ହାଇସ୍ପିଡ଼ ଡିଜିଟାଲ ନେଟୱର୍କରେ ଯୋଡିବା ଦିଗରେ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଡିଜିଟାଲ କ୍ରାନ୍ତିର ଫଳ ସ୍ୱରୂପ ରାଜ୍ୟରେ ପ୍ରତି ୧୦୦ ଜଣରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ୨୧.୨୧ ରୁ ପ୍ରାୟ ତିନିଗୁଣ ବୃଦ୍ଧିପାଇ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ୬୪.୭୯ ରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଏଥିରେ ମଧ୍ୟ ସବୁଠାରୁ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଗ୍ରାମାଞ୍ଚଳରେ, ଯେଉଁଠାରେ ପ୍ରତି ୧୦୦ ଜଣରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ୧୧.୦୬ରୁ ଚାରି ଗୁଣରୁ ଅଧିକ ବୃଦ୍ଧିପାଇ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ୪୯.୩୦ରେ ପହଞ୍ଚିଛି।

ସବୁଠାରୁ ବୈପ୍ଲବିକ ପରିବର୍ତ୍ତନ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ପରିଲକ୍ଷିତ ହୋଇଛି। ସେପ୍ଟେମ୍ବର ୨୦୧୯ ରେ ଜିଓଫାଇବର ଏବଂ ସେପ୍ଟେମ୍ବର ୨୦୨୩ ରେ ଯୁଗାନ୍ତକାରୀ ଜିଓଏୟାରଫାଇବର ସେବା ପ୍ରଚଳନ ପରେ ଓଡ଼ିଶାର କୋଣ ଅନୁକୋଣରେ ଏବେ ହାଇସ୍ପିଡ଼ ହୋମ ବ୍ରଡ଼ବ୍ୟାଣ୍ଡ ଉପଲବ୍ଧ ହୋଇଛି, ଯାହା ଘରେ ରହି କାମ (ୱାର୍କ-ଫ୍ରମ-ହୋମ୍) କରୁଥିବା ପ୍ରଫେସନାଲ, ଉଦ୍ୟୋଗୀ, ଛୋଟ ବଡ଼ ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଜୁଲାଇ ୨୦୨୬ ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ୮ ଲକ୍ଷରୁ ଅଧିକ ହୋମ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି ଏବଂ ଅତ୍ୟାଧୁନିକ ହୋମ ଏଣ୍ଟରଟେନମେଣ୍ଟ, ଲୋକପ୍ରିୟ ଓଟିଟି ଆପ୍ସ, ୱାଇଫାଇ ଓ ହାଇସ୍ପିଡ଼ ଇଣ୍ଟରନେଟ ଉପଭୋଗ କରୁଛନ୍ତି। ଜିଓଏୟାରଫାଇବର ଓ ଜିଓଫାଇବରର ଲୋକପ୍ରିୟତା ବଳରେ ରାଜ୍ୟରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ୬୦ ପ୍ରତିଶତରୁ ଅଧିକ ବଜାର ଅଂଶ ଏବଂ ଫିକ୍ସଡ଼ ୱେୟାରଲେସ ଆକ୍ସେସ (ଏଫଡବ୍ଲୁଏ) ବା ଏୟାରଫାଇବର କ୍ଷେତ୍ରରେ ରାଜ୍ୟରେ ୮୨ ପ୍ରତିଶତରୁ ଅଧିକ ବଜାର ଅଂଶ ସହିତ ହାସଲ କରି ପ୍ରାଧାନ୍ୟ ଜାରି ରଖିଛି ଜିଓ।

ବିଗତ ଦଶ ବର୍ଷରେ ଓଡ଼ିଶାରେ ଜିଓର ପ୍ରମୁଖ ମାଇଲ୍ଖୁଣ୍ଟ ଗୁଡିକ ମଧ୍ୟରେ ରହିଛି ସେପ୍ଟମ୍ବର ୨୦୧୬ ରେ ବ୍ୟବସାୟିକ ୪ଜି ମୋବାଇଲ ସେବା ଶୁଭାରମ୍ଭ, ଅଗଷ୍ଟ ୨୦୧୭ ରେ ସୁଲଭ ୪ଜି ମୋବାଇଲ ଜିଓ ଫୋନ ଶୁଭାରମ୍ଭ, ମାର୍ଚ୍ଚ ୨୦୧୮ ରେ ଜିଓ-ଫାଇ ୱାଇଫାଇ ଡିଭାଇସ ଶୁଭାରମ୍ଭ, ୨୦୧୮-୧୯ ରେ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ରାଜ୍ୟର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ସ୍ଥାନ ହାସଲ, ସେପ୍ଟମ୍ବର ୨୦୧୯ ରେ ଜିଓଫାଇବର ଶୁଭାରମ୍ଭ ଘୋଷଣା, ନଭେମ୍ବର ୨୦୨୧ ରେ ଜିଓ ଫୋନ ନେକ୍ସଟ ସୁଲଭ ୪ଜି ସ୍ମାର୍ଟଫୋନ ଶୁଭାରମ୍ଭ, ଅକ୍ଟୋବର ୨୦୨୨ ରେ ମୟୁରଭଞ୍ଜ ଜିଲ୍ଲାର ପାହାଡପୁର ଗାଁରେ ଓଡିଶାର ପ୍ରଥମ ଲାଇଭ ୫ଜି ସେବା ପ୍ରଦର୍ଶନ, ଜାନୁୟାରୀ ୨୦୨୩ ରେ ଓଡ଼ିଶାରେ ୫ଜି ସେବାର ଆନୁଷ୍ଠାନିକ ଶୁଭାରମ୍ଭ, ଜୁଲାଇ ୨୦୨୩ ରେ ସୁଲଭ ୪ଜି ଫିଚର ଫୋନ ଜିଓଭାରତ ଫୋନର ଶୁଭାରମ୍ଭ ଏବଂ ସେପ୍ଟେମ୍ବର ୨୦୨୩ରେ ଜିଓଏୟାରଫାଇବର ଶୁଭାରମ୍ଭ।

ଦଶ ବର୍ଷ ଜିଓ ସେବାର ଗ୍ରାହକଙ୍କ ପାଇଁ ପ୍ରମୁଖ ଲାଭ ଗୁଡିକ ମଧ୍ୟରେ ରହିଛି ଶସ୍ତା ଡାଟା ଓ ସମସ୍ତ ନେଟୱର୍କରେ ମାଗଣା ଭଏସ୍ କଲ୍, ଯାହା ଗ୍ରାହକଙ୍କ ପାଇଁ ପ୍ରଥମ ଅନୁଭୂତି ଥିଲା। ଜିଓ ଆଉଟ୍ଗୋଇଂ ମାଗଣା କରିବା ଦ୍ୱାରା ଅନ୍ୟ ଅପରେଟରଙ୍କ ଉପରେ ଚାପ ପଡ଼ିଥିଲା ଏବଂ ସେମାନେ ମଧ୍ୟ ନିଜର ରଣନୀତିରେ ପରିବର୍ତ୍ତନ କରି ଟାରିଫ ହ୍ରାସ କରିଥିଲେ।

ଭାରତରେ ଡାଟା ବ୍ୟବହାର ସର୍ବାଧିକ ହେବା ସହିତ ଡାଟା ମୂଲ୍ୟ ମଧ୍ୟ ବିଗତ ୧୦ ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରୁ ସର୍ବନିମ୍ନ ସ୍ଥାନକୁ ଖସିଆସିଛି। ଜିଓ ଆରମ୍ଭ ହେବା ପୂର୍ବରୁ ଦେଶରେ ଗ୍ରାହକଙ୍କୁ ୧ ଜିବି ଡାଟା ବ୍ୟବହାର କରିବା ପାଇଁ ପ୍ରାୟ ୨୦୦ ରୁ ୨୫୦ ଟଙ୍କା ଦେବାକୁ ପଡୁଥିଲା । ଡାଟା ମୂଲ୍ୟ ଉପରେ ଜିଓର ଏକପ୍ରକାର ଯୁଦ୍ଧର ପରିଣତି ସ୍ୱରୂପ ଆଜି ଅର୍ଥାତ୍ ୨୦୨୬ ରେ ୧ଜିବି ଡାଟା ପ୍ରାୟ ୮ ଟଙ୍କାରୁ କମ ମୂଲ୍ୟରେ ଉପଲବ୍ଧ ହେଉଛି। ଦୁନିଆର ବୃହତ ଅର୍ଥନୀତିଗୁଡିକ ମଧ୍ୟରେ ଭାରତରେ ଡାଟା ମୂଲ୍ୟ ସବୁଠାରୁ କମ୍ ରହିଛି । ସେହିଭଳି ୨୦୧୬ରେ ମୋବାଇଲ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ପ୍ରାୟ ୨୦୦ ମେଗାବାଇଟ ରହିଥିବା ବେଳେ ଏବେ ଜିଓ ନେଟୱର୍କରେ ଗ୍ରାହକ ପିଛା ମାସିକ ଡାଟା ବ୍ୟବହାର ୪୨.୩ ଜିବିକୁ ବୃଦ୍ଧି ପାଇଛି। ପ୍ରାୟ ୧୫ ମାସ ମଧ୍ୟରେ ଦେଶବ୍ୟାପୀ ୫ଜି ନେଟୱାର୍କ ପ୍ରଚଳନ କରିଥିବା ଜିଓ ୪୨ ମାସ ମଧ୍ୟରେ ପ୍ରାୟ ୨୬.୮ କୋଟି ୫ଜି ଉପଭୋକ୍ତା ହାସଲ କରିଛି।

ଏଥିସହିତ ରିଲାଏନ୍ସ ଜିଓ ଭାରତୀୟ ଡିଜିଟାଲ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି । ସରକାରୀ ପ୍ରଚେଷ୍ଟାରେ ସୃଷ୍ଟି ସଚେତନତା ଏବଂ ଜିଓର ଶସ୍ତା ଡାଟା ଡିଜିଟାଲ ଅର୍ଥନୀତିରେ ନୂଆ ଜୀବନ ସଞ୍ଚାର କରିଛି । ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ ଜିଓ ଶୁଭାରମ୍ଭ ବର୍ଷ ଅର୍ଥାତ୍ ୨୦୧୬-୧୭ ଆର୍ଥିକ ବର୍ଷରେ ୟୁପିଆଇ ଜରିଆରେ କେବଳ ୭୦୦୦ କୋଟି ଟଙ୍କାର କାରବାର ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୪୦୦୦ ଗୁଣରୁ ଅଧିକ ବୃଦ୍ଧି ପାଇ ୩୧୪ ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ଓଟିଟି ଦର୍ଶକ ସଂଖ୍ୟା ପ୍ରାୟ ୩ କୋଟିରୁ ୬୦ କୋଟିକୁ ବୃଦ୍ଧି ପାଇଛି। ଏହାର କାରଣ ଅତ୍ୟନ୍ତ ସୁସ୍ପଷ୍ଟ, ସୁଲଭ ଡାଟା ଉପଲବ୍ଧ ହେବା ସହିତ ଦେଶରେ ବିଗତ ୧୦ ବର୍ଷରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୩୬ କୋଟି (୨୦୧୬ ସେପ୍ଟମ୍ବର)ରୁ ବୃଦ୍ଧିପାଇ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ୧୦୯ କୋଟିରୁ ଉର୍ଦ୍ଧ୍ଵରେ ପହଞ୍ଚିଛି।

ଜିଓଫୋନ୍ ଏବଂ ପରବର୍ତ୍ତୀ ସମୟରେ ଆସିଥିବା ଜିଓଭାରତ ଫୋନ ସୁଲଭ ୪ଜି ଫିଚର ସ୍ମାର୍ଟଫୋନ ଭାବରେ କୋଟି କୋଟି ଗ୍ରାହକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡିଛି । ଦେଶରେ ପ୍ରାୟ ୫୦ କୋଟି ଲୋକ ପୁରୁଣା ଏବଂ ମହଙ୍ଗା (କଲ୍ କରିବାକୁ) ୨ଜି ପ୍ରଯୁକ୍ତିର ବ୍ୟବହାର କେବଳ ଏଥିପାଇଁ କରୁଥିଲେ, କାରଣ ସେମାନଙ୍କ ପାଖରେ ୪ଜି ପ୍ରଯୁକ୍ତିରେ ଚାଲିବା ପାଇଁ ମହଙ୍ଗା ଫୋନ କିଣିବାକୁ ଟଙ୍କା ନଥିଲା ଅଥବା ସେମାନେ ବଟନ୍ ବିଶିଷ୍ଟ ଫୋନ ବ୍ୟବହାର କରିବାକୁ ଚାହୁଁଥିଲେ । ଜିଓ ଯଥେଷ୍ଟ କମ୍ ମୂଲ୍ୟରେ ୪ଜି ଫୋନ ପ୍ରଚଳନ କରି ଏହି ଦୁଇଟିଯାକ ସମସ୍ୟାକୁ ଦୂର କରିଛି।